ଓଡ଼ିଶାଲାଇଭ୍ ବ୍ୟୁରୋ

ବିଗତ କିଛି ଦିନ ଧରି ଭାରତର ତୈଳ କମ୍ପାନିମାନେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି କରିଚାଲିଛନ୍ତି। ଗୋଟିଏ ପଟେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷପତ୍ରର ଦରକୁ ନେଇ ସାଧାରଣ ଜନତା ମହଙ୍ଗା ମାଡର ଶିକାର ହେଉଥିବାବେଳେ ଏଣେ ତୈଳ କମ୍ପାନିମାନେ ଅଧିକା ବୋଝ ଲଦି ଚାଲିଛନ୍ତି।

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ କୋଲକାତା ଆଦି ବଡ଼ ବଡ଼ ମେଟ୍ରୋ ସହରରେ ପେଟ୍ରୋଲ ଓ ଡ଼ିଜେଲ ଦାମ୍ ଲଗାତାର ବଢ଼ି ଚାଲିଛି। ଶନିବାର ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧିପରେ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ଟଙ୍କା ପାର୍ କରିଛି। କିଛି ସହରରେ ଏହା ୧୦୫ଟଙ୍କା ଛୁଇଁଥିବା ଜଣାପଡିଛି।  ଅନେକ ସହରରେ ଡିଜେଲ ବି ଶତକ ମାରି ସାରିଛି।ଉଲ୍ଲେଖ କରାଯାଇପାରେ ଯେ, ମେ’ ମାସରୁ ଜୁଲାଇ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ପାଖାପାଖି ୧୦ଟଙ୍କା ବୃଦ୍ଧି ହୋଇଛି। ଏହାସହ ଡିଜେଲ ଲିଟର ପିଛା ବି ଗତ  ୬୦ଦିନ ମଧ୍ୟରେ ୮.୬୩ ପଇସା ବୃଦ୍ଧି ହୋଇଛି। ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବିଶେଷ ବୃଦ୍ଧି ଘଟିନଥିଲେ ବି ଭାରତରେ କାହିଁକି ଅହେତୁକ ଭାବେ ତୈଳଦର ବୃଦ୍ଧି କରାଯାଉଛି ସେନେଇ ସରକାର ନା ତୈଳ କମ୍ପାନି କେହି  ଉପଭୋକ୍ତାଙ୍କୁ ପ୍ରକୃତ  କାରଣ କହିବାକୁ ପ୍ରସ୍ତୁତ ନୁହଁନ୍ତି।

କିଛି ଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଲ ଦର ବୃଦ୍ଧି ନେଇ ସାମ୍ବାଦିକଙ୍କ ସହ କଥାବାର୍ତ୍ତାବେଳେ କହିଥିଲେ ଯେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୦ଡଲାର ବୃଦ୍ଧି ପାଇଛି ଆଉ ସେହି କାରଣରୁ ଏଠି ତେଲ ଦର ଉପରେ ତାହାର ପ୍ରଭାବ ପଡିଛି। ଭାରତ ସରକାର ବିଦେଶରୁ ମୋଟ ଚାହିଦାର ୭୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରିଥାନ୍ତି ବୋଲି ମନ୍ତ୍ରୀ  ପ୍ରଧାନ କହିଥିଲେ।ଏହା ସତ ଯେ ଆନ୍ତର୍ଜାତିକ ବଜାରରେ ତୈଳ ଦରର ଚଢ଼ା ଉତୁରା ସହ ଦେଶର ତିନି ତେଲ କମ୍ପାନି ତୈଳର ଦୈନିକ ଦର ସ୍ଥିର କରିଥାନ୍ତି। ତେବେ ଚଳିତ ପର୍ଯ୍ୟାୟ ତୈଳ ଦର ବୃଦ୍ଧି ପଛରେ ବର୍ଦ୍ଧିତ ଚାହିଦା ବି ଏକ କାରଣ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଅନେକ ରାଜ୍ୟରେ ଲକଡାଉନ୍ ଶେଷ ହେବା ପରେ ଅର୍ଥନୈତିକ ଗତିବିଧି ଆରମ୍ଭ ହୋଇଛି। ସେ ଯାହାହେଉ, ତେଲ ଦର ନିୟନ୍ତ୍ରଣ ଭିତରକୁ ଆଣିବା ସହ ଖାଉଟିଙ୍କୁ ଏହି ଦୁଃସ୍ଥିତିରୁ ମୁକୁଳାଇବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ।

LEAVE A REPLY

Please enter your comment!
Please enter your name here