ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦ୍ୟୁତ୍ ଦର ବୃଦ୍ଧିର ପ୍ରତିବାଦ ଏବଂ ଫ୍ରାଞ୍ଚାଇଜ୍ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଦାବି କରିଛି ଯୁବ କଂଗ୍ରେସ। ମଙ୍ଗଳବାର ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତି ରଂଜନ ଲେଙ୍କାଙ୍କ ନେତୃତ୍ଵରେ ରାଜ୍ୟ ବିଦ୍ୟୁତ୍ ନିୟାମକ ବୋର୍ଡ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି। ଏହି ପ୍ରତିବାଦରେ ବୋର୍ଡର ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

କରୋନା ମହାମାରୀ ସମୟରେ ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ୍ ଦର ବୃଦ୍ଧି ଏକ ଶକ୍ତ ଆଘାତ ଆଣିଦେଇଛି। ସବୁଠାରୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏଯାବତ୍ ସମସ୍ତ ଦୋକାନୀ, କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ନିଜର ଆର୍ଥିକ ସ୍ଥିତିକୁ ସୁଧାରି ଅଂଟା ସଳଖି ପାରିନାହାନ୍ତି। ଅନ୍ୟପଟେ ପ୍ରବାସୀ ଶ୍ରମିକ ନିଜ ଗୁଜୁରାଣ ମେଂଟାଇବା ପାଇଁ ସକ୍ଷମ ହୋଇନଥିବା ବେଳେ ରାଜ୍ୟର ବହୁ ବେକାରୀ ଯୁବକ ନିଜ ପରିବାରର ଭାର ବହନ କରିବା ପାଇଁ ମଧ୍ୟ ଅସମର୍ଥ ଅଟନ୍ତି।ଯେଉଁ ସମୟରେ ରାଜ୍ୟରେ ବିଦ୍ୟୁତ୍ ବ୍ୟବହାରର ୨୨ଭାଗ ବିଦ୍ୟୁତ୍ ଜଳବିଦ୍ୟୁତ୍‌ରୁ ଆସୁଛି ଏବଂ ୧୦ ଭାଗ ସୌରଶକ୍ତିରୁ ତ୍ୱରାନ୍ୱିତ ହେଉଛି। ତେବେ ସମସ୍ତ ଆବଶ୍ୟକୀୟ ବିଦ୍ୟୁତ୍ କ୍ରୟକୁ ମିଶାଇଲେ ୟୁନିଟ୍ ପିଛା କ୍ରୟମୂଲ୍ୟ ସର୍ବମୋଟ ୨.୮୦ ପଇସାରୁ ଉର୍ଦ୍ଧ୍ଵ ହେବନାହିଁ। ଉତ୍ପାଦନ ଖର୍ଚ୍ଚ ଏତେ କମ୍ ଥାଇ ବିକ୍ରି ଖର୍ଚ୍ଚ ବୃଦ୍ଧି କରିବା ନିଶ୍ଚିତ ଭାବେ ନିନ୍ଦନୀୟ। ରାଜ୍ୟରେ ବିଭିନ୍ନ ବିତରକ କମ୍ପାନି ଓ ବଡ଼ ବଡ଼ କମ୍ପାନିମାନଙ୍କ ଉପରେ ପାଖାପାଖି ୬ହଜାର କୋଟି ଟଙ୍କା ବକେୟା ଆଦାୟ ହୋଇନାହିଁ। ଏଥିସହ ରାଜ୍ୟ ସରକାରଙ୍କ ଉପରେ ବାକିଥିବା ୨.୫ ହଜାର କୋଟି ଟଙ୍କା ମଧ୍ୟ ଆଦାୟ ହୋଇନାହିଁ। ତେଣୁ ଏଭଳି ସ୍ଥଳେ ଘରୋଇ କମ୍ପାନିମାନଙ୍କ ସ୍ୱାର୍ଥରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ୍ ଦର ବୃଦ୍ଧିକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଦୃଢ଼ ବିରୋଧ କରାଯାଉଛି।

“ଓଡ଼ିଶା ବିଜୁଳି ଉତ୍ପାଦନରେ ସ୍ୱାବଲମ୍ବୀ ଥିବାବେଳେ ଅନ୍ୟ ରାଜ୍ୟକୁ ମଧ୍ୟ ବିଦ୍ୟୁତ୍ ଯୋଗାଣ କରୁଛି। ସେହି ରାଜ୍ୟଗୁଡିକ ବିଦ୍ୟୁତ୍ ଦରରେ ରିହାତି ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାର କାହା ସ୍ୱାର୍ଥରେ ବିଦ୍ୟୁତ୍ ଦର ବୃଦ୍ଧି କରୁଛନ୍ତି? ଆଗାମୀ ଦିନରେ ଯଦି ବିଜୁଳି ଦର ହ୍ରାସ ନ ହୁଏ ତେବେ ଯୁବ କଂଗ୍ରେସ ଜନ ଆନ୍ଦୋଳନକୁ ତୀବ୍ରତର କରିବା ସହ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଆଇନ୍‌ ହାତକୁ ନେବାକୁ ମଧ୍ୟ ପଛଘୁଞ୍ଚା ଦେବ ନାହିଁ”, କହିଛନ୍ତି ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତି ରଂଜନ ଲେଙ୍କା।

ରାଜ୍ୟରେ ସେସୁ ଦ୍ୱାରା ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ଵ ସମୟଧରି କାର୍ଯ୍ୟ କରିଥିବା ୮୬୦୦ ଫ୍ରାଞ୍ଚାଇଜ୍ କର୍ମଚାରୀମାନଙ୍କ ଛଟେଇକୁ ଯୁବ କଂଗ୍ରେସ କଡ଼ା ନିନ୍ଦା କରିବା ସହ ସେମାନଙ୍କ ପୁନଃ ନିଯୁକ୍ତି ଦାବି କରିଛି। ଏଥିପାଇଁ ସୋମବାର ପ୍ରଦେଶ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସର ମୁଖପାତ୍ର ନଳିନୀକାନ୍ତ ନାୟକ, ସ୍ୱାଗତ କର, ନିହାର ରଂଜନ ବେହେରା, ସଂକୁନା କହଁର, ଜ୍ଞାନରଂଜନ ରାଉତ, ବିଶ୍ୱରଂଜନ ଦାସ, ଆଦିତ୍ୟ ପରିଡା, ଗୌତମ ଦାସ, ବିରଂଚି ବାରିକ, ରିତୁଲ ମହାରଣା, ମୁନି ଥାପା, ଇତିସ୍ମିତା ପାତ୍ର ଏବଂ ଓପେଫାର ଆବାହକ ଶିଲାଦିତ୍ୟ ପଟ୍ଟନାୟକ, ସୁମିତ ପରିଡା ଏବଂ ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comment