ଭାସ୍କର ପରିଚ୍ଛା

କେବଳ ରାଜନୀତି ନୁହେଁ, ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ସିଦ୍ଧି ହିଁ ନବୀନଙ୍କ ଏକମାତ୍ର ନୀତି।

ସେବା, ବିକାଶ ଓ ସୁଶାସନ ଜରିଆରେ ସମଗ୍ର ଦେଶକୁ ନୂଆ ଦିଗ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ସାନପୁଅ ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ଯେତେବେଳେ ରାଜନୀତିକୁ ପ୍ରବେଶ କଲେ, ସେ ସମୟରେ କେହି ଭାବିନଥିଲେ ଦିନେ ନବୀନ ସବୁ ବିଚକ୍ଷଣ ନେତାଙ୍କ ବୁଦ୍ଧି ହଜେଇ ଦେବେ।

ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲୋକପ୍ରିୟତାର ଶୀର୍ଷରେ ଥିବା ସମଗ୍ର ଦେଶରେ ସେ ଜଣେ ଅପ୍ରତିଦ୍ୱନ୍ଦ୍ଵି ନେତା। କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ନବୀନଙ୍କ ନିକଟରେ ବିରୋଧୀଙ୍କ ସବୁ ଅସ୍ତ୍ର ଫେଲ ମାରିଛି। କାରଣ ସେ ଲୋକଙ୍କ ହୃଦୟର ନେତା, ଜନମାନସର ନେତା।

୧୯୯୭ ଆସିକା ଲୋକସଭା ଆସନ ପାଇଁ ଉପନିର୍ବାଚନଠାରୁ ଆରମ୍ଭ କରି ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ତାଙ୍କର  ଇନିଂସ ଅତି ଲମ୍ବା। ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଓଡ଼ିଶା ରାଜନୀତିକୁ ସେ ପ୍ରବେଶ କରିଥିଲେ। ବିଜୁ ପଟ୍ଟନାୟକଙ୍କ ପ୍ରତି ଥିବା ରାଜ୍ୟବାସୀଙ୍କ ଭଲ ପାଇବା ଓ ସ୍ନେହ ଶ୍ରଦ୍ଧାକୁ ସମ୍ମାନ ଦେଇ ପ୍ରଥମେ ୧୯୯୭ ମସିହାରେ ଜନତା ଦଳ ପ୍ରାର୍ଥୀ ଭାବେ ଆସିକା ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଜିତିଥିଲେ ନବୀନ ପଟ୍ଟନାୟକ।

ପରେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ କେତେ ଜଣ ବିଜୁ ଅନୁଗତଙ୍କୁ ନେଇ ଗଠନ ହେଲା ବିଜୁ ଜନତା ଦଳ (ବିଜେଡି)। ୧୯୯୮ ଓ ୧୯୯୯ ମସିହାରେ ବିଜେଡିରୁ ଦୁଇ ଦୁଇଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ୧୯୯୯ ମସିହା ମହାବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲାରେ ତତ୍କାଳୀନ କଂଗ୍ରେସ ସରକାରର ଚରମ ବିଫଳତା ପରେ ଓଡ଼ିଶାବାସୀ କଂଗ୍ରେସ ଉପରୁ ମୁହଁ ଫେରାଇ ନେଇ ଭରସା କରିଥିଲେ ନବୀନଙ୍କ ଉପରେ।

ବର୍ଷ ୨୦୦୦ରେ ଶାସନ ଭାର ସମ୍ଭାଳିବା ଦିନଠାରୁ ଓଡ଼ିଶାବାସୀଙ୍କୁ ଦୁର୍ନୀତିମୁକ୍ତ, ସ୍ୱଚ୍ଛ, ଲୋକାଭିମୁଖୀ ଶାସନର ନୂଆ ସଂଜ୍ଞା ସେ ଦେଇଛନ୍ତି। ଦୁର୍ନୀତିର ଛିଟା ପଡ଼ିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସେ ନେତା, ମନ୍ତ୍ରୀ, ପ୍ରଶାସକ କେହି ବି ହୁଅନ୍ତୁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିଏ ମନ୍ତ୍ରୀ ପଦ ହରାଇଛି ତ କାହାକୁ ଦଳରୁ ବିଦା କରାଯାଇଛି। ଗତ ୨୧ ବର୍ଷ ମଧ୍ୟରେ ୪୦ରୁ ଅଧିକ ନେତା, ମନ୍ତ୍ରୀ ବଳି ପଡ଼ିଛନ୍ତି।

