ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର କୋଭିଡ୍ ପରିସ୍ଥିତିରେ ଶିକ୍ଷାକ୍ଷେତ୍ରରେ ଡିଜିଟାଲ୍ ମାଧ୍ୟମର ପ୍ରୟୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଆନନ୍ଦର କଥା, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ୨୦୧୯ ମସିହାରେ ଏହିଭଳି ଅଭିନବ ଶିକ୍ଷାଦାନ ଆରମ୍ଭ କରିଥିଲା।
‘ଭର୍ଚୁଆଲ୍ କ୍ଲାସ୍’ ପ୍ରକଳ୍ପ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୭୦ଟି ସ୍କୁଲକୁ ଭି-ସାଟ୍ ମାଧ୍ୟମରେ ଯୋଡ଼ା ଯାଇଥିଲା। ତା’ସହିତ ସୁନ୍ଦରଗଡ଼ ସଦର ମହକୁମାରେ ଏକ ଅତ୍ୟାଧୁନିକ ଷ୍ଟୁଡିଓ ଓ କଣ୍ଟ୍ରୋଲ ରୁମ୍ ନିର୍ମାଣ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍କୁଲରୁ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆସି ଏହି ଷ୍ଟୁଡିଓରେ ଭର୍ଚୁଆଲ୍ କ୍ଲାସ୍ ନେଉଥିଲେ। ଅର୍ଥାତ୍ ଜଣେ ଶିକ୍ଷକ ଏକ ସମୟରେ ଜିଲ୍ଲାର ୭୦ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇପାରୁଥିଲେ। ଶିକ୍ଷକ ଓ ଛାତ୍ରଛାତ୍ରୀମାନେ କ୍ଲାସରୁମ୍ ଭଳି ପରସ୍ପର ସହ କଥାବାର୍ତ୍ତା ମଧ୍ୟ କରିପାରୁଥିଲେ।
କୋଭିଡ୍ ପରିସ୍ଥିତି ପାଇଁ ବର୍ତ୍ତମାନ ରାଜ୍ୟରେ ସ୍କୁଲଗୁଡ଼ିକ ବନ୍ଦ ରହିଛି। ଫଳରେ ସୁନ୍ଦରଗଡ଼ରେ ଥିବା ଭର୍ଚୁଆଲ୍ କ୍ଲାସ୍ର ମୂଳ ଯୋଜନା ସାମୟିକ ଭାବେ ଅଟକି ଯାଇଛି। କିନ୍ତୁ କାମ ଅଟକି ନାହିଁ। କୋଭିଡ୍ ପରିସ୍ଥିତିରେ ଏବେ ବିଭିନ୍ନ ବିଷୟରେ ଶିକ୍ଷକମାନଙ୍କ ‘ଭିଡିଓ ଲେକଚର୍’ ପ୍ରସ୍ତୁତ କରାଯାଉଛି। ଜିଲ୍ଲା ଶିକ୍ଷା ବିଭାଗ ମାଧ୍ୟମରେ ଏହା ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ ଏବଂ ବିଷୟ-ଶିକ୍ଷକଙ୍କ ବାଟ ଦେଇ ଅଭିଭାବକ ଓ ପିଲାମାନଙ୍କ ମୋବାଇଲ୍ରେ ପହଞ୍ଚୁଛି। ଶିକ୍ଷକମାନେ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ପାଠ ପଢ଼ାଇବା ବେଳେ ଏହିସବୁ ଭିଡିଓକୁ ବ୍ୟବହାର ମଧ୍ୟ କରୁଛନ୍ତି।
ପୁଣି ଫେରିବା ଭର୍ଚୁଆଲ୍ କ୍ଲାସ୍ର ମୂଳ ବିଷୟକୁ। ଏହା ଅଧୀନରେ ଯୋଡ଼ି ହୋଇଥିବା ସ୍କୁଲଗୁଡ଼ିକ ମଧ୍ୟରେ ରହିଛି ସାଧାରଣ ସରକାରୀ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ। ଶିକ୍ଷକମାନେ ଭର୍ଚୁଆଲ୍ ଷ୍ଟୁଡିଓରେ ରହି ଗଣିତ, ବିଜ୍ଞାନ, ଇଂରାଜୀ, ଓଡ଼ିଆ, ଇତିହାସ ଓ ଭୂଗୋଳ ଆଦି ବିଷୟ ପଢ଼ାଉଛନ୍ତି।
