ଓଡ଼ିଶାଲାଇଭ୍ ବ୍ୟୁରୋ

ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବାକୁ ନେଇ ସମଗ୍ର ଭାରତରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ପ୍ରତିବାଦ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଏନେଇ ବିରୋଧୀଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଛି। ସୋମବାର କଂଗ୍ରେସ ବିଧାୟକମାନେ ଗୃହରେ କଳା ପୋଷାକ ପିନ୍ଧି ପ୍ରତିବାଦ କରିଥିଲେ। ଏହାପରେ ସେମାନେ ଗୃହରୁ ବାହାରି ରାଜଭବନ ଅଭିମୁଖେ ପଦଯାତ୍ରା କରିଥିଲେ। ଏଥିରେ କଂଗ୍ରେସ ବିଧାୟକଙ୍କ ସହ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସାମିଲ ହୋଇଥିଲେ। ଏହାପରେ ସେମାନେ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ସ୍ମାରକପତ୍ର ଦେଇଥିଲେ।

ସୋମବାର କଂଗ୍ରେସର ସମସ୍ତ ବିଧାୟକ କଳା ପୋଷାକ ପିନ୍ଧି ବିଧାନସଭାକୁ ଆସିଥିଲେ। ସେମାନେ ଗୃହରେ ବାଚସ୍ପତିଙ୍କ ପୋଡିୟମ ତଳେ ଠିଆ ହୋଇ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରିଥିଲେ। କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ପ୍ରଶ୍ନକାଳ ଚାଲିପାରିନଥିଲା। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ମୁଲତବି ଘୋଷଣା କରିଥିଲେ।

ଏହାପରେ କଂଗ୍ରେସ ବିଧାୟକମାନେ ବିଧାନସଭାରୁ ରାଜଭବନ ଅଭିମୁଖେ ପଦଯାତ୍ରା କରିଥିଲେ। ଏଥିରେ ପିସିସି ସଭାପତିଙ୍କ ସହ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ତାରା ବାହିନୀପତି, ସୁର ରାଉତରାୟ ଓ କଂଗ୍ରେସର ଅନ୍ୟ ନେତାମାନେ ସାମିଲ ହୋଇଥିଲେ। ଏହାଛଡ଼ା ଏହି ପଦଯାତ୍ରାରେ ସିପିଆଇଏମ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ସାମିଲ ହୋଇଥିଲେ।

“ଭାରତବର୍ଷରେ ଆଜି ଗଣତନ୍ତ୍ରର ହତ୍ୟା ହୋଇଛି। କେନ୍ଦ୍ର ସରକାର ସୁନିୟୋଜିତ ଷଡ଼ଯନ୍ତ୍ର କରି ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି। ଆଜି ତାହାର ପ୍ରତିବାଦ ସାରା ଦେଶରେ ହେଉଛି। ସରକାର ଯେପର୍ଯ୍ୟନ୍ତ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ ନ କରନ୍ତି ସେ ଯାଏଁ ଆମ ଆନ୍ଦୋଳନ ଜାରି ରହିବ”, କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।

ସୋମବାର ଓଡ଼ିଶା କଂଗ୍ରେସ ତରଫରୁ ଓଡ଼ିଶାର ବିଭିନ୍ନ ସହରରେ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ କର୍ମକର୍ତ୍ତାମାନେ ନାରାବାଜି କରିଥିଲେ। କଂଗ୍ରେସର ଜିଲ୍ଲାସ୍ତରୀୟ ନେତାମାନେ ଏହି ବିରୋଧ ପ୍ରଦର୍ଶନର ନେତୃତ୍ଵ ନେଇଥିଲେ।

Tags: #RahulGandhi #OppositionParties #OdishaCongress #Demonstration

Comment