ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଛି।
କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଚାଷୀମାନେ ଦିଲ୍ଲୀର ଜନ୍ତର ମନ୍ତର କିମ୍ବା ରାମଲୀଳା ମୈଦାନରେ ଆନ୍ଦୋଳନ କରିବାକୁ ଚାହୁଁଥିବା ବେଳେ ସେମାନଙ୍କୁ ଅନୁମତି ମିଳୁନାହିଁ। ତେଣୁ ସେମାନଙ୍କ ଦାବି ପୂରଣ କରିବା ପାଇଁ ଚାଷୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ବୁରାଡ଼ିରେ ଆଲୋଚନା କରିବା ପାଇଁ ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀମାନେ ଅଗ୍ରାହ୍ୟ କରିଦେଇଛନ୍ତି।
ଦିଲ୍ଲୀରେ ପ୍ରବେଶ ପୂର୍ବରୁ ଆସନ୍ତା ୩ ତାରିଖରେ ବୁରାଡ଼ିରେ ଚାଷୀମାନଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଗତକାଲି ଚାଷୀମାନେ ବୁରାଡ଼ି ଯିବାକୁ ରୋକ୍ଠୋକ୍ ମନା କରିଦେଇଛନ୍ତି। ବୁରାଡ଼ି ଏକ ଖୋଲା ପଡ଼ିଆ ନୁହେଁ ବରଂ ଖୋଲା ଜେଲ୍ ବୋଲି ଭାରତୀୟ କିଷାନ ୟୁନିଅନ୍ କ୍ରାନ୍ତିକାରୀ ପଞ୍ଜାବର ରାଜ୍ୟ ଅଧ୍ୟକ୍ଷ ସୁରଜିତ ସିଂ ଫୁଲେ କହିଛନ୍ତି।ତେଣୁ ବୁରାଡ଼ିରେ ସରକାରଙ୍କ ସହ ଆଲୋଚନା ପ୍ରସ୍ତାବକୁ ଚାଷୀମାନେ ଅଗ୍ରାହ୍ୟ କରିଦେଇଛନ୍ତି। ଏଥିସହ ଦିଲ୍ଲୀର ଜନ୍ତରମନ୍ତର କିମ୍ବା ରାମଲୀଳା ମୈଦାନରେ ସମାବେଶ କରିବାକୁ ଅନୁମତି ଦେବା ପାଇଁ ଚାଷୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟପଟେ ଚାଷୀମାନେ ଆଲୋଚନା ପାଇଁ ମନା କରିଦେବା ପରେ ଗତକାଲି ବିଳମ୍ବିତ ରାତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିବା ଜଣାପଡ଼ିଛି। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉପସ୍ଥିତ ଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଚାଷୀଙ୍କ ଆନ୍ଦୋଳନ ବାବଦରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସେପଟେ ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।