ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରରେ ଆସିଥିବା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଗୁରୁବାର ଦିନ ରଣପୁରଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୫-ଟି ସଚିବଙ୍କ ଗସ୍ତକୁ ତୀବ୍ର ବିରୋଧ କରାଯାଇଥିଲା।

ରଣପୁର ଜେଲ ପଡ଼ିଆ ହେଲିପ୍ୟାଡରୁ ରଣପୁର ଟାଉନକୁ ଆସୁଥିବା ସମୟରେ ଶତାଧିକ ବିଜେପି ଯୁବମୋର୍ଚ୍ଚା କର୍ମୀ କଳାପତାକା ଧରି ସାମୁକାସାହି ମୁଖ୍ୟ ରାସ୍ତାଠାରେ ପ୍ରତିବାଦ ଜଣାଇଥିଲେ। ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ। କିଛି ସମୟ ଥାନାରେ ଅଟକ ରଖିବା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିଲା।

ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତକୁ କଂଗ୍ରେସ ପକ୍ଷରୁ ମଧ୍ୟ ବିରୋଧ କରାଯାଇଥିଲା। ତ୍ରିନାଥ ଛକ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ କର୍ମକର୍ତ୍ତା ଏବଂ ସମର୍ଥକ କଳାବ୍ୟାଚ୍ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଇଥିଲେ।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ୫-ଟି ସଚିବଙ୍କୁ ରାସ୍ତା ବଦଳାଇ ରଣପୁର ଟାଉନ ଜଗନ୍ନାଥ ମନ୍ଦିର, ମଣିନାଗ ମନ୍ଦିର, ସ୍ଥାନୀୟ ହସ୍ପିଟାଲ ଏବଂ ବ୍ଲକ ରୋଡ ମହୋତ୍ସବ ପଡ଼ିଆରେ ଆୟୋଜିତ ମିଶନଶକ୍ତି ମହିଳା ସମାବେଶରେ ଯୋଗ ଦେବା ଲାଗି ନେଇ ଯାଇଥିଲେ।

କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପାଣ୍ଡିଆନଙ୍କ ରଣପୁର ଗସ୍ତ ସମୟରେ ସହରର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଶାଖା ରାସ୍ତାକୁ ବାଉଁଶ ବାନ୍ଧି ସିଲ କରାଯାଇଥିଲା। ପ୍ରାୟ ୨ ଘଣ୍ଟା ଧରି ଏହି ରାସ୍ତାରେ ଯାତାୟତ ବନ୍ଦ ରହିଥିଲା। ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ସାଥିରେ ରହିଥିଲେ।

୫-ଟି ସଚିବ ପାଣ୍ଡିଆନ ଦଶପଲ୍ଲାର ମହାବୀର ମନ୍ଦିର ଏବଂ ଅନ୍ୟ କେତେକ ସ୍ଥାନ ପରିଦର୍ଶନ କରିବା ପରେ ସେଠାରୁ ଭାପୁର ଏବଂ ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାହ୍ଣ ପ୍ରାୟ ୪ଟା ବେଳେ ନୟାଗଡ଼ଠାରେ ପହଞ୍ଚି ଥିଲେ।

ଭିକେ ପାଣ୍ଡିଆନ ଷ୍ଟାଡିୟମ ପଡ଼ିଆରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବା ପରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ନୟାଗଡ଼ ଜିଲ୍ଲା ହସ୍ପିଟାଲ ପରିସରରେ ୧୦୦ ୱାର୍ଡ ରୋଗୀ ସେବା ବିଲ୍ଡିଂ ପରିଦର୍ଶନ କରିଥିଲେ।

୫-ଟି ସଚିବ ଗୁରୁବାର ଦିନ ନୟାଗଡ଼ରେ ରାତ୍ରୀଯାପନ କରି ଶୁକ୍ରବାର ଦିନ ନୟାଗଡ଼ ଏବଂ ଖଣ୍ଡପଡ଼ା ବ୍ଲକରେ ଆୟୋଜିତ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: #Politics #OdishaPolitics #5TSecretarysNayagarhVisit #Bjp #Congress #Protest

Comment