ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଚାଷୀଙ୍କ ପର୍ବ ନୂଆଁଖାଇ ଅବସରରେ ଚାଷୀଙ୍କୁ ଦିଆଯାଇଛି ‘କାଳିଆ’ ଟଙ୍କା। ପ୍ରତ୍ୟେକ ଚାଷୀଙ୍କୁ କାଳିଆ ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।

ଏହି ଯୋଜନାରେ ରାଜ୍ୟର ସମସ୍ତ ଜିଲ୍ଲାର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାର ଉପକୃତ ହେବେ। ୨୦୨୨-୨୩ ଆର୍ଥିକ ବର୍ଷର ରବି ଋତୁ ପାଇଁ ୮୬୯ କୋଟିରୁ ଅଧିକ ଟଙ୍କାର କାଳିଆ ସହାୟତା ରାଶି ସିଧାସଳଖ ପ୍ରଦାନ କରାଯାଇଛି।

ଏହା ପୂର୍ବରୁ ଚଳିତ ବର୍ଷ ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ କାଳିଆ ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ସେତେବେଳେ ୪୧ ଲକ୍ଷରୁ ଅଧିକ ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇଥିଲେ। ବର୍ଷକୁ ଦୁଇଥର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଏବଂ ନୂଆଁଖାଇ ଅବସରରେ ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ।

୨୦୧୮ ମସିହାରେ କୃଷି ଓ କୃଷକଙ୍କ ସାମୂହିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଏବେ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ, ଭାଗ ଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି।

Tags: #KaliaYojana #KaliaScheme #Nuakahai #CMOdisha #NaveenPatnaik #Farmer

LEAVE A REPLY

Please enter your comment!
Please enter your name here