ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଜାବରେ ପଟ୍ଟ ପରିବର୍ତ୍ତନ ପରେ ଏବେ ଓଡ଼ିଶାର ପାଳି ପଡ଼ିପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଛି ଦିନର ନିରବତା ପରେ ଏବେ ପୁଣିଥରେ ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। ବିଧାୟକ ମହମ୍ମଦ ମୋକିମଙ୍କ ସରକାରୀ ବାସଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀ ଏକାଠି ହୋଇଥିବାବେଳେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି।

ଏହି ସାକ୍ଷାତକୁ ନେଇ କଂଗ୍ରେସ ଦଳ ଭିତରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ରାହୁଲଙ୍କୁ ଭେଟି ଉଭୟ ନେତା ଦଳର ସଂଗଠନ ପ୍ରସଙ୍ଗରେ ଆଲୋଚନା କରିଥିବା କୁହାଯାଉଛି। ଏଥିରେ ଆଉ ଗୋଟିଏ ପାଦ ଆଗେଇ ଯାଇ ଭକ୍ତ ଦାସ କହିଛନ୍ତି ଯେ, ରାଜ୍ୟ କଂଗ୍ରସରେ କନ୍ଦଳ ନାହିଁ। ଆସନ୍ତା ଦିନରେ ବହୁତ କିଛି ସୁଧୁରିବ ବୋଲି ସେ ଦୃଢୋକ୍ତି କରିଛନ୍ତି।ଠିକ୍ ସେହିଭଳି ବିଗତ କିଛି ଧରି ପ୍ରଦୀପ ମାଝୀ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିବାବେଳେ ନିଜେ ମାଝୀ କହିଛନ୍ତି ଦଳ ଭିତରେ ସେ ଅଛନ୍ତି ଓ ଦଳ ଛାଡ଼ିବାର କୌଣସି ପ୍ରଶ୍ନ ଉଠୁନାହିଁ। ବରଂ ରାଜ୍ୟ ଓ ଦେଶରେ କଂଗ୍ରେସ ଦଳକୁ ମଜଭୁତ୍ କରିବେ ବୋଲି କହିଛନ୍ତି ମାଝୀ। ଏସବୁ ମୂଳରେ ପିସିସି ସଭାପତି ପରିବର୍ତ୍ତନ ରହିଥିବା ଅନୁମାନ କରଯାଉଛି।

ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ ଗୋଟିଏ ଗୋଷ୍ଠୀ ଲାଗିପଡିଥିବାବେଳେ ହାଇକମାଣ୍ଡ କିନ୍ତୁ ବର୍ତ୍ତମାନ କୌଣସି ପରିବର୍ତ୍ତନ ସପକ୍ଷରେ ନାହାନ୍ତି। ମାଝୀଙ୍କ କହିବା ଅନୁଯାୟୀ ରାହୁଲଙ୍କ ସହ ଏନେଇ କୌଣସି ଆଲୋଚନା ହୋଇନି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିସିସି ସଭାପତି ପରିବର୍ତ୍ତନର ସମ୍ଭାବନା ନାହିଁ। ବାରମ୍ବାର ସଭାପତି ପରିବର୍ତ୍ତନ କରିବା ପରିବର୍ତ୍ତେ ଦଳକୁ ସଜାଡ଼ିବା ନେଇ ସେ ରାହୁଲଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି।

ପ୍ରଦୀପ ମାଝୀ ବିଜେଡିରେ ସାମିଲ ହେବା ନେଇ ଲଗାତାର ଚର୍ଚ୍ଚା ଜାରି ରହିଛି। ସତରେ କ’ଣ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ କି ପ୍ରଦୀପ? ଏହିଭଳି ଅନେକ ପ୍ରଶ୍ନ ଶୁଣିବାକୁ ମିଳୁଛି। ତେବେ ରାଜନୀତିରେ ସବୁ କିଛି ସମ୍ଭବ ବୋଲି କୁହାଯାଉଛି। ତେବେ ଓଡ଼ିଶାରେ କଂଗ୍ରେସ ଦଳ ଦିନକୁ ଦିନ ରସାତଳଗାମୀ ହେଉଛି ଏଥିରେ ଦ୍ଵିମତ ନାହିଁ।

Comment