ଏହା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ହୋଇଛି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ। କେବଳ କଥାରେ ନୁହେଁ, କାମରେ ବିଶ୍ୱାସ କରୁଥିବା ଏଭଳି ଜଣେ ସ୍ୱଳ୍ପଭାଷୀ ଓ ଚୀରକୁମାର ନେତାଙ୍କୁ କ୍ରମାଗତ ଭାବେ ରାଜ୍ୟବାସୀ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ଜିତାଇଛନ୍ତି। ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟରେ ଶାସନ କରିବା ପରେ ୨୦୦୯ ମସିହା ପରଠାରୁ ଏକାକି ବିଜେଡି ରାଜ୍ୟ ବିକାଶର ଦାୟିତ୍ୱ ନେଇଛି। ନବୀନଙ୍କ ଲୋକପ୍ରିୟତା ଓ ସାଧାରଣରେ ଗ୍ରହଣୀୟତା ଯୋଗୁଁ ପ୍ରତିଟି ନିର୍ବାଚନରେ ବିଜେଡିର ଭୋଟ୍ ହାର ବଢୁଛି।

୨୦୦୦ ଓ ୨୦୦୪ ମସିହାରେ ମେଣ୍ଟ ସରକାରରେ ବିଜେଡି ୮୪ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ୨୭ରୁ ୨୯ ପ୍ରତିଶତ ଭୋଟ୍ ପାଇଥିଲା। ୨୦୦୯ ମସିହାରେ ମେଣ୍ଟ ଭାଙ୍ଗିବା ପରେ ରାଜନୈତିକ ପଣ୍ଡିତଙ୍କ ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ବିଜେଡିର ଭୋଟ ହାର ୩୮.୮୬ ପ୍ରତିଶତକୁ ବଡ଼ିଥିଲା ଏବଂ ଏକାକି ଦଳ ୧୦୩ ଆସନ ଦଖଲ କରିଥିଲା। ୨୦୧୪ ମସିହାରେ ବିଜେଡିର ଭୋଟ ହାର ୪୩.୪ ପ୍ରତିଶତକୁ ଏବଂ ୨୦୧୯ ମସିହାରେ ୪୪.୭୧ ପ୍ରତିଶତକୁ ବଢ଼ିଥିଲା।

ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ଥିକ ସ୍ୱଚ୍ଛଳ ଓଡ଼ିଶା- ଯାହା ଦିନେ ସ୍ୱପ୍ନ ଭଳି ଲାଗୁଥିଲା ତାହା ଆଜି ସମ୍ଭବ ହୋଇଛି। କାହା ପାଖରେ ହାତ ପତେଇବାକୁ ପଡୁନାହିଁ। ଓଭରଡ୍ରାଫ୍ଟ ସିଷ୍ଟମରେ ତାଲା ପଡ଼ିଛି। ଚାଷୀଙ୍କ ଆୟ ବଢ଼ିଛି, ରୋଜଗାରରେ ବୃଦ୍ଧି ହୋଇଛି, ବ୍ୟାପକ ଶିଳ୍ପାୟନରେ ଯୁବକଙ୍କ ପାଇଁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇଛି, ରାସ୍ତାଘାଟଠାରୁ କ୍ରୀଡ଼ା କ୍ଷେତ୍ର ଯାଏଁ ସବୁଠି ବିଶ୍ୱସ୍ତରୀୟ ଭିତ୍ତିଭୂମି ଭୋକର ଭୂଗୋଳରୁ ଓଡ଼ିଶା ଆଜି ଶସ୍ୟ ସମୃଦ୍ଧ। କେବଳ ରାଜନୀତି ନୁହେଁ, ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ସିଦ୍ଧି ହିଁ ନବୀନଙ୍କ ଏକମାତ୍ର ନୀତି। ରାଜନୀତିରେ ପାଦ ଦେବା ଦିନରୁ ହିଁ ଫ୍ରଣ୍ଟଫୁଟର ଏହି ଖେଳାଳି ପ୍ରମାଣିତ କରିଛନ୍ତି ଯେ, ଦିଲ୍ଲୀରେ ଓଡ଼ିଆ ଅଛୁଆଁ ନୁହେଁ।

