ଓଡ଼ିଶାଲାଇଭ ବ୍ୟୁରୋ
ଭୋକର ବିକଳ ଚିତ୍ର। ଖାଦ୍ୟ ଅଭାବ ଯୋଗୁଁ ଜଣେ ୭ ବର୍ଷର ଶିଶୁର ଶରୀର କଙ୍କାଳସାର ପାଲଟିଛି। ୭ ବର୍ଷରେ ଶିଶୁର ଓଜନ ମାତ୍ର ୭ କେଜି ରହିଛି। ମଧ୍ୟପ୍ରାଚ୍ୟ ରାଷ୍ଟ୍ର ୟାମେନର ଏଭଳି ଏକ ଚିତ୍ର ଆସିଛି, ଯାହାପୂରା ବିଶ୍ୱରେ ଏବେ ଆଲୋଡନ ସୃଷ୍ଟି କରିଛି।
ଏହି ଶିଶୁ ହେଉଛି ଫୟଦ ସମିମ। ଖାଦ୍ୟ ଅଭାବ ଯୋଗୁଁ ପିଲାଟି ଅପପୁଷ୍ଟିର ଶିକାର ହୋଇଛି। ଏହାସହିତ ତାକୁ ଏବେ ପକ୍ଷାଘାତ ବି କବଳିତ କରିଛି। ଖବର ସରବରାହ ସଂସ୍ଥା ରାୟଟର୍ସ (Reuters) ଦ୍ୱାରା ଛଡ଼ା ଯାଇଥିବା ଏକ ଭିଡିଓରେ ଏହି ଘଟଣା ସାମ୍ନାକୁ ଆସିଛି।
ରାୟଟର୍ସ ସୂଚନା ମୁତାବକ ୟାମେନର ରାଜଧାନୀ ସନାର ଏକ ହସ୍ପିଟାଲରେ ସମିମର ଚିକିତ୍ସା କରାଯାଉଛି। ହସ୍ପିଟାଲର ଅପପୁଷ୍ଟି ଓ୍ୱାର୍ଡର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ସମିମ ଯେତେବେଳେ ହସ୍ପିଟାଲକୁ ଆସିଥିଲା ସେତେବେଳେ ତା’ର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଜଟିଳ ଥିଲା। ତାକୁ ବଞ୍ଚାଇବା କଷ୍ଟକର ହୋଇ ପଡ଼ିଥିଲା। ହେଲେ ଡାକ୍ତରଙ୍କ ପରିଶ୍ରମ ଫଳରେ ସମିମର ସ୍ୱାସ୍ଥ୍ୟରେ ଏବେ ସାମାନ୍ୟ ସୁଧାର ଆସିଛି।
ବିଶେଷଜ୍ଞଙ୍କ କହିବା ଅନୁସାରେ ୨୦୧୪ରେ ୟାମେନରେ ସରକାର ଓ ଇରାନ ସମର୍ଥିତ ‘ହୁତି’ ବିଦ୍ରୋହୀଙ୍କ ମଧ୍ୟରେ ଚାଲିଥିବା ଗୃହଯୁଦ୍ଧର କୁପରିଣତି ହେଉଛି ଏହି ଅପପୁଷ୍ଟି। କାରଣ ଏହି ଗୃହଯୁଦ୍ଧ ଯୋଗୁଁ ଦେଶରେ ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଛି। ଲୋକେ ସେଠାରେ ଖାଇବାକୁ ବି ପାଉନାହାନ୍ତି। ଯାହାଫଳରେ ସେଠାରେ ଅପପୁଷ୍ଟି ବୃଦ୍ଧି ଘଟିଛି।
୨୦୧୮ ମସିହା ଶେଷ ଆଡ଼କୁ ଜାତିସଂଘ ପକ୍ଷରୁ ୟାମେନରେ ଦୁର୍ଭିକ୍ଷ ଆଶଙ୍କାରେ ଲୋକଙ୍କୁ ରିଲିଫ ଯୋଗାଇବାକୁ ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ସେ ସମୟରେ କରୋନା ଭାଇରସ ପାଇଁ ଏହି ଅଭିଯାନ ଆଗେଇ ପାରିଲା ନାହିଁ। ଫଳରେ ଏବେ କେବଳ ସମିମ ନୁହେଁ ତାଭଳି ଅନେକ ଲୋକଙ୍କ ଶରୀର ଖାଦ୍ୟ ଅଭାବ ଯୋଗୁଁ କଙ୍କାଳସାର ହେଲାଣି।









