ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଦିବସ ଅବସରରେ ଓଡ଼ିଶାର କୃଷକମାନଙ୍କୁ ‘କାଳିଆ ଯୋଜନା’ର ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏହି ଅବସରରେ ରାଜ୍ୟ ସରକାର ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮୭୭ କୋଟି ଟଙ୍କା ପଠାଇଛନ୍ତି। ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ କୃଷକମାନଙ୍କୁ ଏହି ସହାୟତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷକମାନଙ୍କୁ ଟଙ୍କା ପ୍ରଦାନ କରିଥିଲେ।

“ଚାଷୀଙ୍କ ଉନ୍ନତିରେ ରାଜ୍ୟର ବିକାଶ ଯୋଡ଼ି ହୋଇ ରହିଛି। ଓଡ଼ିଶା ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭର ହୋଇଛି। ଆମେ ଏହା ସହିତ ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ଖାଦ୍ୟ ଯୋଗାଉଛୁ। ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି”, କହିଛନ୍ତି ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ଚାଷୀମାନେ କୃଷିର ଉନ୍ନତି ପାଇଁ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ଆବଶ୍ୟକ। ଚାଷୀମାନଙ୍କୁ ଫସଲ ବିବିଧକରଣ ଉପରେ ଗୁରୁତ୍ଵ ଦେବା ଉଚିତ। ଏବେ ରାଜ୍ୟରେ ଚାଷୀମାନଙ୍କ ପାଇଁ ଅନେକ ଶସ୍ୟ ଭିତ୍ତିକ ଯୋଜନା କାର୍ଯ୍ୟକରୀ ହୋଇଛି।  ଚାଷୀମାନେ ଏହାର ଫାଇଦା ଉଠାଇବା ଆବଶ୍ୟକ।”

ଏହି ଅବସରରେ କାଳିଆ ଯୋଜନାରେ ଲାଭବନ ହୋଇଥିବା କିଛି ଚାଷୀ ସେମାନଙ୍କ ଅନୁଭୂତିକୁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଶନିବାର ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ଚାଷୀମାନଙ୍କୁ କାଳିଆ ଯୋଜନା ସହାୟତା ପ୍ରଦାନ କରାଯାଇଥିଲା।

“କାଳିଆ ଯୋଜନା ଆଜି ରାଜ୍ୟର ଚାଷୀମାନଙ୍କୁ ଆତ୍ମନିର୍ଭର କରିଛି। ସେମାନେ ଏବେ ଚାଷ ପାଇଁ ଅନ୍ୟମାନଙ୍କଠାରୁ ଧାର ନେଉ ନାହାନ୍ତି। ଏହା ସେମାନଙ୍କ ମନୋବଳ ବୃଦ୍ଧି କରିଛି”, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

 ଏହି କାଳିଆ ସହାୟତା ପ୍ରଦାନ ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କେ ପାଣ୍ଡିଆନ, କୃଷି ବିଭାଗର  ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ଉନ୍ନୟନ କମିଶନର ଅନୁ ଗର୍ଗ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #KaliaYojana #CmNaveenPatnaik #Farmers #DirectBenefitTransfer #AgricultureDept #Odisha

LEAVE A REPLY

Please enter your comment!
Please enter your name here