ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ କଂଗ୍ରେସ ଭୋଟ ହାର ହ୍ରାସ ପାଇ ଚାଲିଛି। ପଦ୍ମପୁର ଉପନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସବୁଠି ଗୋଟିଏ କଥା – କିଏ ନେଲା କଂଗ୍ରେସ ଭୋଟ?

ପଦ୍ମପୁର ଉପନିର୍ବାଚନରେ ବିଜେଡି ବଡ଼ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି। ବିଜେପି ଦୁଇ ନମ୍ବର ସ୍ଥାନରେ ରହିଥିବା ବେଳେ କଂଗ୍ରେସ ଅମାନତ ହରାଇଛି। କଂଗ୍ରେସ ଖାତାକୁ ମାତ୍ର ୩୦୦୦ ଭୋଟ ଆସିଛି। ଏହି ଜାତୀୟ ଦଳର ଏଭଳି ସ୍ଥିତି ଦେଖିବା ପରେ କଂଗ୍ରେସର ଯେଉଁ ଭୋଟ ବ୍ୟାଙ୍କ ରହିଥିଲା ତାହା କୁଆଡ଼େ ଗଲା ବୋଲି ଚର୍ଚ୍ଚା ହେଉଛି।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପଦ୍ମପୁରରେ ୩୨ ହଜାର ୭୮୭ ଖଣ୍ଡ ଭୋଟ ପାଇଥିଲା। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ତିନି ନମ୍ବର ସ୍ଥାନରେ ରହିଥିଲେ। ହେଲେ ନିକଟରେ ଯେଉଁ ଉପନିର୍ବାଚନ ହେଲା ସେଥିରେ କଂଗ୍ରେସ ଏହି ଭୋଟ ସଂଖ୍ୟାକୁ ନିଜ କବଜାରେ ରଖି ପାରିନାହିଁ। କଂଗ୍ରେସ କେବଳ ୩ ହଜାର ୫୮୧ଟି ଭୋଟ ପାଇଛି। କଂଗ୍ରେସର ୨୯ ହଜାର ୨୦୬ ଭୋଟ କୁଆଡ଼େ ଗଲା ତାହା ହିଁ ସବୁଠି ଆଲୋଚନାର ବିଷୟ ପାଲଟିଛି।

କଂଗ୍ରେସର ଗଡ଼ ଥିଲା ପଦ୍ମପୁର। ୧୯୬୧, ୧୯୭୧, ୧୯୭୪, ୧୯୮୦, ୧୯୮୫ ଏବଂ ୨୦୦୪ରେ କଂଗ୍ରେସ ପ୍ରାର୍ଥୀର ବିଧାୟକ ଏହି ଆସନରୁ ନିର୍ବାଚିତ ହୋଇ ଆସୁଥିଲେ। ସେଥିମଧ୍ୟରୁ ଚଳିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସତ୍ୟଭୂଷଣ ସାହୁ କେବଳ ତିନି ଥର ବିଧାୟକ ହୋଇଥିଲେ। ହେଲେ ଚଳିତ ଉପନିର୍ବାଚନରେ ତାଙ୍କ ମ୍ୟାଜିକ୍‌ କାମ ଦେଲାନି। ଫଳରେ କଂଗ୍ରେସକୁ ଅମାନତ ହରାଇବାକୁ ପଡ଼ିଛି।

୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ୮୩ ହଜାର ୨୯୯ ଭୋଟ ପାଇ ବିଜୟୀ ହୋଇଥିଲେ। ଦୁଇ ନମ୍ବରରେ ଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ସେ ୭୭ ହଜାର ୫୬୫ ଭୋଟ ପାଇଥିଲେ। ବିଜୟ ରଞ୍ଜନ ମାତ୍ର ୫ ହଜାର ୭୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ଚଳିତ ଉପନିର୍ବାଚନରେ ଗଣିତ ସମ୍ପୂର୍ଣ୍ଣ ବଦଳି ଯାଇଛି। ବିଜେଡି ଏବଂ ବିଜେପି ଭିତରେ ଭୋଟ ବ୍ୟବଧାନ ୪୨ ହଜାର ହୋଇଯାଇଛି। ତେଣୁ ଉପନିର୍ବାଚନରେ କଂଗ୍ରେସ ଭୋଟର ନିର୍ଣ୍ଣାୟକ ଭୂମିକା ନେଇଥିବା ଚର୍ଚ୍ଚା ହେଉଛି।

ଏହି ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘‘କଂଗ୍ରେସ ଲଗାତର ଦୁଇ ଦୁଇଟି ଉପନିର୍ବାଚନରେ ଅମାନତ ହରାଇଛି। ଏହାର ତର୍ଜମା କରାଯିବା ଦରକାର। ପିସିସି ସଭାପତିମାନେ ନିଜ ନିଜ ଗୋଷ୍ଠୀ ଭିତରେ ରହି ଯାଉଥିବାରୁ ଦଳ ଆଗକୁ ଯାଇପାରୁ ନାହିଁ। ଫଳରେ କଂଗ୍ରେସ ଭୋଟ ବିକ୍ରି ହୋଇଯାଉଛି ବୋଲି ଲୋକେ କହୁଛନ୍ତି।’’

