ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ  

କିଏ ଧରିବ ଓଡ଼ିଶା କଂଗ୍ରେସର ମଙ୍ଗ? ହାଇକମାଣ୍ଡ ନୂଆ ତଥା ଯୁବ ଚେହେରାଙ୍କ ଉପରେ ଭରସା କରିବେ ନା ପୁରୁଖା ନେତାଙ୍କ ମୁଣ୍ଡରେ ପାଗ ଭିଡ଼ିବେ ତାହା ହିଁ ଏବେ ଚର୍ଚ୍ଚାର ବିଷୟ।  

ପିସିସି ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। କିଛି ନେତା ବିଧାୟକ ଦଳ ନେତାଙ୍କ ଭିତରୁ ଜଣକୁ ପିସିସି ଗାଦିରେ ବସାଇବାକୁ କହୁଥିବା ବେଳେ ଆଉ କିଛି ନେତା ବିଧାୟକ ଦଳ ବାହାରୁ ସଭାପତି ବାଛିବାକୁ ଲବି କରୁଛନ୍ତି। ତେଣୁ ନିରଞ୍ଜନ ପଟ୍ଟନାୟକ ସଭାପତି ପଦରୁ ହଟିବା ପରେ କାହା କାନ୍ଧରେ ହାଇକମାଣ୍ଡ ଏହି ଗୁରୁତ୍ୱପୂର୍ଣ୍ଣ ଭାର ରଖିବେ ତାକୁ ହିଁ ସମସ୍ତେ ଉତ୍ସୁକତାର ସହ ଚାହିଁ ରହିଛନ୍ତି।  କ୍ଷମତା ଲଢ଼େଇ ପ୍ରଦେଶ କଂଗ୍ରେସର ଏକ ପୁରୁଣା ରୋଗ। ପଦବୀ ଲଢ଼େଇରେ ରାଜ୍ୟ କଂଗ୍ରେସ ରସାତଳକୁ ଗଲାଣି, କିନ୍ତୁ ନେତାଙ୍କୁ କିଛି ଫରକ ନାହିଁ। ଏବେ ପୁଣି ଚାଲିଛି ସଭାପତି ହଟାଅ ନାରା। ନିରଞ୍ଜନ ଗଲେ କିଏ ହେବ ତାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଏ ନିରଞ୍ଜନ ହଟାଅ ନାରା ଭାରି ଜୋର ଦେଉଛନ୍ତି ତାରାପ୍ରସାଦ ବାହିନୀପତି। କିନ୍ତୁ ସେ ନିଜ ପାଇଁ କହୁନାହାନ୍ତି, ତାଙ୍କ ଦାବି ହେଲା କଟକ ବିଧାୟକ ମହମ୍ମଦ ମୋକିମ ପିସିସି ସଭାପତି ହୁଅନ୍ତୁ। କଂଗ୍ରେସ ବିଧାୟକ ଦଳ ନେତା ବି ପଦରୁ ହଟନ୍ତୁ ବୋଲି ସନ୍ତୋଷ ସଂ ସାଲୁଜା ଦାବି କରୁଛନ୍ତି। ସେପଟେ ଦଳର ଆଦିବାସୀ ଚେହେରା ବୋଲି କୁହାଯାଉଥିବା ପ୍ରଦୀପ ମାଝି ବିଜେଡିରେ ମିଶିବା ପରେ ଦଳର ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ବି ଦିଲ୍ଲୀରେ ନିଜର ଲବି ଚଳାଇଛନ୍ତି। ଏପଟେ ଶରତ ପଟ୍ଟନାୟକ ଓ ଭକ୍ତ ଦାସ ବି ଚର୍ଚ୍ଚାରେ ରହିଛନ୍ତି।

ଗତ ୨୦ ବର୍ଷ ଭିତରେ ୯ ଜଣ ପିସିସି ସଭାପତି ହୋଇଛନ୍ତି। ଦଳ ଦିନକୁ ଦିନ ଦୁର୍ବଳ ହୋଇଛି। ବିଧାନସଭାରେ ଆସନ ସଂଖ୍ୟା କମିଛି। ଲୋକସଭା ଆସନ ହରାଇବାରେ ଲାଗିଛି। ଏପରିକି ପଞ୍ଚାୟତ ଓ ପୌର ନିର୍ବାଚନରେ ବି ଅତି ଶୋଚନୀୟ ପ୍ରଦର୍ଶନ ଦେଖାଇଛି ଦଳ। ଏଠାରେ ପ୍ରଶ୍ନ ଉଠୁଛି ସଭାପତି ବଦଳିଲେ ଦଳର କଣ ଫାଇଦା ହେବ? ୨୦୦୦ ମସିହାକୁ ଯଦି ଗୋଟେ ଆଧାର ବର୍ଷ ଭାବେ ଗ୍ରହଣ କରାଯାଏ ତାହାଲେ ସେବେଠାରୁ କଂଗ୍ରେସର କେବଳ ପତନ ଘଟିବାରେ ଲାଗିଛି।  

