ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି, ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ। ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଭାଷା ମହାକୁମ୍ଭ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ଵରସ୍ଥିତ କଳାମଣ୍ଡଳ ପରିସରରେ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିନୀକୁ ଆହୁରି ସ୍ମରଣୀୟ କରିବା ପାଇଁ କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷର ଭୂମି। ଅକ୍ଷର ଭୂମିର କାନ୍ଥବାଡ଼ରେ ଝଲସୁଛି ଓଡ଼ିଆ ଲିପି। ପଥର ଖୋଦିତ ଅକ୍ଷର ସାଙ୍ଗକୁ ଆକର୍ଷର କେନ୍ଦ୍ରବିନ୍ଦୁ ପାଲଟିଛି ଓଡ଼ିଆ ଅକ୍ଷର ‘ଅ’। ଓଡ଼ିଆ ଭାଷାର ସୌନ୍ଦର୍ଯ୍ୟ, ଓଡ଼ିଶାର କଳା ସଂସ୍କୃତି ଓ ଖାଣ୍ଡେଲାଇଟ ପଥରରେ ଲିପିବଦ୍ଧ ହୋଇଥିବା କଳିଙ୍ଗ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଏହା ମାଧ୍ୟମରେ ପ୍ରତିଫଳିତ ହେଉଛି।
ଅକ୍ଷର ଭୂମିର ଲୋକାର୍ପଣ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ଵର ମହାନଗର ନିଗମ ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂହ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର କାର୍ତ୍ତିକେୟନ ପ୍ରମୁଖ ଯୋଗ ଦେଇଥିଲେ।
Tags: #WorldOdiaLanguageConference # WorldOdiaLanguageAward2024 #Inauguration #CMOdisha #NaveenPatnaik #BiswoOdiaBhashaSammana