ଓଡ଼ିଶାଲାଇଭ୍ ଏଣ୍ଟରଟେମେଣ୍ଟ ବ୍ୟୁରୋ
ଦିନେ ବଲିଉଡରେ ରାଜ୍ କରୁଥିବା ବଲିଉଡର ଟପ୍ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ଆଜି ୫୭ ତମ ଜନ୍ମଦିନ ପାଳିଛନ୍ତି।
ଅଶୀ ଏବଂ ନବେ ଦଶକରେ ବଲିଉଡର ଜଣେ ଟପ୍ ଅଭିନେତ୍ରୀ ଭାବେ ମୀନାକ୍ଷୀ ଶେଷାଦ୍ରି ଖ୍ୟାତି ଅର୍ଜନ କରିଥିଲେ। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ସୁପିରହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିଣିଥିଲେ। କିନ୍ତୁ ଏବେ ସେ ଫିଲ୍ମ ଜଗତରୁ ଦୂରେଇ ଯାଇଛନ୍ତି। ତେବେ ଏବେ ସେ କେଉଁଠି ଅଛନ୍ତି ଓ କ’ଣ କରୁଛନ୍ତି?
ମୀନାକ୍ଷୀ ୧୯୮୩ ରେ ଫିଲ୍ମ ‘ପେଣ୍ଟର ବାବୁ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ଏହି ଫିଲ୍ମ ଚାଲିନଥିଲା। ଏହା ପରେ ସେ ସୁଭାଷ ଘାଇଙ୍କ ଫିଲ୍ମ ‘ହିରୋ’ରେ ଜ୍ୟାକି ଶ୍ରଫଙ୍କ ସହ କାମ କରିଥିଲେ। ଫିଲ୍ମଟି ହିଟ୍ ହେବା ପରେ ମୀନାକ୍ଷୀ ରାତାରାତି ଷ୍ଟାର ହୋଇଯାଇଥିଲେ। ଏହାପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଅଫର ମିଳିଥିଲା।
ସେ ଦେବ ଆନନ୍ଦ, ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତ, ମିଥୁନ ଚକ୍ରବର୍ତ୍ତୀ, ସନି ଦେଓଲ, ଅନିଲ କପୁରଙ୍କ ଭଳି ସୁପରଷ୍ଟାରଙ୍କ ସହ ଫିଲ୍ମ କରିଥିଲେ।
କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିବା ପରେ ମୀନାକ୍ଷୀ ଫିଲ୍ମ ଜଗତରୁ ବିଦାୟ ଦେଇଥିଲେ। ୧୯୯୫ରେ ସେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରିଶ ମାଇସୋରଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଆମେରିକାର ଟେକ୍ସାସ ଯାଇ ସେଠାରେ ରହିଲେ।
ଏବେ ମୀନାକ୍ଷୀ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସହିତ ଟେକ୍ସାସର ଡାଲାସରେ ରହୁଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ଅନେକ ସମୟରେ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆ ସେୟାର କରନ୍ତି। ମୀନାକ୍ଷୀ ମଧ୍ୟ ନିଜର ଏକ ଡ୍ୟାନ୍ସ ସ୍କୁଲ ପରିଚାଳନା କରନ୍ତି। ଏହି ସ୍କୁଲର ନାଁ ଚୌରିଶ ଡ୍ୟାନ୍ସ ସ୍କୁଲ। ସବୁ ବୟସର ଲୋକମାନେ ଡ୍ୟାନ୍ସ ଶିଖିବାକୁ ଏଠାକୁ ଆସନ୍ତି।

୧୬ ନଭେମ୍ବର ୧୯୬୩ ରେ ଝାଡ଼ଖଣ୍ଡରେ ଜନ୍ମ ହୋଇଥିବା ମୀନାକ୍ଷୀ ଶେଷାଦ୍ରିଙ୍କ ପ୍ରକୃତ ନାମ ହେଉଛି ଶଶିକଳା ଶେଷାଦ୍ରି। ସେ ଶାସ୍ତ୍ରୀୟ ନୃତ୍ୟ, ଭାରତନାଟ୍ୟମ୍, କୁଚିପୁଡି, କଥକ ଏବଂ ଓଡ଼ିଶୀରେ ନୃତ୍ୟରେ ପାରଙ୍ଗମ। ୧୯୮୧ ମସିହାରେ ସେ ୧୭ ବର୍ଷ ବୟସରେ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ ଏବଂ ସେହି ବର୍ଷ ଟୋକିଓରେ ମିସ୍ ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଭାରତର ପ୍ରତିନିଧିତ୍ୱ କରିଥିଲେ।
















