ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ପରୀ ଅପହରଣ ଓ ହତ୍ୟା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ଶୁକ୍ରବାର ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ବିଧାନସଭା ଘେରାଉ କରାଯାଇଥିଲା। ଏଥିସହ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଲୋୟର ପିଏମ୍‌ଜିଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରିଛି।

ତେବେ ଲୋୟର ପିଏମ୍‌ଜିଠାରୁ ବିଧାନସଭା ଅଭିମୁଖେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରୁଥିବା ବେଳେ ଡକ୍ଟର ଲେଙ୍କା ଏବଂ ଅନ୍ୟ କର୍ମକର୍ତ୍ତାଙ୍କୁ ପୋଲିସ ଅଟକାଇବା ସହ ଶତାଧିକ କର୍ମୀଙ୍କୁ ଗିରଫ କରିଛି। ଏନେଇ ଡକ୍ଟର ଲେଙ୍କା କହିଛନ୍ତି, “ନୟାଗଡ଼ର ୫ ବର୍ଷର ଶିଶୁକନ୍ୟା ପରୀର ଅପହରଣ ଓ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତିକୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଉଛନ୍ତି। ମୃତ ଶିଶୁକନ୍ୟାର ମା’ କରିଥିବା ଅଭିଯୋଗ ଅନୁଯାୟୀ ମନ୍ତ୍ରୀ ଅରୁଣ ସାହୁଙ୍କ ଘନିଷ୍ଠ ସହଯୋଗୀ ହିଁ ପରୀ ହତ୍ୟା ଘଟଣାର ମୁଖ୍ୟ ଅପରାଧୀ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଅପରାଧୀକୁ ଖୋଜି ନାହିଁ ଏବଂ ଘଟଣାକୁ ଚପାଇ ଦେବା ପାଇଁ ମନ୍ତ୍ରୀ ଶାସନ କଳର ଶକ୍ତିକୁ ପ୍ରୟୋଗ କରୁଛନ୍ତି।”ଦୀର୍ଘ ସାଢ଼େ ୪ ମାସ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମଧ୍ୟ ନୀରବ। ଏଣୁ ବିଜେଡି ସରକାର ପରୀ ହତ୍ୟା ଘଟଣାକୁ ଚପାଇ ଦେବା ପାଇଁ  ଚକ୍ରାନ୍ତ କରିବା ସହ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଲାଗି ବିଭିନ୍ନ ଫନ୍ଦି ଫିକର କରୁଛି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି। ଏଣୁ ଏହି ସ୍ପର୍ଶକାତର ପ୍ରସଙ୍ଗର ତଦନ୍ତ ନ ସରିବା ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ତାଙ୍କ ପଦରୁ ହଟାଇବା ସହିତ ପରୀର ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ପ୍ରଦେଶ ଯୁବ କଂଗ୍ରେସ ଦାବି କରିଛି।ଆଜିର ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ମୁଖପାତ୍ର ଅଜୟ ସାହୁ, ରଞ୍ଜିତ ପାତ୍ର, ମହମ୍ମଦ ଅଲିମ୍‌, ସ୍ୱାଗତ କର, ନଳିନୀକାନ୍ତ ନାୟକ, ବିକି ଚକ୍ରବର୍ତ୍ତୀ, ବିଶ୍ୱରଞ୍ଜନ ଦାସ, ଆଦିତ୍ୟ ପରିଡ଼ା, ବିପ୍ଳବ ପରିଡ଼ା, ଆଶୁତୋଷ ଲେଙ୍କା, ଅଖିଳେଶ ଯାଦବ, ଅହମ୍ମଦ ଖାନ୍‌, ଆକ୍ୟୁବ୍ ଖାନ୍, ଅମ୍ରିତା ଦାସ, ମାହିପର ନିଖତ, ଲିପକ ସାହୁ, ମିତ୍ରଭାନୁ ମହାପାତ୍ର, ବଟକୃଷ୍ଣ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here