ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂରେଜ ଶାସନ ସମୟରେ ଭାରତରେ ଏକ ପ୍ରଥା ଥିଲା, କେହି ବି ଭାରତୀୟ ରାଜା ବିଦେଶୀ ଯୁବତୀଙ୍କୁ ବିବାହ କରିପାରିବେ ନାହିଁ। କିନ୍ତୁ ଦକ୍ଷିଣ ଭାରତ ଜଣେ ରାଜା ପ୍ରଥମ ଭାରତୀୟ ଭାବେ ଅଷ୍ଟ୍ରେଲିୟ ଯୁବତୀଙ୍କୁ ବିବାହ କରିଥିଲେ। ସେ ରାଜାଙ୍କ ନାମ ହେଉଛି ମାର୍ତଣ୍ଡ ତୋଣ୍ଡିୟନ ବାହାଦୂର।
ମାର୍ତଣ୍ଡଙ୍କର ଏହି ବିବାହ ପରବର୍ତ୍ତୀ ସମୟରେ ତାଙ୍କୁ ମହଙ୍ଗା ପଡ଼ିଥିଲା। ଏଥିପାଇଁ ତାଙ୍କୁ ରାଜଗାଦି ଛାଡ଼ିବାକୁ ପଡ଼ିବା ସହ ସାରା ଜୀବନ ବିଦେଶରେ ବିତେଇବାକୁ ମଧ୍ୟ ପଡ଼ିଥିଲା। ଇଂରେଜମାନେ ଏହି ବାହାଘରକୁ ବିରୋଧ କରୁଥିଲେ। ସେମାନେ ଚୁାହୁଁ ନଥିଲେ କି କେହିବି ଭାରତୀୟ ରାଜା ବିଦେଶୀ କନ୍ୟାଙ୍କୁ ବିବାହ କରନ୍ତୁ। କାରଣ ସେମାନଙ୍କର ଭାବନା ଥିଲା, ଯଦି ଜଣେ ଇଂରେଜ ଯୁବତୀ ମହାରାଣୀ ହେବେ, ତେବେ ତାଙ୍କଠାରୁ ଜନ୍ମ ନେଇଥିବା ସନ୍ତାନ ଉତ୍ତରାଧିକାରୀର ମାନ୍ୟତା ପାଇବ। ସେହି ଦୃଷ୍ଟିରୁ ସନ୍ତାନ ଜଣଙ୍କ ଇଂରେଜ ଶାସକଙ୍କ ବରାବର ହୋଇଯିବ। ତେଣୁ ରାଜା ପ୍ରଥମେ ଜଣେ ଭାରତୀୟ ଯୁବତୀଙ୍କୁ ବିବାହ କରିବେ, ପରବର୍ତ୍ତୀ ସମୟରେ ଚାହିଁଲେ ଇଂରେଜ ଯୁବତୀଙ୍କୁ ବିବାହ କରିପାରିବେ।
କେମିତି ହୋଇଥିଲା ବାହାଘର?
ଥରେ ରାଜା ମାର୍ତଣ୍ଡ ତୋଣ୍ଡିୟନ ବାହାଦୂର ଅଷ୍ଟ୍ରେଲିଆ ବୁଲିବାକୁ ଯାଇଥିଲେ। ସେଠାରେ ସେ ଏକ ହୋଟେଲରେ ରାତ୍ରୀ ଯାପନ କରିଥିଲେ। ସେହି ହୋଟେଲରେ ତାଙ୍କର ଦେଖା ହୋଇଥିଲା ଅଷ୍ଟ୍ରେଲିଆ କନ୍ୟା ମୌଲି ପିଙ୍କ ଓ ତାଙ୍କ ମାତାଙ୍କ ସହିତ। ସେହିଠାରୁ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମସମ୍ପର୍କ। ପରେ ସେମାନେ ବିବାହ କରିଥିଲେ। କିନ୍ତୁ ନିୟମକୁ ଖିଲାପ କରି ବିବାହ କରିଥିବା କାରଣରୁ ରାଜାଙ୍କୁ ରାଜଗାଦି ଛାଡ଼ି ଫ୍ରାନ୍ସରେ ରହିବାକୁ ପଡ଼ିଥିଲା। କୌଣସି ବି ପରିସ୍ଥିତିରେ ରାଣୀଙ୍କୁ ଛାଡ଼ିବାକୁ ଚାହୁଁ ନଥିଲେ ରାଜା ମାର୍ତଣ୍ଡ।
କିଛିଦିନ ପରେ ରାଣୀ ଗର୍ଭବତୀ ହୋଇଥିଲେ। କିନ୍ତୁ ରାଣୀଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିଲା। ଉତ୍ତରାଧିକାରୀ ଡରରେ ଇଂରେଜମାନେ ଏପରି କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଏ। କିନ୍ତୁ ରାଣୀ ବଞ୍ଚି ଯାଇଥିଲେ। ସେ ପ୍ରଥମ ସନ୍ତାନର ମାଆ ମଧ୍ୟ ହୋଇଥିଲେ। କିନ୍ତୁ ଇଂରେଜମାନେ ବିରୋଧ କରିବା ପରେ ରାଜା ମାର୍ତଣ୍ଡ ବାଧ୍ୟ ହୋଇ ରାଜଗାଦି ପରିତ୍ୟାଗ କରି ବିଦେଶ ପଳେଇଗଲେ।