ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଏବେ ଶୀତର ଲହରି ଦେଖିବାକୁ ମିଳୁଛି। ଯେଉଁ କାରଣରୁ କିଛି ଜିଲ୍ଲାରେ ସକାଳବେଳା ଘନ କୁହୁଡ଼ି ମଧ୍ୟ ନଜର ଆସୁଛି। ତେବେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୮ ତାରିଖରେ ରାଜ୍ୟର ୧୦ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଏଥିପାଇଁ ରାଜ୍ୟର ସ୍ପେଶାଲ୍ ରିଲିଫ୍ କମିସନର ଜିଲ୍ଲାପାଳମାନଙ୍କୁ ସତର୍କତା ମଧ୍ୟ ଜାରି କରିଛନ୍ତି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମଙ୍ଗଳବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ କୋହଲା ରହିବ। କିଛି ଜିଲ୍ଲାରେ ସକାଳବେଳା ଘନ କୁହୁଡ଼ି ମଧ୍ୟ ସୃଷ୍ଟି ହୋଇପାରେ। ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ବୌଦ୍ଧ, ସୋନପୁର, ବରଗଡ଼ ଓ ନୟାଗଡ଼ରେ ଘନକୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।
ଅନ୍ୟପଟେ ଏହି ସମୟରେ ପୋଲିସ ଓ ପରିବହନ ବିଭାଗ ସତର୍କତା ଆପଣେଇବାକୁ କୁହାଯାଇଛି। କୁହୁଡ଼ି କାରଣରୁ ରାଜପଥମାନଙ୍କରେ ଦୁର୍ଘଟଣାର ଭୟ ଥିବାରୁ ଏଥିପାଇଁ ପରିବହନ ବିଭାଗ ସଜାଗ ରହିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି।