ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ। ଶନିବାର ସେ ରାଜ୍ୟପାଳ ବନୱରୀ ଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ ପଞ୍ଜାବରେ ଦୀର୍ଘ ୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଉଥିଲେ।

ଇସ୍ତଫା ପରେ ଅମରିନ୍ଦର ସିଂ କହିଛନ୍ତି, “ଇସ୍ତଫା ଦେବା ନେଇ ମୁଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜଣାଇଥିଲି। ଦଳ ପକ୍ଷରୁ ବାରମ୍ବାର ବିଧାୟକ ଦଳ ବୈଠକ ଡକାଯାଉଥିଲା। ଗତ ଦୁଇ ମାସ ମଧ୍ୟରେ ଦୁଇ ଥର ବୈଠକ କରାଯାଇ ତୃତୀୟ ଥର ପାଇଁ ବୈଠକ ଡକାଯାଇଥିଲା। ଯାହାକୁ ମୁଁ ପସନ୍ଦ କରୁନଥିଲି। ଏଭଳି କରାଯାଇ  ମତେ ଅପମାନିତ କରାଯାଉଥିବା ମୁଁ ଭାବୁଥିଲି। ତେଣୁ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି।”ସେ ଆଉ ମଧ୍ୟ କହିଛନ୍ତି, “ଏବେ ଦଳ ଯାହାକୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରୁଛି କରୁ ମୋର କୌଣସି ଆପତ୍ତି ନାହିଁ। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ବି ଦଳ ସହ ରହିଛି। ସମର୍ଥକମାନଙ୍କ ମତାମତ ନେଇ ମୁଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବି।”

ସୂଚନା ଅନୁସାରେ, କଂଗ୍ରେସ ପକ୍ଷରୁ ଆଜି ଅପରାହ୍ନ ୫ଟା ସମୟରେ ତୃତୀୟଥର ପାଇଁ ବିଧାୟକ ଦଳ ବୈଠକ ଡକାଯାଇଥିଲା। ତା’ ପୂର୍ବରୁ ଅମରିନ୍ଦର ସିଂ ଦଳ ଛାଡ଼ିବା ନେଇ ରାଜନୀତିକ ମହଲରେ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ। ସେ ଦୀର୍ଘ ୫୨ ବର୍ଷ ଧରି ରାଜନୀତିରେ ସକ୍ରିୟ ରହିଛନ୍ତି।

Comment