ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର। ନବୀନଙ୍କୁ ହତ୍ୟା କରିବା ପାଇଁ କିଛି ପେସାଦାର ସୁପାରି କିଲର ଯୋଜନା କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରରେ ଏକେ-୪୭ ଓ ସ୍ୱୟଂଚାଳିତ ପିସ୍ତଲ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପହଞ୍ଚି ସାରିଛି। ନବୀନ ନିବାସରେ ଏଭଳି ଏକ ଚିଠି ପହଞ୍ଚିଥିବା ଜଣାପଡ଼ିଛି। ଏହି ଚିଠି ମିଳିବା ପରେ ନବୀନ ନିବାସ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଗୃହ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛି। ଏହି ଚିଠି କିଏ ପଠାଇଛି, କେଉଁଠୁ ଆସିଛି ସେସମ୍ପର୍କରେ ଜାଣିବା ପାଇଁ ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଓ ପୋଲିସ କମିସନରଙ୍କୁ ଗୃହ ବିଭାଗ ସଚିବ ସନ୍ତୋଷ ବାଲା ନିର୍ଦ୍ଦେଶ ଦେଇଛନ୍ତି।

ଚିଠିଟିକୁ ଇଂରାଜୀରେ ଲେଖାଯାଇଛି। କିଛି ପେସାଦାର ସୁପାରି କିଲର ନବୀନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ସେମାନଙ୍କ ନିକଟରେ ଏକେ-୪୭ ଓ ସ୍ୱୟଂଚାଳିତ ପିସ୍ତଲ ରହିଛି। ଅପରାଧୀମାନେ ୧୭ଟି ଗାଡ଼ିରେ ନବୀନଙ୍କୁ ପିଛା କରୁଛନ୍ତି। ସେମାନେ ଯେକୌଣସି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିପାରନ୍ତି। ତେଣୁ ସତର୍କ ରହିବା ପାଇଁ ଚିଠିରେ କୁହାଯାଇଛି।ଅଧିକ ତଥ୍ୟ ହାସଲ କରିବା ପାଇଁ ଏହି ଚିଠିକୁ ଫୋରେନସିକ୍ ଟେଷ୍ଟ ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ଏଥିସହ ଚିଠିରେ ଉଲ୍ଲେଖ ଥିବା ୧୭ଟି ଗାଡ଼ି ନମ୍ବରକୁ ଯାଞ୍ଚ କରାଯାଉଛି। ସେହିପରି ନବୀନ ନିବାସରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କୁ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି।

ଗତ ୨୦୧୦ ମସିହା ଜାନୁଆରି ୨୫ ତାରିଖରେ ମଧ୍ୟ ନବୀନଙ୍କ ଅଫିସିଆଲ ମେଲ ଆଇଡିକୁ ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା। ଶୁଭଶ୍ରୀ ଦାସ ନାମକ ଜଣେ ମହିଳା ମାଓବାଦୀଙ୍କୁ ମୁକ୍ତ କରିବାକୁ ଏଥିରେ କୁହାଯାଇଥିଲା। ତା ନହେଲେ ମୁଖ୍ୟମନ୍ତ୍ରୀଙ୍କୁ ଜାନୁଆରି ୨୬ ତାରିଖରେ ହତ୍ୟା କରାଯିବ ବୋଲି ଚିଠିରେ ଧମକ ଦିଆଯାଇଥିଲା। କମିସନରେଟ୍ ଏହି ଘଟଣାର ତଦନ୍ତ କରି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରିଥିଲା। ଉକ୍ତ ଯୁବକ ନିଜ ସମ୍ପର୍କୀୟ ଭାଇଙ୍କ ପାସଓ୍ୱାର୍ଡ ଚୋରି କରି ଏପରି ମେଲ୍ ପଠାଇଥିବା ପୋଲିସ କହିଥିଲା।

LEAVE A REPLY

Please enter your comment!
Please enter your name here