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ କହିଛନ୍ତି, ‘‘ପଦ୍ମପୁର ଉପନିର୍ବାଚନରେ ଅର୍ଥବଳ, ବାହୁବଳ ସହିତ ସରକାରୀ କଳର ଅପବ୍ୟବହାର କରାଯାଇଛି। କଂଗ୍ରେସ ଭୋଟ ସମ୍ପୂର୍ଣ୍ଣ ଭାବେ ବିଜେଡି ନେଇ ଯାଇଛି। ଏହା ବିଜେପି ପାଇଁ ବିପଦ ହେଲା। ଓଡ଼ିଶା ରାଜନୀତିରେ କଂଗ୍ରେସ ଆଉ ନାହିଁ। ୨୦୨୪ରେ ବିଜେପି ଏବଂ ବିଜେଡି ଭିତରେ ଲଢ଼େଇ ହେବ।’’

ଏପଟେ କଂଗ୍ରେସ ଭୋଟ ବିଜେଡିକୁ ଆସିବା ଅଭିଯୋଗକୁ ବରିଷ୍ଠ ବିଜେଡି ନେତା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ‘‘ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ। ଯଦି କଂଗ୍ରେସ ଭୋଟ ବିଜେଡିକୁ ଆସିଲା, ତାହାଲେ ଗୁଜରାଟରେ କଂଗ୍ରେସ ଭୋଟ କୁଆଡ଼େ ଗଲା? ବିଜେଡି ସବୁବେଳେ ସ୍ଥାନୀୟ ପ୍ରସଙ୍ଗ ଏବଂ ସ୍ଥାନୀୟ ନେତାମାନଙ୍କୁ ଗୁରୁତ୍ୱ ଦେଉଛି। ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକମାନଙ୍କର ଆସ୍ଥା ବଢ଼ିଛି।’’

ଗତ କିଛି ବର୍ଷ ହେଲା କଂଗ୍ରେସରେ ଏକ ଧାରା ଚାଲିଛି। ବିଭିନ୍ନ ଉପନିର୍ବାଚନରେ ଦଳ ଅମାନତ ହରାଉଛି। ଏହି ଧାରା ବିଜେପୁର ଉପନିର୍ବାଚନରୁ ଦେଖିବାକୁ ମିଳିଛି। ବିଜେପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇ ଆସୁଥିଲେ। କିନ୍ତୁ ୨୦୧୮ରେ ତାଙ୍କର ଦେହାନ୍ତ ହୋଇଯିବାରୁ ବିଜେପୁରରେ ଉପନିର୍ବାଚନ ହୋଇଥିଲା। ଏହି ସମୟରେ ସୁବଳ ସାହୁଙ୍କ ପରିବାର ବିଜେଡିରେ ଯୋଗ ଦେଇଥିଲେ।

ବିଜେଡି ୨୦୧୮ ଉପନିର୍ବାଚନରେ ସୁବଳଙ୍କ ସ୍ତ୍ରୀ ରିତା ସାହୁଙ୍କୁ ପ୍ରାର୍ଥୀ କରିଥିଲା। ଯେହେତୁ ବିଜେପୁର କଂଗ୍ରେସର ଗଡ଼ ଥିଲା ସେଠି ଦଳ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ହେଲେ କଂଗ୍ରେସ ଲଢ଼େଇ କରିପାରିଲାନି। ଫଳରେ ଦଳକୁ ସେଠି ଅମାନତ ହରାଇବାକୁ ପଡ଼ିଥିଲା। ପରବର୍ତ୍ତି ସମୟରେ ପ୍ରଣୟ ସାହୁ ବିଜେଡିରେ ଯୋଗ ଦେଇଥିଲେ।

ସେହିଭଳି ସ୍ଥିତି ପାଟକୁରା ଉପନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୧୪ରେ ପାଟକୁରାରେ କଂଗ୍ରେସ ପାଇଥିଲା ୪୨ ହଜାର ଭୋଟ। ମାତ୍ର ୨୦୧୯ରେ ତାହା ୨ ହଜାରକୁ ଖସି ଆସିଥିଲା। ସମାନ ଅବସ୍ଥା ବାଲେଶ୍ୱର, ପିପିଲି ଏବଂ ଧାମନଗର ଉପନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା।

ବ୍ରଜରାଜନଗରରେ କେବଳ କଂଗ୍ରେସର ସମ୍ମାନ ରହିଥିଲା। କାରଣ ସେଠାରେ ପ୍ରାର୍ଥୀ ହୋଇଥିବା କିଶୋର ପଟେଲଙ୍କର ପକେଟ୍‌ ଭୋଟ ରହିଥିଲା। ତା’ଛଡ଼ା ବ୍ରଜରାଜନଗର ବିଜେପିରେ ଗୋଷ୍ଠୀ କନ୍ଦଳ କଂଗ୍ରେସ ପାଇଁ ବଡ଼ ସହାୟକ ହୋଇଥିଲା।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା କରୁଛନ୍ତି। ଓଡ଼ିଶାରେ ମଧ୍ୟ ଏହି ଯାତ୍ରା ଚାଲିଛି। କିନ୍ତୁ କଂଗ୍ରେସ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବା ବଦଳରେ ଦିନକୁ ଦିନ ଦୂରେଇ ଯାଉଛି। ଏଭଳି ଧାରା ଯଦି ଓଡ଼ିଶା କଂଗ୍ରେସରେ ଲାଗି ରୁହେ ତାହାଲେ ୨୦୨୪ରେ ଦଳ ବିଜେଡି ଏବଂ ବିଜେପି ସହ କେମିତି ଲଢ଼େଇ କରିବ ବୋଲି ରାଜନୀତି କରିଡ଼ରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Tags: #PadampurByelection #OdishaElection #2022election #Congress #OdishaCongress

Comment