ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦିନେ ବସ୍ କଣ୍ଡକ୍ଟର ଥିଲେ ସାଉଥ୍ ଫିଲ୍ମର ସୁପରଷ୍ଟାର ରଜନୀକାନ୍ତ। ଏବେ କୋଟି କୋଟି ଟଙ୍କାର ମାଲିକ।
ଦକ୍ଷିଣ ସିନେଜଗତର ସବୁଠାରୁ ଦାମୀ ସୁପର୍ଷ୍ଟାର୍ ହେଲେ ରଜନୀକାନ୍ତ। ବଲିଉଡ୍ରୁ ଆରମ୍ଭ କରି ହଲିଉଡ୍ ଯାଏଁ ସବୁଠି ରଜନୀକାନ୍ତଙ୍କର ଷ୍ଟାଇଲ୍ର ବେଶ୍ ଚର୍ଚ୍ଚିତ। ପରଦା ଉପରେ ସେ ଯେତେ ଲୋକପ୍ରିୟ, ପରଦା ପଛରେ ତାଙ୍କର ଶାନ୍ତ ସରଳ ସ୍ୱଭାବ ପାଇଁ ସେତିକି ପରିଚିତ। ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ବିଜେତା ହୋଇ ମଧ୍ୟ ରଜନୀକାନ୍ତ ତାଙ୍କ ଫ୍ୟାନ୍ମାନଙ୍କ ସହିତ ସାଧାରଣ ବ୍ୟକ୍ତିଙ୍କ ଭଳି ହିଁ ମିଶନ୍ତି।
୭୫୦ ଟଙ୍କାରୁ ୩୦ କୋଟିର ଯାତ୍ରା
୧୬୦ ଅଧିକ ଫିଲ୍ମରେ ଅଭିନୟ କରିଥିବା ରଜନୀକାନ୍ତ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଛନ୍ତି। ଫିଲ୍ମରେ ଆସିବା ପୂର୍ବରୁ ବସ୍ କଣ୍ଟକ୍ଟର ଥିଲେ। ସେତେବେଳେ ତାଙ୍କୁ ଏହି କାମ ଲାଗି ମାସକୁ ମାତ୍ର ୭୫୦ ଟଙ୍କା ମିଳୁଥିଲା। ଏହାପରେ ସେ କନ୍ନଡରେ ଏକ ପୌରାଣିକ କଥାଚିତ୍ରରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ତାଙ୍କୁ ଖଳନାୟକ ଭୂମିକା ମିଳୁଥିଲା। ଏସ୍ପି ମୁଥୁରାମନଙ୍କ ‘ଭୁବନା ଓରୁ କେଲିଭିକ୍କୁର’ ଫିଲ୍ମରେ ସେ ପ୍ରଥମ ଥର ପାଇଁ ସକରାତ୍ମକ ଭୂମିକା ପାଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ସେ ଅଭିନୟ କରିଚାଲିଥିଲେ। ଏବେ କନ୍ନଡ ଫିଲ୍ମ ଜଗତର ସେ ସବୁଠାରୁ ବଡ଼ ଅଭିନେତା। ଗୋଟିଏ ଫିଲ୍ମକୁ ସେ ପ୍ରାୟ ୩୦ କୋଟି ଟଙ୍କା ନିଅନ୍ତି।
‘ଅପୂର୍ବା ରାଗାଙ୍ଗାଲ’ ରୁ ଆରମ୍ଭ ହୁଏ ଫିଲ୍ମ କ୍ୟାରିୟର
୧୯୭୫ ସମିହାର ଏକ କନ୍ନଡ଼ ସିନେମା ‘ଅପୂର୍ବା ରାଗାଙ୍ଗାଲ’ ର ଏକ ସାଇଡ ରୋଲରେ ଅଭିନୟ କରି, ସିନେମା ଜଗତରେ ପାଦ ଥାପିଥିଲେ ସୁପରଷ୍ଟାର ରଜନୀକାନ୍ତ। ସେହିପରି ୧୯୯୫ ମସିହାର ‘ବାସା’ ଚଳଚିତ୍ରରେ ତାଙ୍କ ଚରିତ୍ର ବେଶ୍ ଲୋକ ପ୍ରିୟ ହୋଇଥିଲା, ଆଉ ଏହା ପରେ ଆରମ୍ଭ ହୋଇଥିଲା ତାଙ୍କ ଦବଦବା। କନ୍ନଡ଼ ପରେ ତାମିଲ ଏବଂ ତା‘ପରେ ଆରମ୍ଭ ହୁଏ ବଲିଉଡର ଯାତ୍ରା।
