ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ଶନିବାରଠାରୁ ଆରମ୍ଭ ହୋଇଛି ତିନିଦିନିଆ ଭାଷା ମହାକୁମ୍ଭ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪। ଭୁବନେଶ୍ଵର ସ୍ଥିତ ଜନତା ମଇଦାନଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନିଜ ଅଭିଭାଷଣ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ଓଡ଼ିଆ ଆମର ଭାଷା, ଆମ ପରିଚୟ। ଭାଷା ହେଉଛି ଗୋଟିଏ ଜାତିର ମୁକୁଟ, ଏକତାର ମହାନ ମନ୍ତ୍ର। ଆଜିର ଦିନଟି ଆମ ଜାତି ପାଇଁ ଆମ ଭାଷା ପାଇଁ ଗର୍ବ ଏବଂ ଗୌରବର ଦିନ।”

ଓଡ଼ିଆ ଭାଷାକୁ ବିଶ୍ଵ ଦରବାରରେ ପରିଚିତ କରାଇଥିବା କବି, ସାହିତ୍ୟିକ ଏବଂ ଗବେଷକମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାନ ଜଣାଇଥିଲେ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହ ଅଧିକରୁ ଅଧିକ ଓଡ଼ିଆ ଭାଷାର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରତି ଓଡ଼ିଆଙ୍କୁ ଆହ୍ଵାନ କରିଥିଲେ। ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ। ଆଗାମୀ ଦିନରେ ଓଡ଼ିଆ ଭାଷା ଏବଂ ଓଡ଼ିଆ ଜାତିର ଭବିଷ୍ୟତ ଉଜ୍ଜ୍ଵଳ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, “ଆଜିର ଏହି ଐତିହାସିକ ଦିନରେ ଆମେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ଗାଁଠାରୁ ସହର ଏବଂ ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନେ ଅନଲାଇନ ମାଧ୍ୟମରେ ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି।”

ଏହି ଅବସରରେ ଓଡ଼ିଆ ଭାଷା ଓ ଭାଷା ବିଜ୍ଞାନ କ୍ଷେତ୍ରକୁ ଅନନ୍ୟ ଅବଦାନ ପାଇଁ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ସଂରକ୍ଷଣ ଫେବ୍ରୁଆରି ୩ରୁ ୫ ତାରିଖ ତିନିଦିନ ଧରି ଆୟୋଜିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି ‘ଭାଷା ହିଁ ଭବିଷ୍ୟତ’। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ଵର ଜନତା ମଇଦାନଠାରେ ଭବ୍ୟ ଆୟୋଜନ କରାଯାଇଛି।

Tags: #WorldOdiaLanguageConference #WorldOdiaLanguageConference2024 #Inauguration #CMOdisha #NaveenPatnaik #BiswoOdiaBhashaSammana

LEAVE A REPLY

Please enter your comment!
Please enter your name here