ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀମାନଙ୍କୁ ଏକଜୁଟ କରିବାକୁ ବିଧିବଦ୍ଧ ଭାବେ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ। ଏହି କ୍ରମରେ ଅଗଷ୍ଟ ୨୦ରେ ବିରୋଧୀଦଳ ନେତାଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ। ଏଥିସହ ସମାନ ବିଚାରଧାରା ଥିବା ଦଳର ନେତାମାନେ ମଧ୍ୟ ସାମିଲ୍ ହେବେ ବୋଲି କୁହାଯାଉଛି। ଏହାପୂର୍ବରୁ କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ ବି ତାଙ୍କ ବାସଭବନରେ କିଛି ବିରୋଧୀ ନେତାଙ୍କୁ ନେଇ ଏକ ବୈଠକ କରିଥିଲେ।

ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ଏହି ବୈଠକ ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସ ନେତାମାନଙ୍କ ସହ ଅନେକ ବିରୋଧୀଦଳର ନେତାମାନେ ସାମିଲ ହେବାର ସମ୍ଭାବନା ରହିଛି। ଏଥିସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି।

ଏହି ବୈଠକରେ ମୁଖ୍ୟତଃ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ବିଶେଷ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି।ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଯାଇ ସୋନିଆ ଗାନ୍ଧୀଙ୍କୁ ଭେଟିବା ସହ କଂଗ୍ରେସର ବରିଷ୍ଠ ନେତା କମଲ ନାଥ ଏବଂ ବିରୋଧୀଦଳର ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ଭେଟିଥିଲେ। ଏହାପରେ ମମତା ବାନାର୍ଜୀଙ୍କ ପକ୍ଷରୁ ବିଜେପି ବିରୋଧରେ ଏକ ମେଣ୍ଟ ପ୍ରସ୍ତୁତ କରିବାକୁ ପ୍ରୟାସ କରାଯାଇଥିଲା।

ଅନ୍ୟପଟେ ୨୦ତାରିଖରେ ହେବାକୁ ଥିବା ବିଜେପି ବିରୋଧୀ ବୈଠକରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବ୍ୟତୀତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସମେତ ବାମଦଳ ଓ ଅନ୍ୟ ବିରୋଧୀଦଳର ନେତାମାନଙ୍କୁ ସୋନିଆ ଗାନ୍ଧୀଙ୍କ ତରଫରୁ ନିମନ୍ତ୍ରଣ କରାଯାଇଛି।

ଗତ ଦୁଇଟି ଲୋକସଭା ନିର୍ବାଚନରେ ଅଣ ବିଜେପି ଦଳମାନେ ହରାଇଥିବା ସ୍ଥାନକୁ ଆଗାମୀ ନିର୍ବାଚନରେ ପୁନର୍ବାର ପାଇବାକୁ ଉଦ୍ୟମ କରୁଛନ୍ତି। ଇତିମଧ୍ୟରେ ମୋଦୀ ସରକାର ଅନେକ ପ୍ରସଙ୍ଗରେ ଲୋକପ୍ରିୟତା ହରାଇଛି। ତେଣୁ ୨୦୨୩ବେଳକୁ ଏନଡିଏ ସରକାର ବିରୁଦ୍ଧରେ ଜନମତ ସୃଷ୍ଟି ହେବ, ଯାହାଫଳରେ ମୋଦୀ ସରକାରକୁ କ୍ଷମତାରୁ ସହଜରେ ହଟାଇ ହେବ ବୋଲି ଆଶା ରଖିଛି ବିରୋଧୀ।

Comment