ଓଡ଼ିଶାଲାଇଭ୍ ବ୍ୟୁରୋ

ତୈଳ ଓ ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଚାରୋଟି ପ୍ରମୁଖ  ବାମ ଦଳ ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି। ସିପିଆଇ, ଏଆଇଟିୟୁସି, ବିକେଏମୟୁ, ଏଆଇକେଏସର କର୍ମୀମାନେ ଗୁରୁବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ପୂର୍ଣ୍ଣ ସମର୍ଥନ କରିଛି କଂଗ୍ରେସ।ଆଜି ରାଜ୍ୟର କୌଣସି ବି ସ୍ଥାନରୁ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ନ କିଣିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କିଛି ଦିନ ତଳେ ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସାଇକେଲ ରାଲି ମଧ୍ୟ କରାଯାଇଥିଲା।ଏଯାଏଁ କରୋନା ମହାମାରୀ ବିପଦ ଟଳିନି। ମହାମାରୀ ସମୟରେ ଲୋକେ ଠିକରେ ଖାଇବାକୁ ପାଉନଥିବାବେଳେ, ଏଭଳି ଦର ଦାମ୍ ବୃଦ୍ଧି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ଅନେକ ସହରରେ ପେଟ୍ରୋଲ ଦର ୧୦୫ ପାର ହୋଇଥିବାବେଳେ, ଡିଜେଲ ଦର ମଧ୍ୟ ୧୦୦ଟପିଲାଣି। ଏହି ଦରବୃଦ୍ଧି ପ୍ରତିବାଦରେ ବିଭିନ୍ନ ପର୍ଯ୍ୟାୟରେ କଂଗ୍ରେସ ତା’ର ଆନ୍ଦୋଳନ ଜାରି ରଖିଛି ଏବଂ ରଖିବ ବୋଲି ଦଳ ପକ୍ଷରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି।ଆଜି ୬ଘଣ୍ଟିଆ ବନ୍ଦ ସମୟରେ ଗାଡ଼ି ମୋଟର ଏବଂ ଦୋକାନ ବଜାର ବନ୍ଦ ରଖିବାକୁ ବାମ ଦଳ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ରାଜଧାନୀରେ ଏତେଟା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିନାହିଁ। ପେଟ୍ରୋଲ ପମ୍ପକୁ ଛାଡ଼ିଦେଲେ ବାକି ସବୁ ଦୋକାନ ଖୋଲାଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଭୁବନେଶ୍ୱର ରେଳଷ୍ଟେସନରେ ବାମ ଦଳ କର୍ମୀମାନେ ରେଳରୋକ କରିଛନ୍ତି। ଏଥିସହ ରାଜଧାନୀର କିଛି ପେଟ୍ରୋଲ ପମ୍ପରେ ମଧ୍ୟ ପ୍ଲାକାର୍ଡ ଧରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି।

ବନ୍ଦ ସମୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣରରେ ରଖିବାକୁ ରାଜଧାନୀର ବିଭିନ୍ନ ଛକ ଏବଂ ପେଟ୍ରୋଲ ପମ୍ପମାନଙ୍କରେ ପୋଲିସ ମୁତୟନ ହୋଇଛନ୍ତି।

Comment