ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଉପକଣ୍ଠ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବାଙ୍କ ଦେହାନ୍ତ ହୋଇଛି। ଅସୁସ୍ଥତା ଯୋଗୁ ଦୀର୍ଘ ଦିନ ହେଲା ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଗତ ୨୦୧୫ ମସିହାରେ ଆଶ୍ରମ କେଳେଙ୍କାରୀକୁ ନେଇ ସୁର ବାବା ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ତାଙ୍କ ନାମରେ ଜମି ଜବରଦଖଲ, ସମ୍ପତ୍ତି ହଡ଼ପ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଆଦି ଅଭିଯୋଗ ହୋଇଥିଲା। ଏପରିକି ମହିଳାଙ୍କୁ ବ୍ଲାକମେଲ୍ କରି ଯୌନ ନିର୍ଯାତନା ଦେବା, ନାଇଟ୍ କଲେଜ ଚଲାଇବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା।
ଏହାପରେ ୨୦୧୫ ମସିହା ଅଗଷ୍ଟ ମାସ ୩୧ ତାରିଖରେ ପୋଲିସ ପକ୍ଷରୁ ତ୍ରାହି ଅଚ୍ୟୁତ ଆଶ୍ରମ ଉପରେ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ଆଶ୍ରମରୁ ପିସ୍ତଲ, ଗୁଳି ସମେତ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିଲା। ଏହି ଘଟଣାରେ ସୁର ବାବାଙ୍କ ସମେତ ତାଙ୍କ ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିଙ୍କୁ ଗିରଫ କରାଯାଇଥିଲା। ସେହିଦିନ ଆଶ୍ରମ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ଆଶ୍ରମର ଏକାଧିକ ଗାଡ଼ି ଜାଳିଦେବା ସହ ସେଠାରେ ଥିବା ଦୋକାନଗୁଡ଼ିକୁ ଭାଙ୍ଗି ଦେଇଥିଲେ। ଫଳରେ ଆଶ୍ରମ ପରିସରରେ ୧୪୪ ଧାରା ଜାରି ହୋଇଥିଲା।
ଗିରଫ ହେବାର ପ୍ରାୟ ଅଢ଼େଇ ବର୍ଷ ପରେ ସୁର ବାବାଙ୍କୁ ଜାମିନ ମିଳିଥିଲା। କିନ୍ତୁ ପୂର୍ବରୁ ଆଶ୍ରମକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବା ବେଳେ ଏହି ଘଟଣା ପରେ ଆଉ ସେତେ ଭିଡ଼ ଦେଖିବାକୁ ମିଳୁନଥିଲା।











