ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଁଖାଇ ଅବସରରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଚାଷୀଙ୍କ ପର୍ବ ଅବସରରେ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ପ୍ରଦାନ କରାଯିବ। ପ୍ରତି ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ। ଏହି ଯୋଜନାରେ ୪୧ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ପ୍ରଦାନ କରିବେ ମୋଟ ୮୬୯ କୋଟି ଟଙ୍କା। ଏନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି କୃଷି ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ।

କୃଷି ନିର୍ଦ୍ଦେଶକ କହିଛନ୍ତି କାଳିଆ ଯୋଜନାରେ ଟଙ୍କା ପାଇବାକୁ ଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯିବ। ଏହି ଯୋଜନାରେ ଭୂମିହୀନ ଏବଂ ନାମମାତ୍ର ଚାଷୀ ମଧ୍ୟ ଉପକୃତ ହେବେ। କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନମାନଙ୍କ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ଭୂମିହୀନଙ୍କୁ ୧୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ସରକାର ଯୋଜନା କରିଛନ୍ତି ବୋଲି କୃଷି ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି।

ଏହା ପୂର୍ବରୁ ଚଳିତ ବର୍ଷ ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ କାଳିଆ ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ସେତେବେଳେ ୪୧ ଲକ୍ଷରୁ ଅଧିକ ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇଥିଲେ। ବର୍ଷକୁ ଦୁଇଥର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଏବଂ ନୂଆଁଖାଇ ଅବସରରେ ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ। ଚାଷୀଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ନିମନ୍ତେ ରାଜ୍ୟ ସରକାର ୨୦୧୯ ମସିହା ଜାନୁଆରି ମାସରୁ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି।

Tags: #CMOdisha #KaliaJojana #Farmer #Nuakhai

LEAVE A REPLY

Please enter your comment!
Please enter your name here