ଓଡ଼ିଶାଲାଇଭ୍ ବ୍ୟୁରୋ

ମୋଦୀଙ୍କ ଜନ୍ମଦିନରେ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିଲା ଯୁବ କଂଗ୍ରେସ।

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦୀ ବର୍ଷକୁ ଦୁଇ କୋଟି ନିଯୁକ୍ତି ଦେବେ ବୋଲି କହି ନିଜର କଥା ରଖିନାହାନ୍ତି। ତେଣୁ ତାଙ୍କର ଜନ୍ମଦିନରେ ରାସ୍ତାରେ ପକୁଡ଼ି ବିକ୍ରି କରି ରାଷ୍ଟ୍ରୀୟ ବେକାରୀ ଦିବସ ପାଳନ କରିଛି ଓଡ଼ିଶା ଯୁବ କଂଗ୍ରେସ।

ଅଖିଳ ଭାରତ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବେରୋଜଗାର ଦିବସ ପାଳନ କରାଯାଇଥିଲା। ଯେଉଁଥିରେ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କାଙ୍କ ନେୃତୃତ୍ୱରେ କଂଗ୍ରେସ କର୍ମୀମାନେ ରାସ୍ତାରେ ପକୁଡ଼ି ବିକ୍ରି କରିଥିଲେ।

ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଯୁବ ସମାଜକୁ ପ୍ରତାରିତ କରିଛନ୍ତି । ବେରୋଜଗାର ପରିସ୍ଥିତି ଦୀର୍ଘ ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ଅଟୋମୋବାଇଲ୍ କ୍ଷେତ୍ରରେ ବ୍ୟାପକ ଛଟେଇ ଯୁବ ସମାଜକୁ ରାଜରାସ୍ତାରେ ଠିଆ କରିଦେଇଛି । ଦେଶକୁ ୫ ଟ୍ରିଲିୟନ ଇକୋନୋମିର ସ୍ୱପ୍ନ ଦେଖାଉଥିବା ନରେନ୍ଦ୍ର ମୋଦୀଙ୍କ ଶାସନରେ ଜିଡିପି -୨୩.୯% ରେ ପହଞ୍ଚିଛି। କରୋନା ପରିସ୍ଥିତିରେ ଯୁବକ ଯୁବତୀମାନେ ନିଜର ଜୀବିକା ହରେଇ ବଞ୍ଚିବା ପାଇଁ ସଂଘର୍ଷ କରୁଥିବାବେଳେ ପ୍ରଧାନମନ୍ତ୍ରୀ ବେରୋଜଗାର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ୟାକେଜ ଘୋଷଣା କରୁନାହାନ୍ତି।”

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଆତ୍ମନିର୍ଭରଶୀଳ ପ୍ୟାକେଜରେ ନିଯୁକ୍ତି ସଂପର୍କରେ କୌଣସି ସୂଚନା ନାହିଁ। ଦେଶର ବିପର୍ଯ୍ୟସ୍ତ ଅର୍ଥନୀତି ଏବଂ ଭୟଙ୍କର ବେରୋଜଗାର ସଂପର୍କରେ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ, ଉର୍ଜିତ ପଟେଲ,ଖୋଦ୍ ଅର୍ଥମନ୍ତ୍ରୀଙ୍କ ସ୍ୱାମୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ କରକାଳା ପ୍ରଭାକର, ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ, ଅରବିନ୍ଦ ସୁବର୍ଣ୍ଣମ, ନୋବେଲ ବିଜେତା ଅଭିଜିତ ବାନାର୍ଜୀ ପ୍ରମୁଖ ନରେନ୍ଦ୍ର ମୋଦୀଙ୍କୁ ସଚେତନ କରାଇବା ପରେ ମଧ୍ୟ ମୋଦୀ ଏହାକୁ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ନାହାନ୍ତି।ଆଜି ଯୁବକମାନେ ଦିଶାହରା ଏବଂ ବଞ୍ଜିବା ପାଇଁ ସଂଘର୍ଷ କରୁଥିବାବେଳେ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି । ପ୍ରଦେଶ ଯୁବ କଂଗ୍ରେସର ଆଜିର କାର୍ଯ୍ୟକ୍ରମକୁ ଚପାଇ ଦେବା ପାଇଁ କୋଭିଡ୍ ନିୟମ ଆଳରେ ଯୁବ କଂଗ୍ରେସ କର୍ମୀଙ୍କଠାରୁ ଫାଇନ୍ ଆଦାୟ କରାଯାଇଥିଲା। ମାତ୍ର ସମସ୍ତ କୋଭିଡ୍ ନିୟମ ମାନି ଯୁବ କଂଗ୍ରେସ କାର୍ଯ୍ୟ କରିଥିଲେ। ଆଗାମୀ ଦିନରେ ଯୁବ କଂଗ୍ରେସ ପ୍ରତି ବ୍ଲକ ଓ ଜିଲ୍ଲାରେ ପକୁଡି ବିକ୍ରି କରି, ଭିକ୍ଷା ମାଗି, ଜୋତା ପଲିସ୍ କରି ପ୍ରତିବାଦ କରିବା ସହିତ ଆଗାମୀ ୭ ଦିନକୁ ଯୁବ କଂଗ୍ରେସ ‘ବେରୋଜଗାର ସପ୍ତାହ’ ରୂପେ ପାଳନ କରିବ ବୋଲି ଯୁବ କଂଗ୍ରେସ ସଭାପତି କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତୃବୃନ୍ଦ ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ, ମାନସ କର, ରଂଜିତ ପାତ୍ର, ସ୍ୱାଗତ କର, ସଂକୁନା କହଁର, ଆର୍ଯ୍ୟବୀର ଲେଙ୍କା, ମହମ୍ମଦ ଅଲିମ୍‌, ନିହାର ରଂଜନ ବେହେରା, ବିପ୍ଳବ ଶିଲାଦିତ୍ୟ, ବଟକୃଷ୍ଣ ରାଉତରାୟ, ଆଶୁତୋଷ ଲେଙ୍କା, ସୁମ୍ରିତା ଜେନା, ବିଶ୍ୱରଂଜନ ଦାସ, ସୁନିଲ୍ ମାଟିଆ, ଗୌତମ ଦାସ, ଆଦିତ୍ୟ ପରିଡା, ଜ୍ଞାନରଂଜନ ରାଉତ, କାର୍ତିକେଶ୍ୱର କାଣ୍ଡି, ଇତିସ୍ମିତା ପାତ୍ର, ହରେକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comment