ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରବି ଫସଲ ପାଇଁ ନୂଆଁଖାଇରେ କାଳିଆ ସହାୟତା
  • ଉପକୃତ ହେବେ ୩୭ ଲକ୍ଷ ଚାଷୀ ପରିବାର
  • ବ୍ୟାଙ୍କ ଆକାଉଣ୍ଟକୁ ଗଲା ୭୪୩ କୋଟି
  • ସାର ଯୋଗାଣ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସହ ଯୋଗାଯୋଗରେ ଅଛୁ- ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ ଟଙ୍କା’। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ୩୭ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୭୪୨.୫୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି।

ଚାଷୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରି  ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  “ଚାଷୀର ସମସ୍ୟା ହେଉଛି ଆମ ସମସ୍ତଙ୍କ ସମସ୍ୟା। ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ। ସାର ନେଇ ଯେଉଁ ସମସ୍ୟା ଦେଖା ଦେଇଛି, ତାହାର ସମାଧାନ ପାଇଁ ମୁଁ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛି। ଏଥିସହ ଏମଏସପି ଓ ଫସଲ ବୀମା ସମ୍ପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି।”ସେ ଆଉ ମଧ୍ୟ କହିଥିଲେ, “ସରକାର ସବୁବେଳେ ଚାଷୀମାନଙ୍କ ସାଥିରେ ଅଛନ୍ତି। ଚଳିତ ବର୍ଷ ଅଗଷ୍ଟରେ କମ୍‌ ବର୍ଷା ହୋଇଛି। ତେବେ ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି। କୃଷି ବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ଚାଷୀମାନଙ୍କ ସହ ଯୋଡ଼ି ହୋଇ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ଅନ୍ୟପଟେ କୃଷି ବିଭାଗର ପରାମର୍ଶ ଅନୁଯାୟୀ ଚାଷୀ ଭାଇମାନେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଥମେ ଚାଷୀମାନଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇ କହିଥିଲେ, ଏହା ହେଉଛି ମାଟି ମା’ର ପର୍ବ, ଆଉ କୃଷକମାନେ ହେଉଛନ୍ତି ମାଟି ମା’ର ସବୁଠାରୁ ବଡ ପୂଜାରୀ। ଏଭଳି ପବିତ୍ର ଦିନରେ ଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ସେ ଖୁସି ପ୍ରକାଶ କରିଥିଲେ।ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ସମ୍ପର୍କରେ ଆଉ ମଧ୍ୟ କହିଥିଲେ, “କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା। ଭୂମିହୀନ ଚାଷୀମାନଙ୍କୁ ସହାୟତା ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ। ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି। କୋଭିଡ ମହାମାରୀ ଆରମ୍ଭ ହେବାଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି।”

ନୟାଗଡ଼ରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।

ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ। କୃଷି ସଚିବ ଏସ୍ କେ ବଶିଷ୍ଠ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Comment