ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଚିଠି ଲେଖି ପୁରୀରେ ଏକ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ ଆଗାମୀ ଦିନରେ ଓଡ଼ିଶାର ଅନ୍ତର୍ଜାତୀୟ ବିମାନ ସେବା ଓ ସ୍ୱରୂପରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

ଭବିଷ୍ୟତରେ ପୁରୀ ହିଁ ଓଡ଼ିଶାର ମୁଖ୍ୟ ବିମାନ ବନ୍ଦର ହେବ। କାରଣ ବର୍ତ୍ତମାନର ଭୁବନେଶ୍ୱର ବିମାନ ବନ୍ଦରର ସମ୍ପ୍ରସାରଣ ଆଉ ହୋଇପାରିବ ନାହିଁ। ମୋଦୀଙ୍କ ନିକଟକୁ ପତ୍ର ଲେଖିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା ମଧ୍ୟ କରିଥିଲେ। ଏଣୁ ଏହି ପ୍ରସ୍ତାବକୁ ଅବିଳମ୍ବେ ମଞ୍ଜୁରି ମିଳିବ ବୋଲି ଓଡ଼ିଶା ସରକାର ଆଶା ରଖିଛନ୍ତି।

ଓଡ଼ିଶା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭବିଷ୍ୟତରେ ପୁରୀ ହିଁ ରାଜ୍ୟର ପ୍ରଧାନ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବ ଏବଂ ଭୁବନେଶ୍ୱର ବିମାନ ବନ୍ଦର କେବଳ ଘରୋଇ ବିମାନ ପାଇଁ ଉଦ୍ଦିଷ୍ଟ ରହିବ।

ପୁରୀରେ ବିମାନ ବନ୍ଦର ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ପ୍ରସ୍ତାବ ରହିଛି ତାହା ପଛରେ ଅନ୍ତତଃ ଶହେ ବର୍ଷର ଭବିଷ୍ୟତକୁ ଆଖିରେ ରଖାଯାଇଛି। ଉକ୍ତ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ବେଙ୍ଗାଳୁରୁ ବିମାନ ବନ୍ଦର ସମ୍ପ୍ରସାରଣ କଥା ଉଠିଲା ୪୦ କିଲୋମିଟର ଦୂରରେ ନୂଆ ବିମାନ ବନ୍ଦର ହେଲା। ଠିକ ସେହିଭଳି ହାଇଦ୍ରାବାଦ ଓ ଦେଶର ଅନ୍ୟ ବଡ଼ ବଡ଼ ମେଟ୍ରୋରେ ମଧ୍ୟ ସହରଠାରୁ ବେଶ୍ ଦୂରରେ ବିମାନ ବନ୍ଦର ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱର କ୍ଷେତ୍ରରେ ମଧ୍ୟ ସେୟା ହେବ। ପୁରୀ ହେବ ନୂଆ ଗନ୍ତବ୍ୟ ସ୍ଥଳ। ଦୁଇଟିଯାକ ବିମାନ ବନ୍ଦର ପରସ୍ପରକୁ ସାହାଯ୍ୟ କରିବେ।ପୁରୀଠାରେ ନୂଆ ବିମାନ ବନ୍ଦର ହେଲେ କୋଣାର୍କ, ଭୁବନେଶ୍ୱର ଓ ପୁରୀ ସ୍ୱର୍ଣ୍ଣ ତ୍ରିଭୁଜର ବିକାଶ ହେବା ସହ ଯାତ୍ରୀଙ୍କ ସଂଖ୍ୟା ବି ବେଶ୍ ବୃଦ୍ଧି ପାଇବ। ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ୱରଠାରୁ ଅତି ବେଶୀରେ ୪୦ କିଲୋମିଟର ଦୂରରେ ଅବସ୍ଥିତ ହେବ ଯାହାକି ଏକ ଗ୍ରହଣୀୟ ଦୂରତା।

ଏବେ ବି ଯେଉଁ ସବୁ ବିଦେଶୀ ପର୍ଯ୍ୟଟକ ଭୁବନେଶ୍ୱରରେ ଓହ୍ଲାଉଛନ୍ତି ସେମାନଙ୍କ ମୁଖ୍ୟ ଗନ୍ତବ୍ୟ ସ୍ଥାନ ହେଉଛି ପୁରୀ ଓ କୋଣାର୍କ। ତା ଛଡ଼ା ଓଡ଼ିଶା ସରକାରଙ୍କ ପକ୍ଷରୁ ପୁରୀରେ ଯେଉଁ ହେରିଟେଜ୍ ସିଟିର ପରିକଳ୍ପନା କରାଯାଇଛି ତାହା ସହିତ ନୂଆ ବିମାନ ବନ୍ଦର ପୂରା ଖାପ ଖାଇବ ବୋଲି ଚିନ୍ତା କରାଯାଇଛି। ଭୁବନେଶ୍ୱର ଓ ପୁରୀରେ ଦୁଇ ଦୁଇଟି ବିମାନ ବନ୍ଦର ହେଲେ ପର୍ଯ୍ୟଟକମାନେ ଅତି ସୁବିଧାରେ ଯାତାୟାତ କରିପାରିବେ।

ପୁରୀରେ ବିମାନ ବନ୍ଦର ନିର୍ମାଣ ହେଲେ ଏହା ଦ୍ୱାରା ନିଶ୍ଚିତ ଭାବରେ ଓଡ଼ିଶା ପର୍ଯ୍ୟଟନର ବିକାଶ ହେବ ବୋଲି କହିଛନ୍ତି ହୋଟେଲ କ୍ରାଉନର ମାଲିକ ଦେବାଶିଷ ପଟ୍ଟନାୟକ।

ଭୁବନେଶ୍ୱର ନିକଟରେ କାହିଁକି ଆଉ ଏକ ବିମାନ ବନ୍ଦର ଦରକାର ତାହାର ଆଉ ଏକ ହିସାବ ମଧ୍ୟ ରହିଛି। କୋଡ଼ିଏ ବର୍ଷ ତଳେ ଭୁବନେଶ୍ୱରକୁ ଦୈନିକ ମାତ୍ର ୪ଟି ଫ୍ଲାଇଟ ଆସୁଥିଲା। ଏବେ ଏହା ୯୦ରେ ପହଞ୍ଚିଛି। ଭବିଷ୍ୟତରେ ବିମାନ ଯାତ୍ରା ବ୍ୟାପକ ପରିମାଣରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏଣୁ ବିଦେଶୀ ପର୍ଯ୍ୟଟକ ଓ ଘରୋଇ ବିମାନ ସେବାର ଆବଶ୍ୟକତା ପୂରଣ ପାଇଁ ପୁରୀ ବିମାନ ବନ୍ଦର ପୂରା ମାତ୍ରାରେ ସହାୟକ ହେବ।

Comment