ସେ ପ୍ରମାଣ କରିଥିଲେ ଯେ କେବଳ ସୁନ୍ଦର ଚେହେରାରେ ନୁହେଁ ବରଂ ନିଜ ଅଭିନୟର କୌଶଳରେ ମଧ୍ୟ ଦର୍ଶକ ମାନଙ୍କ ମନ କିଣି ହେବ।
‘ରୋବୋଟ୍’, ‘ଶୀବାଜୀ’, ‘ଥାଲାପାଥି’,‘କାବାଲି’, ‘କାଥା ସଙ୍ଗମ’, ‘ଲିଙ୍ଗା’, ‘ଚନ୍ଦ୍ରମୁଖି’, ‘ରୋବଟ୍ ୨.୦’, ‘ଅରୁଣାଚାଲାମ’, ‘ଧର୍ମା ଦୁରାଇ’, ‘ବୀରା, ବେଲ୍ଲାଇକାରନ ଭଳି ଅନେକ ସୁପରହିଟ୍ ସିନେମା ।
ଏକାଧିକ ପୁରସ୍କାରରେ ହାସଲ କରିଛନ୍ତି ରଜନୀକାନ୍ତ
ତାମିଲ ସିନେମା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଆଓ୍ୱାର୍ଡ ପାଇବା ସହିତ, ଫିଲ୍ମଫେୟାର ଏବଂ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ହାସଲ ହୋଇଛନ୍ତି ସୁପର ଷ୍ଟାର ରଜନୀକାନ୍ତ। ନିଜର ନିକ୍ଷୁଣ ଅଭିନୟ ଏବଂ ସିନେମା ଜଗତରେ ତାଙ୍କ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମଶ୍ରୀ, ୨୦୧୬ ମସିହାରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନ୍ନିତ କରାଯାଇଥିଲା । ଏହା ଛଡ଼ା IFFI ଗୋଲ୍ଡେନ୍ ଜୁବଲୀ ଆଓ୍ୱାର୍ଡ, NTR ନ୍ୟାସନାଲ ଆଓ୍ୱାର୍ଡ ଏବଂ ବର୍ତ୍ତମାନ ଦାଦାସାହେବ ଫାଲକେ ଆଓ୍ୱାର୍ଡରେ ସମ୍ମାନୀତ ହେବାକୁ ଯାଉଛନ୍ତି ସେ।
୧୨ ଡିସେମ୍ବର ୧୯୫୦ ମସିହାରେ ବେଙ୍ଗାଲୁରୁର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ। ତାଙ୍କୁ ମିଶାଇ ପରିବାରରେ ୩ ଭାଇ ଏବଂ ଗୋଟିଏ ଭଉଣୀ ରହୁଥିଲେ। ତାଙ୍କ ବାପାଙ୍କ ଅବସର ପରେ ସେ ୯ ବର୍ଷର ହୋଇଥିବା ବେଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା। ପାଠପଢ଼ା ପରେ ସେ ବିଦ୍ୟାଳୟର ବିଭିନ୍ନ ନାଟକରେ ଅଭିନୟ କରୁଥିଲେ ଯାହା ପରେ ତାଙ୍କୁ ସିନେମାରେ ଅଭିନୟ କରିବା ପାଇଁ ପ୍ରୋତ୍ସାହନ ଦେଇଥିଲା। ସ୍କୁଲ ସରିବା ପରେ ତାଙ୍କୁ ଦିନ ମଜୁରୀରୁ ଆରମ୍ଭ କରି ବସ୍ କଣ୍ଡକ୍ଟର ଭାବରେ କାମ କରିବାକୁ ପଡ଼ିଥିଲା। ପେଟପାଟଣା ପାଇଁ ଦିନେ ମଜୁରୀ କରିଥିବା ରଜନୀକାନ୍ତ ଏବେ କନଡ ସିନେମାର ଗୋଟିଏ ସିନେମାର ପାରିଶ୍ରମିକ ପାଇଁ ୩୦କୋଟି ଟଙ୍କା ନେଉଛନ୍ତି।