ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଦର୍ଶ ବିଦ୍ୟାଳୟରେ ନୂଆ ଶିକ୍ଷକ ନିଯୁକ୍ତ
  • ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶ ପାଇଁ ରୋଲ ମଡେଲ ହେଉ – ମୁଖ୍ୟମନ୍ତ୍ରୀ
  • ଗୁରୁଦିବସରେ ଗୁରୁଙ୍କୁ ମୁଖ୍ୟମନ୍ତ୍ରୀ ଦଶ ସୂତ୍ରୀ

ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟର ସବୁ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୪୪୩ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ୧୫୬ଜଣ ଶିକ୍ଷୟିତ୍ରୀ ସ୍ଥାନ ପାଇଛନ୍ତି। ଏଥିସହ ଗୁରୁଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସଫଳତା ପାଇଁ ସଠିକ୍ ଭାବରେ ଗାଇଡ କରିବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।

ଗୁରୁଦିବସରେ ଲୋକସେବା ଭବନର କନଭେନସନ ସେଣ୍ଟରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକମାନଙ୍କୁ ସ୍ଵାଗତ କରି କହିଥିଲେ, “ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ହେଉଛି ମୋର ଲକ୍ଷ୍ୟ। ଏହି ଉଦ୍ଦେଶ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟ ଜରିଆରେ ଇଂରାଜୀ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢ଼ାଯାଉଛି। ବିଶେଷକରି ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନେ ଏହାଦ୍ଵାରା ଉପକୃତ ହେଉଛନ୍ତି। ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସଫଳତା ହାସଲ କରି ସାରା ଦେଶରେ ଆଦର୍ଶ ବିଦ୍ୟାଳୟଗୁଡିକୁ ରୋଲ ମଡେଲ କରିବା ଆମର ଲକ୍ଷ୍ୟ।”

ସେ ଆଉ ମଧ୍ୟ କହିଥିଲେ, “ଜାତୀୟ ସ୍ତରର ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ ଏହି ବିଦ୍ୟାଳୟଗୁଡିକୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ପିଲାମାନଙ୍କ ମନରେ ଯେପରି ଆଶା ଓ ଆତ୍ମବିଶ୍ଵାସ ବୃଦ୍ଧି ହେବ ଏବଂ ସେମାନେ ଏହି ପ୍ରତିଯୋଗିତାମୂଳକ ଦୁନିଆରେ ସବୁପ୍ରକାର ବାଧାବିଘ୍ନକୁ ଅତିକ୍ରାନ୍ତ କରି ସଫଳତାର ପାହାଚ ଚଢିପାରିବେ ତାହା ଆଦର୍ଶ ବିଦ୍ୟାଳୟ ଗଠନର ଲକ୍ଷ୍ୟ।”

ପ୍ରତି ଛାତ୍ରଛାତ୍ରୀଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ଶିକ୍ଷକମାନେ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ଵାନ ଦେବା ସହ ଆଦର୍ଶ ବିଦ୍ୟାଳୟଗୁଡିକ ପାଇଁ ଏକ ଦଶ ସୂତ୍ରୀ ଲକ୍ଷ୍ୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ ପିଲାମାନଙ୍କୁ ରକ୍ତଦାନ, ପରିବେଶ ସୁରକ୍ଷା, ସାକ୍ଷରତା ଅଭିଯାନରେ ସାମିଲ କରିବା, ଯୋଗ, କ୍ରୀଡା ଓ ସୁସ୍ଥ ଜୀବନଶୈଳୀ ଆଦି ପାଇଁ ଉତ୍ସାହିତ କରିବା, ଜାତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା, ସ୍କୁଲ ସମୟରୁ ଦକ୍ଷତାର ବିକାଶ ପ୍ରତି ଯତ୍ନବାନ ହେବା ଆଦି  ବିଭିନ୍ନ ବିଷୟ ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ଏତଦବ୍ୟତୀତ ପ୍ରତି ଆଦର୍ଶ ବିଦ୍ୟାଳୟକୁ ଏକ ଦଶ ବର୍ଷିଆ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ୨୦୨୧ର ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଭଦ୍ରକ ଜିଲ୍ଲା ସ୍କୁଲର ସହକାରୀ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଓ ଛତ୍ରପୁର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠୀଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇ ଆଦର୍ଶ ବିଦ୍ୟାଳୟ ପିଲାଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ।

୫-ଟି ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏଥିସହ ନବ ନିଯୁକ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି କେ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comment