ବିକାଶ ସାଙ୍ଗକୁ ରାଜନୀତିକୁ ମଧ୍ୟ ନୂଆ ଫଣ୍ଡା ଦେଇଛନ୍ତି ନବୀନ ପଟ୍ଟନାୟକ। ସେ ଆକ୍ଷେପ-ପ୍ରତିଆକ୍ଷେପର ଚିରାଚରିତ ରାଜନୀତିରୁ ବହୁ ଊଦ୍ଧ୍ୱର୍ରେ ଥାଆନ୍ତି। ବିରୋଧୀଙ୍କ ସବୁ ଅସ୍ତ୍ର ଯେତେବେଳେ ଫେଲ୍ ମାରେ ସେତେବେଳେ ନବୀନ ଆରମ୍ଭ କରନ୍ତି ନିଜର ଗୋଟି ଚାଳନା। କେହି କିଛି ବୁଝିବା ଆଗରୁ ଗଡ଼ ଦଖଲ ହୋଇ ସାରିଥାଏ। ଏହାହିଁ ତାଙ୍କ ବିଚକ୍ଷଣତା ଓ ଦୂରଦୃଷ୍ଟି ସମ୍ପନ୍ନ ରାଜନୀତିକୁ ପ୍ରମାଣିତ କରୁଛି।

ରାଷ୍ଟ୍ରପତି ନିର୍ବାଚନଠାରୁ ରାଜ୍ୟସଭା ନିର୍ବାଚନ ଯାଏଁ ସବୁଠି ନବୀନଙ୍କ ଅପ୍ରତ୍ୟାଶିତ ଗେମ୍ ବୁଝିବା କାଠିକର ପାଠ। ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଛାଡ଼ିବା ଏବଂ ପରବର୍ତ୍ତୀ ସମୟରେ ଚାରୋଟି ଯାକ ଆସନ ଏକାକୀ ଦଖଲ କରିବାର କଳା କେବଳ ନବୀନଙ୍କୁ ହିଁ ଜଣା।

ସେହିଭଳି ତାଙ୍କ ଡାଇନିଂ ଟେବୁଲ ରଣନୀତି ବି ନିଆରା। ପରସ୍ପର ବିରୋଧୀ ଆଭିମୁଖ୍ୟ ରଖୁଥିବା ନେତାଙ୍କୁ ଗୋଟିଏ ଟେବୁଲରେ ଏକାଠି ବସାଇବାର ଦକ୍ଷତା ମଧ୍ୟ ତାଙ୍କ ପାଖରେ ରହିଛି। ଖାଲି ଏତିକି ନୁହେଁ କରୋନା ମହାମାରୀ ମୁକାବିଲା କରିବାରେ ମଧ୍ୟ ଓଡ଼ିଶା ଆଗରେ। ତାଙ୍କର ଦୂରଦୃଷ୍ଟିକୁ ଏବେ ସାରା ଦେଶ ଦେଖୁଛି।

ଯେତେବେଳେ କରୋନା ମହାମାରୀକୁ ନେଇ ସାରା ଦେଶରେ ହଇଚଇ ଖେଳିଯାଇଥିଲା ସେତେବେଳେ ଆଗୁଆ ପଦକ୍ଷେପ ନେଇଥିଲା ଓଡ଼ିଶା। ଦେଶରେ ତାଲାବନ୍ଦ ଆରମ୍ଭ ହେବା ପୂର୍ବରୁ କିଛି ଜିଲ୍ଲା ଓ ସହରାଞ୍ଚଳରେ ସଟଡାଉନ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯିବ, କୋଭିଡ ଆକ୍ରାନ୍ତଙ୍କୁ ତ୍ୱରିତ ଚିକିତ୍ସ ସୁବିଧା ମିଳିବ ସେଥିପାଇଁ କମ୍ ସମୟ ମଧ୍ୟରେ ପ୍ରାୟ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ, କୋଭିଡ ହେଲଥ୍ ସେଣ୍ଟର ଆଦି ନିର୍ମାଣ କରାଯାଇଥିଲା।

ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ସଙ୍ଗରୋଧ କେନ୍ଦ୍ର କରାଯିବା ସହିତ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ଆଉ ଏକ ଦୂରଦୃଷ୍ଟିର ପରିଚୟ ଦେଇଥିଲେ ନବନୀ ପଟ୍ଟନାୟକ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #NaveenPatnaik #Politics #CMOdisha #PoliticalLeader

Comment