ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ପୂର୍ବରୁ, ବାତ୍ୟା ବେଳେ ଓ ବାତ୍ୟା ପରେ କ’ଣ କରିବେ ଓ କିପରି ନିଜକୁ ସୁରକ୍ଷିତ ରଖିବେ।
ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ସମୟରେ ଲୋକ ଭୟଭୀତ ହୋଇଯାଆନ୍ତି। ଆତଙ୍କିତ, ଅଧୈର୍ଯ୍ୟ ହୋଇପଡ଼ନ୍ତି। ଏମିତି ହେବା ଦ୍ୱାରା ଆପଣ ଅଧିକ କ୍ଷତି ସହିପାରନ୍ତି। ତେବେ ବାତ୍ୟା ସମୟରେ କ’ଣ କରିବେ ଓ କେଉଁ ଦିଗ ପ୍ରତି ସତର୍କ ରହିବେ ତାହା ଜାଣିବା ଜରୁରୀ।
ବାତ୍ୟା ପୂର୍ବରୁ…
- ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।
- ଯେହେତୁ ରାଜ୍ୟରେ କରୋନା ସଙ୍କଟ ଟଳି ନାହିଁ, ତେଣୁ ଯଦି ଆପଣ ବାତ୍ୟା ଆଶ୍ରୟସ୍ଥଳରେ ଅଛନ୍ତି କିମ୍ବା ଘରେ ରହିଛନ୍ତି ମୁହଁରେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ।
- ହାତକୁ ସାବୁନରେ ଧୁଅନ୍ତୁ କିମ୍ବା ସାନିଟାଇଜର ବ୍ୟବହାର କରନ୍ତୁ।
- ଜରୁରୀ କାଗଜପତ୍ରକୁ ସୁରକ୍ଷିତ ଭାବେ ରଖନ୍ତୁ। ଯଦି ଗୃହ ପାଳିତ ପଶୁ ଅଛନ୍ତି ସେମାନଙ୍କୁ ବି ସୁରକ୍ଷିତ ସ୍ଥାନକୁ ନିଅନ୍ତୁ।
- ଆବଶ୍ୟକ ଅନୁସାରେ ୪ଦିନ ପାଇଁ ଖାଦ୍ୟ ସାମଗ୍ରୀ ଓ ପାଣି ଗଚ୍ଛିତ କରି ରଖନ୍ତୁ।
- ପାଖରେ ଶୁଖିଲା ଖାଦ୍ୟ, ପିଇବା ପାଣି ରଖନ୍ତୁ। ମେଡିସିନ, ମହମବତୀ, ଟର୍ଚ୍ଚ ଲାଇଟ ରଖିବା ମଧ୍ୟ ଜରୁରୀ।
ବାତ୍ୟା ସମୟରେ…
ବାତ୍ୟା ବା ଭାରି ବର୍ଷା ସମୟରେ ଆପଣ ଆପଣଙ୍କ ପିଲାଙ୍କୁ ନିଜପାଖରେ ରଖନ୍ତୁ। ବାତ୍ୟାକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦିଅନ୍ତୁ। ଯଦି କୁଆଡ଼େ ବାହାରକୁ ଯାଇଛନ୍ତି ତେବେ ଛୋଟ ଛୋଟ ଗଳିକନ୍ଦି ରାସ୍ତାରେ ପଶନ୍ତୁ ନାହିଁ। ଏହି ସମୟରେ ମୋବାଇଲରେ ଚାର୍ଜ ରଖନ୍ତୁ। କାରଣ ଦୂରରେ ରହୁଥିବା ଆପଣଙ୍କ ପ୍ରିୟଜନ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ।
- ବାତ୍ୟା ସମୟରେ ଇଲେକ୍ଟ୍ରିର ମେନ୍ ସୁଇଚ୍ ବନ୍ଦ ରଖନ୍ତୁ।
- ଟର୍ଚ୍ଚ ଲାଇଟ୍ କିମ୍ବା ଲଣ୍ଠନ ବ୍ୟବହାର କରନ୍ତୁ।
- ଯଦି ମହମବତୀ ବ୍ୟବହାର କରୁଛନ୍ତି, ତେବେ ସତର୍କ ରୁହନ୍ତୁ।
- କାଚ ନିର୍ମିତ ଝରକାଠାରୁ ଦୂରେଇ ରୁହନ୍ତୁ।
ବାତ୍ୟା ପରେ…
ବାତ୍ୟା ପରେ ସଙ୍ଗେ ସଙ୍ଗେ ଘରକୁ ଯାଆନ୍ତୁ ନାହିଁ। ଭଙ୍ଗା ବିଦ୍ୟୁତ ଖୁଣ୍ଟ ଓ ତାରଠାରୁ ଦୂରେଇ ରହନ୍ତୁ। ଆଶ୍ରୟ ପାଇଁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ବାଛନ୍ତୁ।

















