ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

“ଓଡ଼ିଶାର ସାଢ଼େ ୪ କୋଟି ଜନତା ହେଉଛନ୍ତି ମୋ ପରିବାର। ମୋ ପରିବାର ଉପରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି। ପରିବାର ପାଖରେ ଯାହା ପ୍ରତିଶ୍ରୁତି ଦେଇଛି, ତାହା ପୂରଣ କରିଛି ଏବଂ ଆଗକୁ କରୁଥିବି ମଧ୍ୟ”

ନିର୍ବାଚନ ପୂର୍ବରୁ ମଙ୍ଗଳବାର ଶେଷ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଗତ ୫ ବର୍ଷ ଭିତରେ ସରକାର କି କି ଯୋଜନା ଲାଗୁ କରିଛନ୍ତି ଏବଂ କଣ ସବୁ ଉପଲବ୍ଧି ହୋଇଛି ସେ ନେଇ ସମୀକ୍ଷା ହୋଇଛି।

ବିଜେଡି ଦେଇଥିବା ପ୍ରତିଶ୍ରୁତି ପୂରଣ ନେଇ ମୁଖ୍ୟମନ୍ତ୍ରୀ ବୈଠକରେ ସୂଚନା ଦେଇଛନ୍ତି। ନବୀନ କହିଛନ୍ତି, “୫ ବର୍ଷ ତଳେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ଆମେ ପାଳନ କରିଛୁ। ଆମ ରାଜ୍ୟରେ ଯୁବପିଢ଼ିଙ୍କୁ ମଜବୁତ କରିବାପାଇଁ ଶିକ୍ଷା ଋଣ ଦିଆଯାଉଛି। ଲୋକଙ୍କ ସୁବିଧା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ହୋଇଛି। ସେହିପରି ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟ କରାଯାଇଛି।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାର ସାଢ଼େ ୪ କୋଟି ଜନତା ହେଉଛନ୍ତି ମୋ ପରିବାର। ମୋ ପରିବାର ଉପରେ ପ୍ରଭୁ ଜମନ୍ନାଥଙ୍କ ଆଶୀର୍ବାଦ ରହିଛି। ପରିବାର ପାଖରେ ଯାହା ପ୍ରତିଶ୍ରୁତି ଦେଇଛି, ତାହା ପୂରଣ କରିଛି ଏବଂ ଆଗକୁ କରୁଥିବି ମଧ୍ୟ।”

ସେହିପରି ରାଜ୍ୟ ଅର୍ଥ ଓ କୃଷିମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି, “କୃଷକଙ୍କ ପାଇଁ ରାଜ୍ୟ ସରକାର ଏକ ମହତ୍ୱାକାଂକ୍ଷୀ ଯୋଜନା କରିଛନ୍ତି, ଯାହାର ନାଁ ହେଉଛି ‘କାଳିଆ’ ଯୋଜନା। କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଏହା ଏକ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା। ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅନ୍ତର୍ଗତ ୩୨ ଲକ୍ଷ ଆକାଉଣ୍ଟରେ ୧୬କୋଟି ଟଙ୍କା  ପଠାଯାଇଛି।”

ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ଆଉ ୪.୮ଲକ୍ଷ ଚାଷୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହି ଯୋଜାନାରେ ଆସୁଥିବା ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଯାଇଥିବା ରାଜ୍ୟ ଅର୍ଥ ଓ କୃଷିମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here