ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଷୟ ତୃତୀୟାରେ ଓଡ଼ିଶାର ଚାଷୀ ଭାଇଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକମାନଙ୍କୁ କାଳିଆ ଯୋଜନା ସହାୟତା ପ୍ରଦାନ କରାଯାଇଛି। ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରାୟ ୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି। ଏହି ଅବସରରେ କୃଷିର ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। କୃଷିର ଉନ୍ନତି ପାଇଁ କାଳିଆ ଯୋଜନା ଟଙ୍କା ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଚାଷୀ ଆମ ଅର୍ଥନୀତିର ମୁଖ୍ୟ ଆଧାର। ଆମ କୃଷକମାନେ କେବଳ ଓଡ଼ିଶା ନୁହେଁ, ସାରା ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି”।

କୃଷି ବିକାଶ ଏବଂ କୃଷକ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଚଳିତ ବର୍ଷ କୃଷିର ବିକାଶ ପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ ରଖାଯାଇଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଉପରେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ। କୃଷିକୁ ଏକ ଲାଭଜନକ ବୃତ୍ତି ଭାବରେ ବିକଶିତ କରବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ।

କୃଷିର ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପଣସ ମିଶନ ଓ ରିୱାର୍ଡ (ଅଭିନବ ପଦ୍ଧତିରେ କୃଷି ସ୍ଥିରତା ପାଇଁ ଜଳ ପ୍ରବାହକୁ ନବୀକରଣ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହା ସହିତ ମିଲେଟ୍‌ ମିଶନ ଓ ସମନ୍ଵିତ କୃଷି ପ୍ରୋତ୍ସାହନ ନିମନ୍ତେ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ପ୍ରସାର ମଧ୍ୟ କରାଯାଇଛି।

ପଣସ ମିଶନରେ ୯ଟି ଜିଲ୍ଲାର ପଣସ ଚାଷୀଙ୍କ ପାଇଁ ୯୭ କୋଟି ଟଙ୍କାର ପ୍ରୋତ୍ସାହନ ରଖାଯାଇଛି। ରିୱାର୍ଡ ଯୋଜନାରେ ବୈଜ୍ଞାନିକ ପ୍ରଣାଳୀରେ ଜଳବିଭାଜିକା କାର୍ଯ୍ୟକ୍ରମ ଜରିଆରେ ଚାଷ ଜମିର ଉତ୍ପାଦକତା ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଓଡ଼ିଶା ମିଲେଟ୍‌ ମିଶନରେ ୧୯ଟି ଜିଲ୍ଲାର ୧୮୨ଟି ବ୍ଲକ୍‌ର ଚାଷୀଙ୍କ ପାଇଁ ୨,୮୦୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସମନ୍ଵିତ କୃଷିର ପ୍ରୋତ୍ସାହନ ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ୮ଟି ଜିଲ୍ଲାର ୧.୮ ଲକ୍ଷ କୃଷକ ପରିବାରକୁ ସାମିଲ କରିବା ପାଇଁ ୨୩୯ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି। ଏହି ୪ଟି ଯୋଜନା ପାଇଁ ୩,୬୪୪ କୋଟି ଟଙ୍କା ଖର୍ଚ୍ଚ କରାଯିବ।

‘କୃଷକ ଓଡ଼ିଶା’ ପୋର୍ଟାଲ ଲୋକାର୍ପିତ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇମାନଙ୍କ ପାଇଁ ନୂଆ ‘କୃଷକ ଓଡ଼ିଶା’ ପୋର୍ଟାଲ ଲୋକାର୍ପିତ କରିଥିଲେ। ଏଥିରେ ଚାଷୀମାନେ ସାମିଲ ହୋଇ ସେମାନଙ୍କ ତଥ୍ୟ ଅପ୍‌ଡେଟ କଲେ ଆବଶ୍ୟକ ସେବା ଓ ପରାମର୍ଶ ପାଇପାରିବେ। ଏହାସହିତ କୃଷକ ଓ କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ‘ଗୋ-ସୁଗମ’ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ। ଏହା କୃଷକମାନଙ୍କ ପାଇଁ ଦେଶର ପ୍ରଥମ ସିଙ୍ଗଲ ୱିନଡୋ ପ୍ଲାଟଫର୍ମ।

ଏହା ସହିତ କୃଷି ଓ ଆନୁସଂଗିକ କ୍ଷେତ୍ରରେ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ବାସ୍ତବମୁଖୀ ନୀତି ନିର୍ଦ୍ଧାରଣ ପାଇଁ ‘ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ’ ଓ ରାଜ୍ୟ କୃଷି ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ଵାକ୍ଷରିତ ହୋଇଥିଲା। କୃଷକମାନଙ୍କ ସଶକ୍ତିକରଣ ପାଇଁ କୃଷକ ଉତ୍ପାଦକ ସଂଗଠନର ଏକ ମାର୍ଗଦର୍ଶିକା ମଧ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ଼ ନେତୃତ୍ୱ ପାଇଁ ଓଡ଼ିଶା ଆଜି କୃଷି କ୍ଷେତ୍ରରେ ଅଗ୍ରଣୀ ହୋଇ ପାରିଛି ବୋଲି ଏହି ଅବସରରେ କହିଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, କୃଷି କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। 

କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଚାଷୀ ନିର୍ମଳ ନାୟକ, ବାଲେଶ୍ଵରର ବଇଦ ନାୟକ ଓ ସୁନ୍ଦରଗଡ଼ ଜିଲ୍ଲାର ଚାଷୀ ମେନକା ଭୋଇ ପ୍ରମୁଖ କାଳିଆ ଯୋଜନା ଯୋଗୁଁ ସେମାନଙ୍କ ଚାଷ କାମରେ ଉନ୍ନତି ସମ୍ପର୍କରେ କହିଥିଲେ। କାଳିଆ ସହାୟତାରେ ସାର, ବିହନ ଆଦି ସହଜରେ କିଣି ଚାଷ କରିପାରୁଥିବାରୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

କାର୍ଯ୍ୟକ୍ରମରେ ଏହି ସବୁ ନୂଆ ଯୋଜନା ଓ କୃଷି କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗ ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଂଜୀବ ଚୋପ୍ରା ସ୍ଵାଗତ ଭାଷଣ ଦେଇଥିଲେ। କୃଷି ବିଭାଗର ସ୍ଵତନ୍ତ୍ର ସଚିବ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାର ଜିଲ୍ଲପାଳ ଓ ଚାଷୀମାନେ ଉପସ୍ଥିତ ଥିଲେ।

Tags: #AkshayaTritiya #KaliaYojana #CMOdisha #CMNaveenPatnaik #Farming #Farmer

LEAVE A REPLY

Please enter your comment!
Please enter your name here