ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି ପୋଷ୍ଟ ଅଫିସରେ ଆପଣଙ୍କର ଜମା ଖାତା ରହିଛି ତେବେ ଏହି ଖବରଟି ଆପଣଙ୍କ ପାଇଁ ବହୁତ ଜରୁରୀ। କାରଣ ପୋଷ୍ଟ ଅଫିସରେ ଡିସେମ୍ବର ୧୧ ତାରିଖରୁ ଏକ ନୂଆ ନିୟମ ଲାଗୁ ହୋଇଛି। ଏହି ନିୟମ ଅନୁସାରେ ଆପଣଙ୍କ ଜମା ଖାତାରେ ସର୍ବନିମ୍ନ ୫୦୦ ଟଙ୍କା ରହିବା ଦରକାର। ଯଦି ଆପଣ ଏହି ନିୟମ ନ ମାନନ୍ତି ତେବେ ଆପଣଙ୍କ ଆକାଉଣ୍ଟରୁ ଦିନକୁ ୧୦୦ ଟଙ୍କା କଟାଯିବ। ଏହାଦ୍ୱାରା ଆପଣଙ୍କ ଖାତା ବନ୍ଦ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି।

ଏହି ନିୟମ ଲାଗୁ ହେବା ନେଇ ଭାରତୀୟ ପୋଷ୍ଟ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ସୂଚନା ଦେଇଛି। ଏହି ଟୁଇଟରେ କୁହାଯାଇଛି ଯେ, ନୂଆ ନିୟମ ଅନୁସାରେ ଗ୍ରାହକଙ୍କୁ ପୋଷ୍ଟ ଅଫିସ ସେଭିଙ୍ଗ୍ସ ଆକାଉଣ୍ଟରେ ଡିସେମ୍ବର ୧୧ ସୁଦ୍ଧା ସର୍ବନିମ୍ନ ପାଞ୍ଚ ଶହ ଟଙ୍କା ଜମା କରିବା ଜରୁରୀ। ଯଦି ଡିସେମ୍ବର ୧୨ରେ ଜମା ଖାତାରେ ୫୦୦ ଟଙ୍କା ନଥିବ ତେବେ ଗ୍ରାହକଙ୍କୁ ମେଣ୍ଟେନାନ୍ସ ଚାର୍ଜ ବାବଦକୁ ଦିନକୁ ୧୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ।

ସେଭିଙ୍ଗ୍ସ ଆକାଉଣ୍ଟରେ ବର୍ଷକୁ ୪ ପ୍ରତିଶତ ସୁଧ

ପୋଷ୍ଟ ଅଫିସ ସେଭିଙ୍ଗ୍ସ ଆକାଉଣ୍ଟରେ ବର୍ଷକୁ ୪ ପ୍ରତିଶତ ସୁଧ ମିଳୁଛି। ପ୍ରତି ମାସ ୧୦ ତାରିଖରୁ ମାସ ଶେଷ ମଝିରେ ସର୍ବନିମ୍ନ ଜମା ରାଶି ଆଧାରରେ ଏହି ସୁଧ ହିସାବ କରାଯାଏ।

ପୋଷ୍ଟ ଅଫିସରେ ଖାତା ଖୋଲିବାର ନିୟମ

ପୋଷ୍ଟ ଅଫିସରେ ଜଣେ ବୟସ୍କ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜମା ଖାତା ଖୋଲିପାରିବେ। ଏହାଛଡ଼ା ଦୁଇ ଜଣ ବୟସ୍କ ମିଶି ଗୋଟିଏ ଆକାଉଣ୍ଟ (ଜଏଣ୍ଟ ଆକାଉଣ୍ଟ) ମଧ୍ୟ ଖୋଲିପାରିବେ। ସେହିପରି ୧୦ ବର୍ଷରୁ ଊର୍ଦ୍ଧ୍ୱ ନାବାଳକ ମଧ୍ୟ ପୋଷ୍ଟ ଅଫିସରେ ଖାତା ଖୋଲିପାରିବେ। ତେବେ ନାବାଳକଙ୍କ ପାଇଁ ତାଙ୍କ ଅଭିଭାବକଙ୍କ ପକ୍ଷରୁ ପୋଷ୍ଟ ଅଫିସରେ ଖାତା ଖୋଲାଯାଇପାରିବ।

ଜଣେ ବ୍ୟକ୍ତି ପୋଷ୍ଟ ଅଫିସରେ କେବଳ ଗୋଟିଏ ଜମା ଖାତା ଖୋଲିପାରିବେ। ଏଥିସହ ନାବାଳକ କିମ୍ବା ମାନସିକ ରୋଗୀ ମଧ୍ୟ ପୋଷ୍ଟ ଅଫିସରେ କେବଳ ଗୋଟିଏ ମାତ୍ର ଆକାଉଣ୍ଟ ଖୋଲିପାରିବେ। ଡାକଘରେ ଖାତା ଖୋଲିବା ସମୟରେ ନୋମିନି ଦରକାର ହୁଅନ୍ତି।

Comment