୨୦୦୦ରୁ ୨୦୦୧ ଯାଏଁ କଂଗ୍ରେସ ଚାଣକ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ପିସିସି ସଭାପତି ଥିଲେ। ୧୯୯୯ ମହାବାତ୍ୟା ପରେ ୨୦୦୦ରେ ପ୍ରଥମ ନିର୍ବାଚନ ହୋଇଥିଲା। ଗୋଟିଏପଟେ ଗମାଙ୍ଗ ସରକାରଙ୍କ ମହାବାତ୍ୟା ପରିଚାଳନାରେ ବିଫଳତା ବୋଝ ଏବଂ ସେପଟେ ଅଞ୍ଜନା ମିଶ୍ର ଦୁଷ୍କର୍ମ ମାମଲାରେ ଜାନକୀ ସରକାର ବଦନାମ ହୋଇଥିଲା। ବିଜେଡି ଓ ବିଜେପି ମେଣ୍ଟ ସରକାର କରିଥିଲେ ମଧ୍ୟ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ପାଇଥିଲା।

ହେଲେ କଂଗ୍ରେସର ପରାଜୟ ପର୍ବ ୨୦୦୦ ମସିହାରୁ ହିଁ ଆରମ୍ଭ ହୋଇଯାଇଥିଲା। ୨୦୦୦ ପରଠାରୁ କଂଗ୍ରେସ କେବେ ନିର୍ବାଚନ ଜିତିନି। ଏମିତି ପରିସ୍ଥିତି ହୋଇଛି ଯେ, ୨୦୧୯ ନିର୍ବାଚନରେ ଦଳ ବିରୋଧୀ ଦଳ ମାନ୍ୟତା ବି ହରାଇଛି। ବିଜେପି ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବା ସହ ବିରୋଧୀ ଦଳର ମାନ୍ୟତା ପାଇଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବି କଂଗ୍ରେସ ବହୁତ ଖରାପ ପ୍ରଦର୍ଶନ କରିଛି।  ୨୦୦୦ରୁ ୨୦୨୨ – ଏହା ଭିତରେ ୨୨ ବର୍ଷ ଅତିକ୍ରାନ୍ତ ହୋଇ ସାରିଲାଣି। ହେଲେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ କମିବା ବଦଳରେ ବଢ଼ି ଚାଲିଛି। ୨୦୦୦ରେ ପ୍ରଥମେ ଜାନକୀ ବଲ୍ଲଭ ପଟ୍ଟନାୟକ ପିସିସି ସଭାପତି ଥିଲେ। ଏହା ପରେ କଂଗ୍ରେସର ଗୋଟେ ଗୋଷ୍ଠୀ ଜାନକୀ ହଟାଅ ଅଭିଯାନରେ ସଫଳ ହୋଇଥିଲେ। ପରେ ଶରତ ପଟ୍ଟନାୟକ ପିସିସି ସଭାପତି ହୋଇଥିଲେ। ସେ ହଟିବା ପରେ ପୁଣି ସଭାପତି ହୋଇଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ।

