ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ପାଇଁ ନବ ନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଇସ୍ପାତନଗରୀ ରାଉରକେଲା ଗସ୍ତ କରି ଏହି ଷ୍ଟାଡିୟମର ଲୋକାର୍ପଣ କରିଛନ୍ତି। ଆଗକୁ ଆସୁଥିବା ପୁରୁଷ ହକି ବିଶ୍ଵକପରେ ଏଠାରେ ମ୍ୟାଚ୍ ଖେଳାଯିବ। ଉଦ୍‌ଘାଟନୀ ଅବସରରେ ଏଠାରେ ଇଣ୍ଡିଆ ଏ ଓ ଇଣ୍ଡିଆ ବି ଦଳ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯାଇଛି।

୧୨୦ କୋଟି ଟଙ୍କା ବ୍ୟୟ କରି ରାଜ୍ୟ ସରକାର ବିର୍ସାମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ କରିଛନ୍ତି। ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମ ଭିତରୁ ଏହା ହେଉଛି ଅନ୍ୟତମ। ୧୫ ମାସର ଅବଧି ଭିତରେ ଏହି ଷ୍ଟାଡିୟମର ନିର୍ମାଣ ହୋଇଛି। ୨୦ ହଜାର ଦର୍ଶକ ବସି ଖେଳ ଦେଖିବା ପାଇଁ ଏହି ଷ୍ଟାଡିୟମର କ୍ଷମତା ରହିଛି।

“ଆଜି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏକ ଖୁସି ଓ ଆନନ୍ଦର ଦିନ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଓଡିଶାର ସମଗ୍ର ଦେଶକୁ ସବୁଠାରୁ ଶ୍ରେଷ୍ଠ ଉପହାର। ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ ଶକ୍ତି ଭାବରେ ଗଢି ତୋଳିବ। ଓଡ଼ିଶାର କ୍ରିଡ଼ା ଭିତ୍ତିଭୂମିକୁ ଏହା ଆହୁରି ସୁଦୃଢ କରିବ। ଆସନ୍ତା ପୁରୁଷ ହକି ବିଶ୍ଵକପ ପାଇଁ ଏହି ଷ୍ଟାଡିୟମ ଏକ ମୁଖ୍ୟ କେନ୍ଦ୍ର ହେବ। ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦ୍‌ଘାଟନ କରି ମୁଁ ବହୁତ ଖୁସି ଅନୁଭବ କରୁଛି”,କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉଦଘାଟନୀ କାର୍ଯ୍ୟକ୍ରମରେ ୫ଟି ସଚିବ ଭିକେ ପାଣ୍ଡିଆନ, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଢ଼ାଇ, ବିଜେଡି ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପ୍ରମୁଖ ଯୋଗ ଦେଇଥିଲେ।

Tags: #NaveenPattanaik #CM #Inauguration #BirsaMundaHockeyStadium #RourkelaVisit #Rourkela #Odisha

 

 

Comment