ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିବାଦ କରି ଆଜିଠାରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛି ଓଡ଼ିଶା କଂଗ୍ରେସ। ପୂର୍ବରୁ କଂଗ୍ରେସର ହୋଇଥିବା ଏକ ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଦଳ ପକ୍ଷରୁ ଜୁଲାଇ ୭ରୁ ୧୭ ପର୍ଯ୍ୟନ୍ତ ଦଶ ଦିନ ଧରି ସମଗ୍ର ରାଜ୍ୟରେ ବିକ୍ଷୋଭ କରାଯିବ। ବୁଧବାର କଂଗ୍ରେସ କର୍ମୀମାନେ ସମସ୍ତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଓ ୯ ତାରିଖରେ ସବୁ ବ୍ଲକ ସାମ୍ନାରେ ପ୍ରତିବାଦ କରିବେ। ତେଣେ ଜୁଲାଇ ୧୫ ତାରିଖ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ସହିତ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଦଶ ଦିନ ଧରି  ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବା ପଛରେ ଯେଉଁ ଯୁକ୍ତି ରହିଛି ତାହା ଅକାଟ୍ୟ। ଗୋଟିଏ ଦିନ ଓଡ଼ିଶାବାସୀ ସ୍ୱତଃପୂର୍ତ୍ ଭାବେ ସାମିଲ ହୋଇ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନକିଣିବାକୁ ପିସିସି ସଭାପତି  ଯେଉଁ ଅନୁରୋଧ କରିଛନ୍ତି ତାହା ନିଶ୍ଚିତ ଭାବରେ ଏକ ଅଭିନବ ଆହ୍ୱାନ। ପିସିସି ସଭାପତିଙ୍କ କହିବା ଅନୁଯାୟୀ ଦଳର କର୍ମୀମାନେ ଏଥିପାଇଁ କାହାକୁ ବାଧ୍ୟ କରିବେ ନାହିଁ। କୌଣସି ସ୍ଥାନରେ ପିକେଟିଂ କରିବେ ନାହିଁ କି ପେଟ୍ରୋଲ ପମ୍ପ ଆଗରେ ଛିଡ଼ା ହେବେ ନାହିଁ।

କଂଗ୍ରେସ କେବଳ ରାଜ୍ୟବାସୀଙ୍କୁ ନିବେଦନ କରିବ ଯେ, ଯେଉଁମାନେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି କିଣୁଛନ୍ତି, ସେମାନେ ସେହି ଗୋଟିଏ ଦିନ କିଣନ୍ତୁ ନାହିଁ। ତା’ହେଲେ ହୁଏତ ଏହାର କିଛି ପ୍ରଭାବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପଡ଼ିବ।ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ୧୪ତାରିଖରେ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ନେତା ଓ କର୍ମୀ ପ୍ରତିବାଦ କରିବେ। ୧୭ତାରିଖରେ ପ୍ରତ୍ୟେକ ପେଟ୍ରୋଲ ପମ୍ପ ସାମ୍ନାରେ ସାଧାରଣ ଲୋକଙ୍କଠାରୁ ଦସ୍ତଖତ ଗ୍ରହଣ କରାଯିବ ଏବଂ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦିର ଦର ହ୍ରାସ କରାଯାଉ ବୋଲି ଏକ ସ୍ମାରକପତ୍ର  କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ।ନିରଞ୍ଜନ ପଟ୍ଟନାୟକଙ୍କ କହିବା କଥା  ଯେ  କଟକ, ଭୁବନେଶ୍ୱର, ମାଲକାନଗିରି, ସମ୍ବଲପୁର ଓ ବାଲେଶ୍ୱର ଆଦି ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୦୦ଟଙ୍କା ଅତିକ୍ରମ କରିସାରିଛି। ଏହାର କାରଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଜେଲ ଓ ପେଟ୍ରୋଲ ଉପରେ ଅଧିକା ଟିକସ ବସାଯାଇଛି। କରୋନା ମହାମାରୀ ଯୋଗୁଁ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବାବେଳେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କୋରଡ଼ା ମାଡ଼ ବୋଲି ସେ ଅଭିହିତ କରିଛନ୍ତି।ପିସିସି ସଭାପତି ଯୁକ୍ତି ଦର୍ଶାଇଛନ୍ତି ଯେ ୨୦୧୩ମସିହାରେ ୟୁପିଏ ସରକାର ଥିବା ସମୟରେ ପେଟ୍ରୋଲ ୭୪ଟଙ୍କା ଓ ଡିଜେଲ ୬୭ଟଙ୍କାରେ ବିକ୍ରି ହେଉଥିଲା, ଯେତେବେଳେ କି ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୩ଡଲାର ରହିଥିଲା। ଏବେ ଏହି ଦର ୭୫ଡଲାରକୁ ଖସି ଯାଇଥିବାବେଳେ କେନ୍ଦ୍ର ସରକାର ଦର  ଲଗାତାର ବୃଦ୍ଧି କରି ଚାଲିଛନ୍ତି।

Comment