ଓଡ଼ିଶାଲାଇଭ୍ ବ୍ୟୁରୋ

  • ୩୮୬କୋଟି ଟଙ୍କାର ସହାୟତା
  • ୧୮ଲକ୍ଷ ଚାଷୀ ଉପକୃତ
  • ୧ହଜାର ଟଙ୍କା କୋଭିଡ ସହାୟତା
  • ୩ଟି କିସ୍ତିରେ ୧୨,୫୦୦ ଟଙ୍କା

“କୃଷି କ୍ଷେତ୍ରର ସଫଳତା ପଛରେ ରହିଛି ଭୂମିହୀନ ଚାଷୀର ତ୍ୟାଗ ଓ ପରିଶ୍ରମ। ଚାଷୀ, ଶ୍ରମିକ ଓ ମଜଦୁରମାନଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତି ନାଭିକେନ୍ଦ୍ର। ଏ ସମସ୍ତଙ୍କ ତ୍ୟାଗ ହିଁ ଆମ ଅର୍ଥନୀତିକୁ ସମୃଦ୍ଧ କରିଥାଏ। କୃଷକମାନଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ଆମର ଲଢେଇ ଜାରି ରହିଛି। ଏମ୍‌ଏସ୍ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ ହେବା ପର୍ଯ୍ୟନ୍ତ ଏହି ଲଢ଼େଇ ଚାଲିବ”, କାଳିଆ ଟଙ୍କା ପ୍ରଦାନ ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବୁଧବାର କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରମାନଙ୍କୁ ୩୮୬ କୋଟି ଟଙ୍କାର କୋଭିଡ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ଵାରା ପ୍ରାୟ ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକୃତ ହେବେ। ଏଥିରେ ପ୍ରତ୍ୟେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧ ହଜାର ଟଙ୍କା କୋଭିଡ ସହାୟତା ପାଇବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “କାଳିଆ ଯୋଜନା ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଆଣିଛି ଓ ମନରେ ଭରସା ଦେଇଛି। ବର୍ତ୍ତମାନ କୋଭିଡ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଢିଛି। ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତିକୁ ବଞ୍ଚାଇ ଥିଲା। ଦ୍ଵିତୀୟ ଲହରରେ ଲକଡାଉନ ସଟଡାଉନ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି। ସେଥିପାଇଁ ଚାଷୀ, ଶ୍ରମିକ, ଉଠା ଦୋକାନୀ, ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ କୋଭିଡ ପ୍ୟାକେଜ ଘୋଷଣା କରାଯାଇଛି।”ଏଥିସହ କାଳିଆ ଟଙ୍କା ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ୩ ଜଣ ଭୂମିହୀନ ଚାଷୀଙ୍କ ସହିତ କାଳିଆ ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ। ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଛି। କାଳିଆ ଯୋଜନାରେ ଚାଷୀମାନେ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ପାଇଥାନ୍ତି। ସେହିପରି ବଳରାମ ଯୋଜନାରେ ମଧ୍ୟ ଭୂମିହୀନ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ କୃଷିଋଣ ସହାୟତା ଯୋଗାଇ ଦିଆଯାଉଛି ବୋଲି ଉକ୍ତ ସମୟରେ ଉଲ୍ଲେଖ କରାଯାଇଥିଲା।ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଫାଇଭ ଟି ସଚିବ ଭି . କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। କୃଷି ବିଭାଗ କମିଶନର ତଥା ସଚିବ ଏସ. କେ. ବଶିଷ୍ଠ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଶେଷରେ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର, ୩୦ଟି ଜିଲ୍ଲାର ଭୂମିହୀନ ଚାଷୀ ଭିଡିଓ କାନଫରେନସିଂ ଜରିଆରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here