ଜାନକୀଙ୍କ ପରେ କଂଗ୍ରେସର ମଙ୍ଗ ଧରିଥିଲେ ଜୟଦେବ ଜେନା। ହେଲେ ପଟ୍ଟନାୟକ ଓ ଜେନାଙ୍କ ଭିତରେ ଫାଇଟ୍‌ ଚାଲିବାରୁ ସଭାପତି ପଦ ନିରଞ୍ଜନ ପଟ୍ଟନାୟକଙ୍କ ହାତକୁ ଚାଲି ଯାଇଥିଲା। ପରେ ନିରଞ୍ଜନଙ୍କୁ ହଟାଇ ପୁଣି ଜୟଦେବ ଜେନା ପିସିସି ସଭାପତି ହୋଇଥିଲେ। ତାଙ୍କ ପରେ କେପି ସିଂହଦେଓ, ପ୍ରସାଦ ହରିଚନ୍ଦନ ପୁଣି ନିରଞ୍ଜନ ପଟ୍ଟନାୟକ ସଭାପତି ହୋଇଛନ୍ତି। ସବୁଥର ଗୋଟେ ବିରୋଧୀ ଗୋଷ୍ଠୀ ଦିଲ୍ଲୀ ଯାଇ ସଭାପତିଙ୍କୁ ହଟାଇବାରେ ସଫଳ ହୋଇଛନ୍ତି। ଏଥିରେ ନେତାମାନଙ୍କ ଜିଦ୍ ରହିଛି କିନ୍ତୁ କଂଗ୍ରେସର କିଛି ଫାଇଦା ହୋଇନି। ୩ ବର୍ଷ ହେଲା ନିରଞ୍ଜନ  ସଭାପତି ପଦ ଛାଡ଼ିଥିଲେ ମଧ୍ୟ ଦଳ ଗ୍ରହଣ କରିନି। ଏଠାରେ ସ୍ୱାଭାବିକ ଭାବେ କଂଗ୍ରେସର ନେତୃତ୍ୱ ପ୍ରତି ଲୋକଙ୍କ ଆସ୍ଥା କମିଛି।  ଖାଲି ଓଡ଼ିଶା ନୁହେଁ ଅନେକ ରାଜ୍ୟରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳ ଖରାପ ପ୍ରଦର୍ଶନ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରାଜ୍ୟ ହାତରୁ ଖସିଯିବା ପରେ ଏବେ ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନୂଆ ସମୀକରଣ ନେଇ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। କେମିତି ଦଳର ସ୍ଥିତି ସୁଧାରି ହେବ ସେନେଇ ଏକାଧିକ ବିନ୍ଦୁ ଉପରେ ଆଲୋଚନା କରିଛନ୍ତି। ସୋନିଆ, ରାହୁଲ କିମ୍ବା ପ୍ରିୟଙ୍କା କେହି ଦଳର ସଭାପତି ହେବେନାହିଁ। ଗାନ୍ଧୀ ପରିବାର ବାହାରୁ ଜଣକୁ ନେତା ଭାବେ ବାଛିବାକୁ ସେ ସର୍ତ୍ତ ରଖିଛନ୍ତି। ସେହିପରି ବିଭିନ୍ନ ରାଜ୍ୟରେ ବରିଷ୍ଠ ନେତାଙ୍କୁ ପିସିସି ସଭାପତି ଦାୟିତ୍ୱ ଦେବା ସପକ୍ଷରେ ଅଛନ୍ତି ପ୍ରଶାନ୍ତ କିଶୋର। କିନ୍ତୁ ଓଡ଼ିଶାର କଂଗ୍ରେସ ବିଧାୟକମାନେ ଦାବି କରୁଛନ୍ତି ଯେ ବିଧାୟକଙ୍କ ଭିତରୁ ଜଣେ ହିଁ ପିସିସି ସଭାପତି ହୁଅନ୍ତୁ। ଏ ଦାବି ପ୍ରଶାନ୍ତଙ୍କ ରଣନୀତିକୁ ବଦଳାଇ ପାରୁଛି କି ନାହିଁ ତାହା ଭବିଷ୍ୟତରେ ଜଣାପଡ଼ିବ। କିନ୍ତୁ ଏ ପରିସ୍ଥିତିରେ ଜାତୀୟ କଂଗ୍ରେସର ଉଦ୍ଧାର ପାଇଁ ପ୍ରଶାନ୍ତଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର। କଂଗ୍ରେସର ପୁନର୍ଜନ୍ମ ପାଇଁ ପ୍ରଶାନ୍ତଙ୍କ ପାଖରେ କଣ ଯୋଜନା ରହିଛି? ଏକଥା ନା କଂଗ୍ରେସ ପ୍ରକାଶ କରିଛି ନା ପ୍ରଶାନ୍ତ? କିନ୍ତୁ କଂଗ୍ରେସରେ ପ୍ରଶାନ୍ତ ଯୋଗଦେଉଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଏହା ସହିତ ପ୍ରଶାନ୍ତଙ୍କ ଫର୍ମୁଲାକୁ ଡିକୋଡ୍ କରିବାକୁ ଚେଷ୍ଟା କରୁଛନ୍ତି କିଛି ବରିଷ୍ଠ ସାମ୍ବାଦିକ ଓ ରାଜନୀତି ସମୀକ୍ଷକ।  ଗତ ୧୫ ଦିନ ଭିତରେ ପ୍ରଶାନ୍ତ ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କୁ ୨ଥର ଭେଟି ସାରିଲେଣି। ଆଗକୁ ମଧ୍ୟ ଭେଟଘାଟର କାର୍ଯ୍ୟକ୍ରମ ରହିଛି।

