ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶାର ପ୍ରଥମ ବିଦେଶ ଡାକ ଘର ବା ଫରେନ ପୋଷ୍ଟ ଅଫିସ(ଏଫପିଓ) ଖୋଲିଛି। ଶନିବାର ଦିନ ମଞ୍ଚେଶ୍ୱରଠାରେ ଥିବା ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ ପରିସରରେ ଏହା ଖୋଲାଯାଇଛି। ଏହା ଦ୍ୱାରା ବିଦେଶକୁ ପଠାଯାଉଥିବା ଜିନିଷ ପତ୍ର  ଓ ପ୍ୟାକେଟ ଆଦିର କଷ୍ଟମ କ୍ଲିଅରାନ୍ସ ଏଣିକି ସୁଗମ ହୋଇ ପାରିବ। ପୂର୍ବରୁ ଓଡ଼ିଶାରେ ବୁକିଂ କରାଯାଉଥିବା କନସାଇନମେଣ୍ଟ ସବୁ କୋଲକାତା ବିଦେଶ ଡାକ ଘର ଜରିଆରେ ପାସ ହେଉଥିଲା। ଏହା ଦ୍ୱାରା ବହୁ ବିଳମ୍ବ ହେବା ସହ ଗ୍ରାହକ ମହଲରେ ଅସନ୍ତୋଷ  ପ୍ରକାଶ ପାଉଥିଲା।

ଭୁବନେଶ୍ୱରରେ ଏକ ଏଫପିଓ ଖୋଲିବା ପାଇଁ ବହୁ ଦିନରୁ  ଦାବି ହୋଇ ଆସୁଥିଲା। ତାହାକୁ ଦୃଷ୍ଟିରେ ରଖି କଷ୍ଟମସ ବିଭାଗ ଓ ଡାକ ବିଭାଗର ମିଳିତ ଉଦ୍ୟମରେ ଏହା ଖୋଲା ଯାଇପାରିଛି। ପ୍ରଥମେ ବିଦେଶ ଯାଉଥିବା ପ୍ୟାକେଟଗୁଡ଼ିକୁ ଭୁବନେଶ୍ୱରରେ କ୍ଲିଅରାନ୍ସ ଦିଆଯିବ। ପରବର୍ତ୍ତୀ ସମୟରେ ଓଡ଼ିଶାକୁ ଆସୁଥିବା ବିଦେଶୀ ପ୍ୟାକେଟର କ୍ଲିଅରାନ୍ସ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଚିଫ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କୁମାର କମିଳା।

ସେ ଆହୁରି କହିଛନ୍ତି ଯେ ଏଫପିଓ ଖୋଲିବା ପରେ ଗ୍ରାହକ ମାନେ ଓ ବିଶେଷ କରି ରପ୍ତାନିକାରୀ ମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।ଓଡ଼ିଶାର ବିଭିନ୍ନ ହସ୍ତ ଶିଳ୍ପ,ଶାଢ଼ୀ ଓ ଅନ୍ୟାନ୍ୟ ସାଂସ୍କୃତିକ ସାମଗ୍ରୀର ବିଦେଶୀ ଚାହିଦା ରହିଥିବା ବେଳେ ଏହାକୁ ପଠାଇବା ପାଇଁ ଆଗରୁ ଯେଉଁ ଅସୁବିଧା ସୃଷ୍ଟି ହେଉଥିଲା ତାହା ଏବେ ଦୂର ହେବ।

ନୂଆ କରି ଖୋଲାଯାଇଥିବା ଏଫପିଓ ଜରିଆରେ ରାଜ୍ୟର ସମସ୍ତ ୧୨୧୦ ଡାକ ଘରେ ବୁକିଂ ହେଉଥିବା ସାମଗ୍ରୀ ଏଣିକି ସୁବିଧାରେ ବିଦେଶ ଯାଇ ପାରିବ। ଏହି ଏଫପିଓ ଖୋଲିବା ଫଳରେ ଓଡ଼ିଶାର ବିଦେଶୀ ଡାକ ସାମଗ୍ରୀ ବ୍ୟବସାୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ଅବସରରେ ଡାକ ବିଭାଗର କେନ୍ଦ୍ର ସଚିବ ଅନନ୍ତ ନାରାୟଣ ନନ୍ଦ, କଷ୍ଟମସ୍ ବିଭାଗର ଅତିରିକ୍ତ କମିଶନର ସନ୍ତୋଷ କୁମାର ମହାନ୍ତି  ପ୍ରମୁଖ ଉପସ୍ଥିତ ଥିଲେ।

Comment