ଓଡ଼ିଶାଲାଇଭ୍ ବ୍ୟୁରୋ

  • ବଲାଙ୍ଗିରର ବିକାଶରେ ଯୋଡ଼ି ହେଲା ନୂଆ ଅଧ୍ୟାୟମୁଖ୍ୟମନ୍ତ୍ରୀ
  • ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ଜଳ ସେଚନ ପ୍ରକଳ୍ପ ଦ୍ଵାରା ଉପକୃତ ହେବେ ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୮୦ ହଜାରୁ ଊର୍ଦ୍ଧ୍ଵ ଚାଷୀ
  • ,୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ରାଜ୍ୟ ସରକାର

(ବଲାଙ୍ଗିର): ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ହେଲା। ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ବୁଧବାର ଦିନ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଆଜି ବଲାଙ୍ଗିରର ବିକାଶରେ ନୂଆ ଅଧ୍ୟାୟ ଜୋଡ଼ି ହେଲା। ଆଜିଠାରୁ ଲୋୟର ସୁକତେଲ ପ୍ରକଳ୍ପ ଦ୍ଵାରା ବଲାଙ୍ଗିର ଜିଲ୍ଲାର ଚାଷୀଭାଇମାନଙ୍କର ଜଳ କଷ୍ଟ ଦୂର ହେଲା। ଏହି ପ୍ରକଳ୍ପ ବଲାଙ୍ଗିରର ଜଳସେଚନ ଏବଂ କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ।”

ଲୋୟର ସୁକତେଲ ପ୍ରକଳ୍ପ ହେଉଛି ରାଜ୍ୟର ନବମ ସର୍ବବୃହତ ବନ୍ଧ। ଏହାର ଉଚ୍ଚତା ୩୧ ମିଟର ରହିଛି। ଏହି ପ୍ରକଳ୍ପ ଦ୍ଵାରା ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ୨୦୩ଟି ଗାଁର ଏକ ଲକ୍ଷ ଏକର ଜମିକୁ ଜଳ ସେଚନର ସୁବିଧା ମିଳିବ। ଏଥିରୁ ଉପକୃତ ହେବେ ୮୦ ହଜାରରୁ ଅଧିକ ଚାଷୀ। ଏହା ସହ ଜିଲ୍ଲାର ୭୦ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ପାନୀୟ ଜଳର ଆବଶ୍ୟକତା ପୂରଣ ହେବ।   

୨୦୧୯ ମସିହାରୁ ୫-ଟି ଉପକ୍ରମରେ ଏହି ପ୍ରକଳ୍ପକୁ ତ୍ଵରାନ୍ଵିତ କରାଯାଇ କାମ ସମ୍ପୂର୍ଣ୍ଣ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ଭୂତଳ ପାଇପ୍ ଯୋଗେ ଜଳସେଚନର ବ୍ୟବସ୍ଥା କରାଯାଇଛି।

ଏହି ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ୨୯ଟି ଗାଁର ଲୋକଙ୍କ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ସମ୍ମାନ ଜଣାଇବା ସହ ବଲାଙ୍ଗିର ଜିଲ୍ଲାରର ବିକାଶ ପାଇଁ ସେମାନଙ୍କ ତ୍ୟାଗ ସବୁଦିନ ମନେ ରହିବ ବୋଲି କହିଥିଲେ।

ଜିଲ୍ଲାରେ ସ୍ଵାସ୍ଥ୍ୟ ଭିତ୍ତିଭୂମି, ପର୍ଯ୍ୟଟନ, ଯୋଗାଯୋଗ, କ୍ରୀଡ଼ା, ଶିକ୍ଷା ଏବଂ ସଂସ୍କୃତିର ବିକାଶ ଲାଗି ଅନେକ ପ୍ରକଳ୍ପ ଆରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପାଇଁ ୨,୨୨୦ କୋଟି ଟଙ୍କା ବ୍ୟୟରେ ୧୧୨ଟି ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା। ଏହା ସହ ୩୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅନ୍ୟ ୬୯ଟି ପ୍ରକଳ୍ପର ଉଦଘାଟନ କରାଯାଇଥିଲା।

“ବଲାଙ୍ଗିର ଜିଲ୍ଲା ଏବେ ଶିକ୍ଷା, ସ୍ଵାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଉନ୍ନତି କରୁଛି। ହରିଶଙ୍କର ପୀଠ ସହିତ ଜିଲ୍ଲାର ମଠ ମନ୍ଦିରଗୁଡ଼ିକର ରୂପାନ୍ତର କାମ ଚାଲିଛି। କୃଷି କ୍ଷେତ୍ରରେ ଉନ୍ନତି ସହିତ ଜିଲ୍ଲାରେ ରୂପାନ୍ତରର ଏକ ନୂଆ ଯୁଗ ଆସିବ। ମୋର ବିଶ୍ଵାସ, ଆପଣମାନଙ୍କ ସହଯୋଗରେ ବଲାଙ୍ଗିର ଜିଲ୍ଲା ରାଜ୍ୟର ବିକାଶରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବ”, କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଆଜି ବଲାଙ୍ଗିର ଜିଲ୍ଲାବାସୀଙ୍କର ଦୀର୍ଘ ଦିନର ସ୍ଵପ୍ନ ପୂରା ହୋଇଥିବା କହିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପାଟଣାଗଡ଼ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସରୋଜ ମେହେର, ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ, ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଯୋଗ ଦେଇଥିଲେ। ଉନ୍ନୟନ କମିଶନର ଅନୁ ଗର୍ଗ ସ୍ଵାଗତ ଭାଷଣ ଦେଇଥିବାବେଳେ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #LowerSuktelProject #CMNaveenPatnaik #Balangir #IrrigationProject #Inauguration

Comment