ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପୁଷ୍କର ସିଂହ ଧାମି। ଡେରାଡୁନର ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଧାମି ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଉତ୍ତରାଖଣ୍ଡର ବିକାଶ ପାଇଁ ଆମେ କାମ କରିବୁ ବୋଲି ଏହି ଅବସରରେ କହିଛନ୍ତି ଧାମି।

ଶପଥ ଗ୍ରହଣ ପରେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ନେତା। ଗତ ୫ ବର୍ଷ ମଧ୍ୟରେ ଉତ୍ତରାଖଣ୍ଡର ବିକାଶ ଦ୍ରୁତଗତିରେ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଲୋକଙ୍କ ଆଶା ଅନୁସାରେ ଉତ୍ତରାଖଣ୍ଡର ବିକାଶ ଧାରାକୁ ଆଗେଇ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ।

ବୁଧବାର ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ଏହି ମନ୍ତ୍ରୀମାନେ ହେଲେ ଗଣେଶ ଜୋଶୀ, ରେଖା ଆର୍ଯ୍ୟ, ସୁବୋଧ ଉନିୟାଲ, ପ୍ରେମଚନ୍ଦ୍ର ଅଗ୍ରୱାଲ, ସୌରଭ ବହୁଗୁଣା, ସତପାଲ ମହାରାଜ, ଧନ ସିଂହ ରାୱତ ଓ ଚନ୍ଦନ ରାମଦାସ।

Tags: #Election #AssemblyElection #AssemblyEletion2022 #UttarakhandElection #UttarakhandCM #CMPuskarSinghDhami

Comment