ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାତି ପାହିଲେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ତୃତୀୟ ପର୍ଯ୍ୟାୟରେ ଦେଖିବାକୁ ମିଳିବ ହାଇପ୍ରୋଫାଇଲ ଫାଇଟ। ମଇଦାନରେ ଅଛନ୍ତି ବିଭିନ୍ନ ଦଳର ହେଭିଓ୍ଵେଟ୍। କିଏ ଜିତିବ, କାହାକୁ ପରାଜୟର ମୁହିଁ ଦେଖିବାକୁ ପଡ଼ିବ ତା’ ଉପରେ ରହିଛି ସମସ୍ତଙ୍କ ନଜର।

ଶନିବାର ଦିନ ରାଜଧାନୀ ଭୁବନେଶ୍ଵର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଏବଂ କେନ୍ଦୁଝର ସଂସଦୀୟ କ୍ଷେତ୍ର ସହ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ମଇଦାନରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ପ୍ରଣବ ପ୍ରକାଶ ଦାସ, ଅପରାଜିତା ଷଡ଼ଙ୍ଗୀ, ଭର୍ତ୍ତୃହରି ମହତାବଙ୍କ ପରି ହେଭିଓ୍ଵେଟ୍ ନେତା। ସବୁ ଆସନରେ ବିଜେଡି-ବିଜେପି ମଧ୍ୟରେ ଦେଖିବାକୁ ମିଳିବ ସିଧାସଳଖ ଲଢ଼େଇ। ଦୁଇ ଦଳର ଟାଣୁଆ ନେତା ନିର୍ବାଚନ ଲଢ଼ୁଥିବାରୁ ଏଥର ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ସମ୍ବଲପୁର ଲୋକସଭା ଆସନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର କଡ଼ା ମୁକାବିଲା ହେବ। ଏହି ନିର୍ବାଚନର ଫଳାଫଳ ଉଭୟ ନେତାଙ୍କ ପଲିଟିକାଲ କ୍ୟାରିୟର ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ରାଜନୀତି ପଣ୍ଡିତମାନଙ୍କ ମତ।

ଭୁବନେଶ୍ଵର ଲୋକସଭା ଆସନରେ ଅପରାଜିତା ଷଡ଼ଙ୍ଗୀ, କଟକରେ ୬ ଥରର ସାଂସଦ ଭର୍ତ୍ତୃହରି ମହତାବ, ପୁରୀରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ ଅରୂପ ପଟ୍ଟନାୟକଙ୍କ ପାଇଁ ଚଳିତ ନିର୍ବାଚନ ସମ୍ମାନର ଲଢ଼େଇ ହେବ। ଭୁବନେଶ୍ଵର, ପୁରୀ, କଟକ ଭଳି ହାଇପ୍ରୋଫାଇଲ ଆସନରେ ବହୁ ବରିଷ୍ଠ ନେତାଙ୍କ ସହ ନବାଗତ ନେତାଙ୍କର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିବ।

ସେହିପରି ବିଧାନସଭା ଲଢ଼େଇରେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଜୟନାରାୟଣ ମିଶ୍ର, ଅରୁଣ କୁମାର ସାହୁ, ସଞ୍ଜୟ ଦାସବର୍ମା, ପ୍ରଶାନ୍ତ ଜଗଦେବ, ବଦ୍ରିନାରାୟଣ ପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ସୋଫିଆ ଫିରଦୋସ ଓ ଉପାସନା ମହାପାତ୍ର ପ୍ରମୁଖଙ୍କର ଭାଗ୍ୟ ପରୀକ୍ଷା। ତେବେ କାହାକୁ ମିଳିବ ଭୋଟରଙ୍କ ସମର୍ଥନ ତାହା ଆସନ୍ତା ଜୁନ ୪ ତାରିଖରେ ସ୍ପଷ୍ଟ ହୋଇଯିବ।  

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାର ସକାଳ ୭ରୁ ୫ ମଧ୍ୟରେ ମତଦାନ କରିବେ ଭୋଟର। ସ୍ୱଚ୍ଛ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବାବେଳେ ୱେବ କାଷ୍ଟିଂ ଜରିଆରେ ସମ୍ବେଦନଶୀଳ ବୁଥଗୁଡ଼ିକ ଉପରେ ନଜର ରଖାଯାଇଛି।

୬୪ ଜଣ ସାଂସଦ ପ୍ରାର୍ଥୀ ଏବଂ ୩୮୩ ବିଧାୟକ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ତୃତୀୟ ପର୍ଯ୍ୟାୟରେ ୧୦ ହଜାର ୫୫୧ଟି ବୁଥ୍ ହୋଇଥିବାବେଳେ ୨୦ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି।

ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୯୪ ଲକ୍ଷ ୪୮ ହଜାର ଭୋଟର ମତ ସାବ୍ୟସ୍ତ କରିବେ।

Tags: #Politics #OdishaPolitics #GeneralElection2024 #LokSabhaElection #AssemblyElection #Odisha #PoliticalFight

LEAVE A REPLY

Please enter your comment!
Please enter your name here