ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଆସିବା ପରେ ରାଜ୍ୟରେ ସମସ୍ତ ବର୍ଗର ବ୍ୟକ୍ତି କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ପରିସ୍ଥିତିରେ କାଳିଆ ହିତାଧିକାରୀଙ୍କୁ କୋଭିଡ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ।

ଲକ୍ଷ ଲକ୍ଷ ଭୂମିହୀନ କୃଷକ ପରିବାର ଏଥିରୁ ଉପକୃତ ହେବେ। ଏହା ଫଳରେ ନବୀନ ପଟ୍ଟନାୟକ ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ କୁହାଯାଇଥିବା କାଳିଆ ଯୋଜନାର ହିତାଧିକାରୀଙ୍କ ପ୍ରତି ଆବଶ୍ୟକୀୟ ଦୃଷ୍ଟି ଦିଆଯାଇଛି ବୋଲି ବୁଝିବାକୁ ହେବ। କହିବା ବାହୁଲ୍ୟ ଯେ, ରାଜ୍ୟରେ ଚାଷ ଓ ଚାଷୀର ଉନ୍ନତି ପାଇଁ ବିଜେଡ଼ି ସରକାର ବରାବର ଉଦ୍ୟମ କରି ଆସିଛି। କରୋନା ସମୟରେ ମଧ୍ୟ ସେହି ଉଦ୍ୟମକୁ ଜାରି ରଖିଛନ୍ତି ସରକାର ଏହା ଅତି ଉତ୍ତମ କଥା।ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା  ଘୋଷଣା  କରିଥିଲେ। ଘୋଷଣା ଅନୁସାରେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ୧୮ଲକ୍ଷ ଭୂମିହୀନ ଚାଷୀଙ୍କୁ ଏହି ସାହାଯ୍ୟ ଦିଆଯିବ। ଏ ବାବଦକୁ  ମୋଟ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ ସରକାର। ଗତ ଜୁନ୍ ୧୭ ତାରିଖରେ ରାଜ୍ୟର ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଆଦିବାସୀଙ୍କ ପାଇଁ ୧ ହଜାର ୬୯୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଥିଲେ। ସେହି ଘୋଷଣାର ଆଉ ପାଦେ ଆଗକୁ ଯାଇ କାଳିଆ ଯୋଜନାରେ ସାମିଲ ଭୂମିହୀନ ଚାଷୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ଅତିରିକ୍ତ କୋଭିଡ ସହାୟତା ପ୍ରଦାନ କରିବେ ସରକାର।୨୦୧୯ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରେ କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା କାଳିଆ ଯୋଜନା। ଅତିରିକ୍ତ ସହାୟତା ବିଷୟ ଘୋଷଣା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ଚାଷୀ, ଶ୍ରମିକ ଓ ଖଟିଖିଆ ହେଉଛନ୍ତି ଆମ ଅର୍ଥନୀତିର ନାଭି କେନ୍ଦ୍ର। ଏମାନଙ୍କୁ ବାଦ ଦେଇ ରାଜ୍ୟର ଉନ୍ନତି କଥା ଚିନ୍ତା କରିବା ଅସମ୍ଭବ।ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ଓ ପ୍ରାୟ ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି। ତେବେ ରାଜ୍ୟରେ ଭୂମିହୀନ ଚାଷୀଙ୍କ ସଂଖ୍ୟା ଖୁବ ଅଧିକ। ଏହି କାରଣରୁ ସେମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ସମୟରେ ଯେଉଁ କାର୍ଯ୍ୟକ୍ରମ ଓ ଯୋଜନା କରାଯାଇଛି ତାହା କୃଷି ଓ କୃଷକଙ୍କ ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ କେବଳ ପ୍ରମାଣ କରୁଛି।

Comment