କ୍ଲାସରେ ପାଠ ପଢ଼ାଇବା ବେଳେ ସ୍କୁଲରେ ଶିକ୍ଷକମାନେ ବ୍ଲାକବୋର୍ଡ ବ୍ୟବହାର କରନ୍ତି। କିନ୍ତୁ ଭର୍ଚୁଆଲ୍ କ୍ଲାସରେ ସ୍ମାର୍ଟ ବୋର୍ଡ ବା ଡିଜିଟାଲ୍ ବୋର୍ଡ ରହିଥିବାରୁ ସେମାନେ ପିପିଟି, ବିଭିନ୍ନ ପ୍ରକାର ଭିଡିଓ, ଥ୍ରିଡି ଗ୍ରାଫିକ୍ସ ବ୍ୟବହାର କରିପାରୁଛନ୍ତି। ଫଳରେ ପିଲାମାନଙ୍କ ପାଇଁ ଶିକ୍ଷାଦାନ ଅଧିକ ଆକର୍ଷଣୀୟ ହୋଇପାରୁଛି। ଏପରିକି ଜିଲ୍ଲାର ଜଣାଶୁଣା ବିଜ୍ଞାନ ଶିକ୍ଷକମାନେ ଷ୍ଟୁଡିଓକୁ ଆସି ଲାଇଭ୍ କ୍ଲାସ୍ ମାଧ୍ୟମରେ ବିଭିନ୍ନ ପ୍ରକାର ସାଇନ୍ସ ଏକ୍ସପେରିମେଂଟ କରି ପିଲାଙ୍କୁ ଦେଖାଇ ପାରୁଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଭର୍ଚୁଆଲ୍ କ୍ଲାସ୍ ମାଧ୍ୟମରେ ୧୪,୫୦୦ ମିନିଟ୍ରୁ ଅଧିକ ସମୟର କ୍ଲାସ୍ ହେବା ସହ ୨୨,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ସେହିପରି ଏହି ଶିକ୍ଷାଦାନ ବ୍ୟବସ୍ଥାରେ ଭାଗ ନେଇ ଜିଲ୍ଲାର ୧୮୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବିଭିନ୍ନ ବିଷୟ ପଢ଼ାଇବାର ଅନୁଭୂତି ହାସଲ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପକ୍ଷରୁ ଆର୍ଥିକ ସହାୟତା କ୍ରମେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି।
“ଭର୍ଚୁଆଲ୍ କ୍ଲାସ୍ ହେଉଛି ଯୋଗାଯୋଗ ବିଜ୍ଞାନ ଏବଂ ଶିକ୍ଷାର ଏକ ଅପୂର୍ବ ମିଶ୍ରଣ। ଏହା ଫଳରେ ଆମେ ଜଣେ ଅଭିଜ୍ଞ ଶିକ୍ଷକଙ୍କର ଅନୁଭୂତିକୁ ଗୋଟିଏ ଶ୍ରେଣୀ ଗୃହ ବା ଅଳ୍ପ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ ନରଖି ବ୍ୟାପକ କରିପାରୁଛୁ। ମୁଁ ଆଶା କରୁଛି ଯେ କୋଭିଡ୍ ପରିସ୍ଥିତି ଟଳିଯିବା ପରେ ଏହି ଭର୍ଚୁଆଲ୍ କ୍ଲାସ ଆମ ଜିଲ୍ଲାର ସ୍କୁଲ ପିଲାମାନଙ୍କ ପାଇଁ ବିଶେଷ ସହାୟକ ହେବ,’’ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ଭର୍ଚୁଆଲ୍ କ୍ଲାସ୍ ପରିଚାଳନା ପାଇଁ ଜିଲ୍ଲାର ସମ୍ପୃକ୍ତ ୭୦ଟି ସ୍କୁଲରେ ସ୍ମାର୍ଟ କ୍ଲାସ୍ ପ୍ରସ୍ତୁତ କରାଯାଇଛି। ପିଲାମାନେ ସେଠାରେ ବସି ସାମ୍ନାରେ ଥିବା ବଡ଼ ଟେଲିଭିଜନ୍ ପରଦା ମାଧ୍ୟମରେ ପାଠ ପଢ଼ୁଛନ୍ତି। ପିଲାଙ୍କ ପାଇଁ କର୍ଡଲେସ୍ ମାଇକ୍ରୋଫୋନ୍ ଦିଆଯାଇଥିବାରୁ ସେମାନେ ଷ୍ଟୁଡିଓରେ ଥିବା ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବା ସହ ସିଧାସଳଖ କଥାବାର୍ତ୍ତା ହୋଇପାରୁଛନ୍ତି। ମହାରାଷ୍ଟ୍ରସ୍ଥିତ ଭାଲ୍ୟୁଏବଲ୍ ଏଡୁଟେନ୍ମେଣ୍ଟ୍ ସଂସ୍ଥାର ବୈଷୟିକ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି।
(ସୌଜନ୍ୟ: ‘ମୋ ସ୍କୁଲ୍ ଅଭିଯାନ’ ସୂଚନାପତ୍ର, ନଭେମ୍ବର ୨୦୨୦)

















