ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନବ ଉପାୟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛି ଯୁବ କଂଗ୍ରେସ। ଏଥିପାଇଁ ଶୁକ୍ରବାର ରାସ୍ତାରେ ପକୁଡ଼ି ଛାଣି, ଯୋତା ପଲିସ କରି ଯୁବ କଂଗ୍ରେସ କର୍ମୀମାନେ ‘ରାଷ୍ଟ୍ରୀୟ ବେରୋଜଗାର ଦିବସ’ ପାଳନ କରିଛନ୍ତି।

ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସଙ୍କ ଆହ୍ୱାନକ୍ରମେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ କରାଯାଇଛି। ଭୁବନେଶ୍ୱରସ୍ଥିତ ନିୟୋଜନ ନିର୍ଦ୍ଦେଶାଳୟ ଓ ନିଯୁକ୍ତି ମିଶନ ଅଫିସ ଆଗରେ ଡକ୍ଟର, ଇଂଜିନିୟର, ଓକିଲ ପୋଷାକ ପରିଧାନ କରି କଂଗ୍ରେସ କର୍ମୀମାନେ ପକୁଡି ଛାଣିବା ସହ ଯୋତା ପଲିସ ମଧ୍ୟ କରିଥିଲେ। ଏଥିସହ ନିୟୋଜନ ନିର୍ଦ୍ଦେଶାଳୟ ଅଫିସ ଭିତରକୁ ଯୁବ କଂଗ୍ରେସ କର୍ମୀମାନେ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଓ ସେମାନଙ୍କ ମଧ୍ୟରେ ଟଣା ଓଟରା ହୋଇ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।ଏହି ଅବସରରେ ରାଜ୍ୟ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି, “୨୦୧୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୨କୋଟି ନିଯୁକ୍ତି ଦେବାର ଯେଉଁ ସ୍ୱପ୍ନ ଦେଖାଇଥିଲେ, ତାହା ପ୍ରଦାନ କରିବାରେ ସେ ବିଫଳ ହୋଇଛନ୍ତି। ନିଯୁକ୍ତି ଦେବା ତ ଦୂରର କଥା ସେ ନିଯୁକ୍ତି ଛଡ଼ାଇ ନେବାର କାର୍ଯ୍ୟକ୍ରମ କରିଛନ୍ତି।”

ସେ ଆଉ ମଧ୍ୟ କହିଛନ୍ତି, “ସିଏମଆଇଇର ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ୧୫ ଲକ୍ଷ ଯୁବକଯୁବତୀ ଦେଶରେ ବେରୋଜଗାରର ଶିକାର ହୋଇଛନ୍ତି। ଏହି ରିପୋର୍ଟକୁ ଦେଖିଲେ ବେରୋଜଗାର ବଢ଼ିବାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।”

ଆଜି ରାଜ୍ୟବ୍ୟାପି ସମସ୍ତ ଜିଲ୍ଳାରେ ଯୁବ କଂଗ୍ରେସ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। ସମଗ୍ର ଦେଶରେ ବଢ଼ୁଥିବା ବେରୋଜଗାର ସମସ୍ୟାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରୟାସ ଆରମ୍ଭ କରିଛି ଯୁବ କଂଗ୍ରେସ। ଆଗାମୀ ଦିନରେ ଏହି ସମସ୍ୟାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟର ଯୁବକଯୁବତୀଙ୍କ ସ୍ୱାର୍ଥ ପାଇଁ ଜନଜାଗରଣ ସୃଷ୍ଟି କରିବ ବୋଲି ଡକ୍ଟର ଲେଙ୍କା କହିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ସମ୍ପାଦକ ରିଆଜୁଲ୍ ଅନସାରୀ, ମହମ୍ମଦ ଅଲିମ, ରଞ୍ଜିତ ପାତ୍ର, ସତ୍ୟପ୍ରିୟ ସାମଲ, ଆର୍ଯ୍ୟବୀର ଲେଙ୍କା, ସ୍ୱାଗତ କର, ନଳିନୀ କାନ୍ତ ନାୟକ, ଅଂଶୁମାନ ଦାସ, କୃଷ୍ଣଚନ୍ଦ୍ର ମହାନ୍ତି, ବିଶ୍ୱରଞ୍ଜନ ଦାଶ, ଜ୍ଞାନ ରଞ୍ଜନ ରାଉତ, ରାକେଶ ସାହୁ, ଶ୍ରୀବତ୍ସ ରଥ, ଆଶୁତୋଷ ଲେଙ୍କା, ଲୁଟୁ ଥାପ୍ପା, ମନିଷା ଦାସ ପଟ୍ଟନାୟକ, ରିତୁଲ ମହାରଣା, ସର୍ବଜିତ ପଟ୍ଟନାୟକ, ସମ୍ରାଟ ଜେନା, ବିଭୁତି ଦଳ ସିଂ ରାୟ, ରମଜାନ ଅଲ୍ଲି ପ୍ରମୁଖ ଉପସ୍ଥିତ ଥିଲେ।

Comment