ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ସଦର ଅଞ୍ଚଳରୁ ନକଲି ଚା’ପତି କାରଖାନା ଠାବ।
କଟକରେ ନକଲି ସାମଗ୍ରୀ କାରବାର ଶେଷ ହେବାର ନାଁ ଧରୁନି। ମସଲା, ସିମେଣ୍ଟ, ଘିଅ, ସୋୟାବିନ୍, ସସ୍, ପନିର ଆଦି ପରେ ଏବେ ନକଲି ଚା’ପତି ପ୍ରସ୍ତୁତି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସହରରେ ନକଲି କାରବାର ରୋକିବା ପାଇଁ କମିସନରେଟ ପୋଲିସ ଆରମ୍ଭ କରିଥିବା ମାରାଥନ ଚଢ଼ାଉରେ ବୁଧବାର ଏକ ନକଲି ଚା’ପତି ପ୍ରସ୍ତୁତକାରୀ କାରଖାନାକୁ ଠାବ କରାଯାଇଛି।
କଟକ ସଦରର ମୁକାମେଶ୍ଵର ଗାଁର ଏକ ଚା’ପତି କାରଖାନା ଉପରେ ଚଢ଼ାଉ କରି ପୋଲିସକୁ ପ୍ରାୟ ୫୦ କୁଇଣ୍ଟାଲ ପରିମାଣର ନକଲି ଚା’ପତି, ୧୦ଟି ନାମୀ କମ୍ପାନିର ଷ୍ଟିକର ଏବଂ ଅନେକ ବିଷାକ୍ତ ପଦାର୍ଥ ମିଳିଛି। ଦୀର୍ଘଦିନ ଧରି ଏହି ଅଞ୍ଚଳରେ ନକଲି ଚ’ପତି ତିଆରି କରାଯାଉଥିବା ସୂଚନା ଦେଇଛନ୍ତି ସଦର ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା।
ସଦର ଥାନାଧିକାରୀଙ୍କ କହିବା ଅନୁସାରେ, ମୁକାମେଶ୍ଵର ଗାଁରେ ଅନେକଦିନ ହେବ ନକଲି ଚା’ପତି ପ୍ରସ୍ତୁତ ହେଉଥିବା ପୋଲିସର ଖବ୍ରୀ ତାଙ୍କୁ ସୂଚନା ଦେଇଥିଲେ। ଏହାପରେ ଏକ ସ୍ଵତନ୍ତ୍ର ପୋଲିସ ଟିମ୍ ଏବଂ ସିଏମ୍ସି ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନେଇ ବୁଧବାର ଉକ୍ତ କାରଖାନାରେ ସେ ଚଢ଼ାଉ କରିଥିଲେ। ନିମ୍ନମାନର ଚା’ପତି ସହିତ କିଛି କାଠ ଗୁଣ୍ଡ, ଚାକୁଣ୍ଡା ଏବଂ ଅମୃତ ଭଣ୍ଡା ପତ୍ରକୁ ମିଶାଯାଇ ସେଥିରୁ ଚା’ପତି ପ୍ରସ୍ତୁତ କରାଯାଉଥିଲା। ଏହି ପତିକୁ ଟାଟା ସମେତ କିଛି ନାମୀ ଦାମୀ କମ୍ପାନି ନାମରେ ପ୍ୟାକିଙ୍ଗ୍ କରାଯାଇ କଟକର ମାଲଗୋଦାମ ଏବଂ ଜିଲ୍ଲାର ଅନ୍ୟ ଅଞ୍ଚଳ ସମେତ ବାହାର ଜିଲ୍ଲାକୁ ପଠାଯାଉଥିଲା।
ତେବେ ଚା’ପତିର ପ୍ରକୃତ ମାନ ପରୀକ୍ଷା ପାଇଁ ଏହାକୁ ଲ୍ୟାବ୍କୁ ପଠାଯାଇଛି। ପରୀକ୍ଷା ପରେ ଚା’ପତିରେ କେଉଁ ସବୁ ନକଲି ସାମଗ୍ରୀ ମିଶାଯାଉଥିଲା ତାହା ଜଣାପଡ଼ିବ। ସେହିପରି ଏହି ଘଟଣାରେ କାରଖାନାର ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି। ତାଙ୍କୁ ପଚରା ଉଚରା କରାଯାଇ ଏହି କାରବାରରେ ଆଉ କାହାର ହାତ ରହିଛି ସେବାବଦରେ ବିସ୍ତୃତ ସୂଚନା ମିଳିପାରିବ ବୋଲି ସଦରଥାନା ଅଧିକାରୀ କହିଛନ୍ତି।








କଟକର ସଦର ଅଞ୍ଚଳରୁ ନକଲି ଚା’ପତି କାରଖାନା ଠାବ।







