ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମୀ ଜାଣନ୍ତୁ, କାହିଁକି ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଗଲା।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମୀ। ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମୀ ଶପଥ ନେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନେବା ପରେ ଶନିବାର ଡେରାଡୁନରେ ଅନୁଷ୍ଠିତ ହୋଇଥିବା ବିଜେପିର ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି।

ତୀରଥ ସିଂହ ରାୱତ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ଆଲୋଚନା କରିବା ପରେ ରାଜ୍ୟପାଳଙ୍କୁ ଭେଟି ଶୁକ୍ରବାର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ସେ ୨୦୨୦ ମାର୍ଚ୍ଚ ୧୦ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସ୍ଥାନରେ ସେ ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ।ପୁଷ୍କର ସିଂହ ଧାମୀ କିଏ?

ପିଥୌରାଗଡ଼ ଜିଲ୍ଲାର ଏକ ଗାଁରେ ଧାମୀଙ୍କ ଜନ୍ମ। ତାଙ୍କ ବାପା ସେନାରେ କାର୍ଯ୍ୟ କରୁଥିଲେ। ଉତ୍ତରାଖଣ୍ଡ ବିଜେପି ଯୁବମୋର୍ଚ୍ଚାର ଅଧ୍ୟକ୍ଷ ଏବଂ ଉତ୍ତରାଖଣ୍ଡର ଖଟିମା ବିଧାନସଭା ଆସନରୁ ଦୁଇ ଥର ବିଧାୟକ ହୋଇଛନ୍ତି ପୁଷ୍କର ସିଂ ଧାମୀ। ଏଥିସହ ସେ ଅଖିଳ ଭାରତ ବିଦ୍ୟା ପରିଷଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି। ଦୀର୍ଘ ସମୟ ଧରି ଛାତ୍ର ରାଜନୀତିରେ ରହିବା ପରେ ସେ ଉତ୍ତରପ୍ରଦେଶ ରାଜନୀତିରେ ପ୍ରବେଶ କରିଥିଲେ। ଧାମୀ ହେଉଛନ୍ତି ଏଭଳି ଜଣେ ବିଧାୟକ ଯିଏ ସିଧାସଳଖ ମୁଖ୍ୟମନ୍ତ୍ରୀ ହେବେ।ଧାମୀଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଗଲା?

ପୁଷ୍କର ସିଂ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରିବାର ସବୁଠାରୁ ବଡ କାରଣ ହେଉଛି ଯୁବବର୍ଗଙ୍କ ମଧ୍ୟରେ ତାଙ୍କର ଭଲ ପ୍ରଦର୍ଶନ ରହିଆସିଛି। ସେ ସବୁବେଳେ ଯୁବବର୍ଗଙ୍କ ପାଇଁ ସ୍ୱର ଉଠାଇଛନ୍ତି ଏବଂ ସେମାନଙ୍କୁ ରୋଜଗାର କିଭଳି ଯୋଗାଇ ଦିଆଯିବ, ସେନେଇ ଆନ୍ଦୋଳନ ମଧ୍ୟ କରିଛନ୍ତି। ଏଥିସହ ଧାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଗବତ ସିଂ କୌଶାରିଙ୍କ ଅତି ନିକଟତର ବୋଲି ଚର୍ଚ୍ଚା ହୁଏ।କେବଳ ଏତିକି ନୁହେଁ ପୂର୍ବତନ ରାଜ୍ୟ ସଭାପତି ତଥା ନୈନିତାଲ ସାଂସଦ ଅଜୟ ଭଟ୍ଟଙ୍କ ସହ ମଧ୍ୟ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ଆରଏସଏସ ସହ ଯୋଡ଼ି ହୋଇ ଅନେକ କାମ କରିବା ଏବଂ କରୋନା କାଳରେ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ ସହଯୋଗର ହାତ ମଧ୍ୟ ବଢ଼ାଇଛନ୍ତି ପୁଷ୍କର ସିଂ ଧାମୀ। ଏହିସବୁ ପ୍ରମୁଖ କାରଣ ଯୋଗୁଁ ପୁଷ୍କର ସିଂ, ବିଧାୟକ ପଦରୁ ସିଧା ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଇପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

Comment