ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଇସ୍ପାତନଗରୀ ରାଉରକେଲା ଗସ୍ତ କରୁଛନ୍ତି। ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ପାଇଁ ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାସହ ସେ ସହରରେ ମୋ ବସ ସେବା, ବିର୍ସା ମୁଣ୍ଡା ଇନଡୋର ଷ୍ଟାଡିୟମ, ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ଟ୍ରେନିଂ ସେଣ୍ଟର ସହ ଅନ୍ୟାନ୍ୟ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ।

ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ୧୨ଟା ସମୟରେ ରାଉରକେଲା ବିମାନବନ୍ଦରରେ ପହଁଞ୍ଚିବେ। ସେଠାରୁ ସେ ପ୍ରଥମେ ବିର୍ସା ମୁଣ୍ଡା ଷ୍ଟାଡିୟମକୁ ଗସ୍ତ କରିବେ। ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ହକି ଖେଳାଳିଙ୍କ ସହ ସାକ୍ଷାତ କରିବେ। ଏହାପରେ ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋ ବସ୍‌ ଓ ସହରର ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ପାଇଁ ବୁଧବାର ବିର୍ସା ମୁଣ୍ଡା ଷ୍ଟାଡିୟମ ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଷ୍ଟାଡିୟମ ଓ ବିମାନ ବନ୍ଦର ଆଖପାଖ ଅଞ୍ଚଳରେ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏହାସହ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଏଥିସହ ସହରରେ ବିଭିନ୍ନ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ଚେକ୍‌ପୋଷ୍ଟ ବ୍ୟବସ୍ଥା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ସମୟରେ ୫ଟି ସଚିବ ଭି.କେ. ପାଣ୍ଡିଆନ, କ୍ରୀଡା ଓ ଯୁବସେବା ବିଭାଗର ସଚିବ ଆର. ଭିନିଲ କ୍ରିଷ୍ଣା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ବିଜେଡି ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ରହିବେ।

Tags: #NaveenPattanaik #CM #RourkelaVisit #innaguration #BirsaMundaHockeyStadium #Rourkela #Odisha

 

Comment