ପ୍ରଶାନ୍ତଙ୍କ ପ୍ଲାନରେ ରହିଛି ଯେ ଅଣଗାନ୍ଧୀଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଉ। ସୋନିଆ ନିଜେ ସଭାପତି ରୁହନ୍ତୁ। ରାହୁଲଙ୍କୁ ସଂସଦୀୟ ବୋର୍ଡର ମୁଖ୍ୟ କରାଯାଉ। ଏହା ସହିତ ଜନସାଧାରଣ ଗ୍ରହଣ କରିବା ଭଳି କଂଗ୍ରେସର ଗଠନ କରାଯିବ। ମୌଳିକ ମୂଲ୍ୟବୋଧ ଓ ଆଦର୍ଶ ସହ ସାଲିସ ହେବନାହିଁ। କେବଳ ହଁରେ ହଁ ନାଁରେ ନାଁ କରୁଥିବା ଲୋକଙ୍କୁ ଚିହ୍ନଟ କରି ଦଳରୁ ବାହାର କରିବା, ମେଣ୍ଟରେ ଥିବା ବିବାଦର ସମାଧାନ କରିବା,  ତୁରନ୍ତ ସାଂଗଠନିକ ନିର୍ବାଚନ ଶେଷ କରାଇବା ଉପରେ ପ୍ରଶାନ୍ତ ଗୁରୁତ୍ୱ ଦେଉଛନ୍ତି। ଏହାସହ ସବୁ ପଦ ଓ କମିଟିର କାର୍ଯ୍ୟକାଳକୁ ସୀମିତ କରିବା, ୧୫ ହଜାର ତୃଣମୂଳସ୍ତରର ନେତାଙ୍କୁ ନିୟୋଜିତ କରିବା ସହ ସେମାନଙ୍କ ଅଧୀନରେ କୋଟିଏ ସକ୍ରିୟ କର୍ମୀଙ୍କୁ ନିୟୋଜିତ କରିବା। କଂଗ୍ରେସ ସପକ୍ଷବାଦୀ ଚାପଗୋଷ୍ଠୀ ତିଆରି କରିବା। ତେବେ ଏ ସବୁ ପ୍ରଶାନ୍ତଙ୍କ ଏଜେଣ୍ଡାରେ ରହିଛି କି ନାହିଁ ତାହା  ସ୍ପଷ୍ଟ ହୋଇନି। କିନ୍ତୁ ଦିଲ୍ଲୀରୁ ପଲ୍ଲୀ ସବୁଠି ଏହି ଚର୍ଚ୍ଚା ହିଁ ଚାଲିଛି।  

ପ୍ରଶାନ୍ତଙ୍କ କହିବା କଥା କଂଗ୍ରେସର ଏମିତି ସ୍ଥିତି ପୂର୍ବରୁ ବି ଥିଲା। ଯେତେବେଳେ ସୋନିଆ ଦାୟିତ୍ୱ ନେଇଥିଲେ ସେତେବେଳେ କଂଗ୍ରେସ ମାତ୍ର ୨ଟି ରାଜ୍ୟରେ ସରକାରରେ ଥିଲା। ଏହାପରେ କଂଗ୍ରେସର ଉତ୍ଥାନ ହୋଇଥିଲା। ରାଜନୀତିରେ କଛି ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ଓଡ଼ିଶା କଂଗ୍ରେସର ପିସିସି ସଭାପତି କିଏ ହେବେ ତା’ ଉପରେ ପ୍ରଶାନ୍ତ ହାଇକମାଣ୍ଡଙ୍କରେ ଆଗରେ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ଦଳ ବାହାରୁ ଜଣକୁ ପିସିସି ସଭାପତି କରିବାକୁ ପ୍ରଶାନ୍ତ ଜୋର୍‌ ଦେଉଛନ୍ତି। ତେବେ ଅପେକ୍ଷା କରି ଦେଖିବାର କଥା ନିରଞ୍ଜନଙ୍କ ପରେ ଓଡ଼ିଶା କଂଗ୍ରେସର ମଙ୍ଗ କିଏ ଧରୁଛି?

Tags: #Congress #OdishaCongress #OdishaPradeshCongressCommittee #PCC #NiranjanPattanaik #PrashantKishore #ପିସିସି #କଂଗ୍ରେସ #ଓଡ଼ିଶାପ୍ରଦେଶକଂଗ୍ରେସକମିଟି #ପିସିସିସଭାପତି #ପ୍ରଶାନ୍ତକିଶୋର #ଓଡ଼ିଶାକଂଗ୍ରେସ

Comment