ଓଡିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ବିରୋଧରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ‘ଭଏସ୍ ଅଫ୍ ୟୁଥ୍’ ନାମରେ ଏକ ଇ-କ୍ୟାମ୍ପେନ ଆରମ୍ଭ ହୋଇଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କାଙ୍କ ଆହ୍ଵାନ କ୍ରମେ ରାଜ୍ୟର ବହୁ ଯବକ ଯୁବତୀ ଏହି ଅନ୍‌ଲାଇନ୍ କ୍ୟାମ୍ପେନରେ ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି। ଏଥିସହ ଆଗାମୀ ଦିନରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ପାଇଁ ସେମାନେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ପ୍ରାକୃତିକ ଓ ଖଣିଜ ସମ୍ପଦ ଦୃଷ୍ଟିରୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ ହୋଇଥିଲେ ମଧ୍ୟ ଗତ ୨୦ ବର୍ଷ ଧରି ରାଜ୍ୟରେ ବିକାଶ ଧାରା ଆଗେଇ ପାରୁନାହିଁ। ଏହି ସମୟରେ ରାଜ୍ୟର ଯୁବଗୋଷ୍ଠୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ଯୁବ କଂଗ୍ରେସ ଅଭିଯୋଗ କରିଛି।ସେହିପରି କେନ୍ଦ୍ର ସରକାରଙ୍କ ବାଟବଣା ଅର୍ଥନୀତି କାରଣରୁ ଦେଶର ବେରୋଜଗାରୀ ହାର ୪୫ ବର୍ଷର ରେକର୍ଡ ଭାଙ୍ଗିଛି। କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ଓ ପୁଞ୍ଜିବାଦୀ ପ୍ରେମ ଏବଂ ରାଜ୍ୟ ସରକାରଙ୍କ ଭୋଟ୍ ବ୍ୟାଙ୍କ ଚିନ୍ତା ଯୋଗୁଁ ଲକ୍ଷ ଲକ୍ଷ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ ରାଜ୍ୟରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାରଙ୍କ ନିକଟରେ କେତେକ ଦାବି ଉପସ୍ଥାପନ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ।
ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକରେ ୫୦% ଓଡ଼ିଆ ପିଲାଙ୍କୁ ତାଲିମ ସହ ନିଯୁକ୍ତି, ‘ମନରେଗା’ରେ କେନ୍ଦ୍ରୀୟ ଅନୁଦାନ ସହ ଶ୍ରମ ଦିବସ ବୃଦ୍ଧି, କୃଷିଭିତ୍ତିକ ଉଦ୍ୟୋଗ ଓ ବ୍ୟାପାରକୁ ଅଧିକ ପ୍ରୋତ୍ସାହନ, ଯୁବପିଢ଼ିଙ୍କ ପାଇଁ ସହଜ ଋଣ ବ୍ୟବସ୍ଥା, ଗାଁରେ ଶୀତଳଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ, ଛଟେଇ ବନ୍ଦ କରିବାକୁ ଘରୋଇ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଏବଂ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନ ମିଳିବା ଯାଏଁ ଶିକ୍ଷାଋଣ ଛାଡ଼ କରିବା ସହ ସରକାରୀ ନିଯୁକ୍ତିର ସମୟସୀମା ବୃଦ୍ଧି କରିବାକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଦାବି କରିଛି।

ଯୁବକ ଯୁବତୀମାନଙ୍କ ହକ୍ ଓ ଅଧିକାର ପାଇଁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କଦାପି ପଛଘୁଞ୍ଚା ଦେବ ନାହିଁ। ତେବେ ସରକାର ଅଗ୍ରାଧିକାର ଭିତ୍ତିରେ ସମସ୍ତ ଦାବିକୁ ପୂରଣ କରନ୍ତୁ ବୋଲି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି।

Comment