ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ଶବର ଠିକଣା ପାଇଛି ପୋଲିସ। ମହିଳାଙ୍କ ନାମ ପୁଷ୍ପଲତା ରାଉଳ। ସେ ମଞ୍ଚେଶ୍ଵରର ଧୀରକୁଟ ବସ୍ତିରେ ରହୁଥିଲେ। ବିବାହ ବିବାଦ ପାଇଁ ତାଙ୍କୁ ହତ୍ୟା କରାଯାଇଥିବ ପୋଲିସ ସ୍ପଷ୍ଟ କରିଛି। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ସଞ୍ଚୟ ରାଉତ ଏବଂ ଶ୍ରୀକାନ୍ତ ଦାଶଙ୍କୁ ଗିରଫ କରିଛି। ଏନେଇ ଗୁରୁବାର ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ଵାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ପୋଲିସ କମିସନରଙ୍କ କହିବା ମୁତାବକ, କଟାମୁଣ୍ଡ ମିଳିଥିବା ମହିଳାଜଣକ ହେଲେ ପୁଷ୍ପଲତା ରାଉଳ। ସେ ମଞ୍ଚେଶ୍ଵରର ଧୀରକୁଟ ବସ୍ତିରେ ରହୁଥିଲେ। ସେ ବିବାହିତ ଥିଲେ। ତାଙ୍କର ଦୁଇଟି ଝିଅ ଅଛନ୍ତି। କିନ୍ତୁ ସ୍ଵାମୀଙ୍କ ମୃତ୍ୟୁ ପରେ ସେ ସଞ୍ଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ ଓ ତାଙ୍କ ସହିତ ରହୁଥିଲେ। ସଞ୍ଜୟଙ୍କ ସହିତ ସମ୍ପର୍କ ଥାଇ ବି ମହିଳା ଜଣକ ଭୁବନେଶ୍ଵର ଚକେଇସିଆଣୀରେ ରହୁଥିବା ଜଣେ ବ୍ୟକ୍ତି ପ୍ରୀତିରଞ୍ଜନଙ୍କୁ ପୁଣି ବିବାହ କରିଥିଲେ।ପ୍ରୀତିରଞ୍ଜନଙ୍କ ସହିତ କୌଣସି କାରଣରୁ ଝଗଡ଼ା ହେବା ପରେ ପୁଷ୍ପଲତା ପୁଣି ସଞ୍ଜୟଙ୍କ ପାଖକୁ ଫେରିଥିଲେ। କିନ୍ତୁ ପୁଷ୍ପଲତାଙ୍କ ବିବାହକୁ ସହଜରେ ସହି ପାରିନଥିଲେ ସଞ୍ଜୟ। ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ପ୍ରତିଶୋଧ ନେବାପାଇଁ ପୁଷ୍ପଲତାଙ୍କୁ ଜୀବନରୁ ମାରିବାକୁ ଯୋଜନା କରିଥିଲେ ସଞ୍ଜୟ। ଫେବ୍ରୁଆରି ୩ ତାରିଖ ବିଳମ୍ବିତ ରାତିରେ ସଞ୍ଜୟ ପୁଷ୍ପଲତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ ପ୍ରମାଣ ଲୁଚାଇବା ପାଇଁ  ମହିଳାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଥିଲା। ମୁଣ୍ଡକୁ ଗୋଟିଏ ସ୍ଥାନରେ ଓ ଶରୀରକୁ ଅନ୍ୟ ଏକ ସ୍ଥାନରେ ଫିଙ୍ଗି ଦେଇଥିଲା ସଞ୍ଜୟ।

ମହିଳାଙ୍କ ପରିଚୟ ଖୋଜିବାରେ ପୋଲିସ ନାକେଦମ୍‌

ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ଚନ୍ଦକା ଅଞ୍ଚଳରୁ ଗତ ଫେବ୍ରୁଆରି ୪ ତାରିଖରେ ଏକ ମହିଳାଙ୍କ ମୃତଦେହ ମିଳିଥିଲା। ଶବଟିରେ ମୁଣ୍ଡ ନ ଥିବା ବେଳେ ଘଟଣାସ୍ଥଳରେ କଟାମୁଣ୍ଡଟି ମଧ୍ୟ ମିଳି ନଥିଲା। ମହିଳାଙ୍କ ପରିଚୟ ଖୋଜିବାକୁ ପୋଲିସ ଲାଗି ପଡ଼ିଥିଲା। ଏମିତିକି ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ପୋଲିସ ମହିଳାଙ୍କ ପରିଚୟ ପାଇବା ପାଇଁ ପୋଷ୍ଟର ଲଗାଇଥିଲା। ଏମିତିକି ଯିଏ ମହିଳାଙ୍କ ପରିଚୟ ଦେବ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ମିଳିବ ବୋଲି ଘୋଷଣା ହୋଇଥିଲା।

ଏହାରି ମଧ୍ୟରେ ମାମଲାର ତଦନ୍ତ କରି ପୋଲିସ ଦୁଇଜଣ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ସେମାନେ ହତ୍ୟା କରିଥିବା ସ୍ଵୀକାର କରିବା ପରେ ଘଟଣାସ୍ଥଳକୁ ନେଇ ସିନ୍ ରି-କ୍ରିଏସନ୍ କରିଥିଲା ପୋଲିସ।

LEAVE A REPLY

Please enter your comment!
Please enter your name here