ଓଡିଶାଲାଇଭ୍ ବ୍ୟୁରୋ

ସଞ୍ଜୟ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ରାଜନୀତିକ ଜୀବନ ବିଷୟରେ ଜାଣନ୍ତୁ।

ଭାରତୀୟ ରାଜନୀତିରେ ଯୁବ ଚେହେରାଙ୍କ କଥା ଉଠିଲେ ସଞ୍ଜୟ ଗାନ୍ଧୀଙ୍କ ନାଁ ଆଗକୁ ଆସେ। ୭୦ ଏବଂ ୮୦ ଦଶକର ରାଜନୀତିକୁ ଯିଏ ଅନୁଧ୍ୟାନ କରିଥିବେ ସେ ହିଁ ସଞ୍ଜୟଙ୍କ ରାଜନୀତିକୁ ଭଲଭାବେ ବୁଝିଥିବେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ହେଉ କି ଯୁବ ନେତୃତ୍ୱଙ୍କୁ ଅଧିକାର ଦେବା କଥା ହେଉ, ସବୁଠି ଥିଲା ସଞ୍ଜୟଙ୍କ ପ୍ରଭାବ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନପୁଅ ସଞ୍ଜୟଙ୍କୁ ନେଇ ଏବେ ଭାରତୀୟ ରାଜନୀତିରେ ଚର୍ଚ୍ଚା ହୁଏ।

ଅନେକ ବିବାଦ ସତ୍ତ୍ଵେ ଜଣେ ଲୋକପ୍ରିୟ ରାଜନେତା ଭାବେ ଲୋକଙ୍କ ହୃଦୟରେ ସ୍ଵତନ୍ତ୍ର ଜାଗା ସୃଷ୍ଟି କରିଥିବା ସଞ୍ଜୟ ଗାନ୍ଧୀଙ୍କର ଆଜି ହେଉଛି ୪୦ତମ ଶ୍ରାଦ୍ଧବାର୍ଷିକୀ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଞ୍ଜୟ ୨୩ ଜୁନ ୧୯୮୦ ମସିହାରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ପରେ ଦେଶ ରାଜନୀତିରେ ସବୁ ସମୀକରଣ ବଦଳିଯାଇଥିଲା।

ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ସଞ୍ଜୟ ଗାନ୍ଧୀଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ବିବେଚନା କରାଯାଉଥିଲା। କିନ୍ତୁ ସଞ୍ଜୟଙ୍କ ମୃତ୍ୟୁ ପରେ ଦେଶର ରାଜନୈତିକ ବାତାବରଣ ସଂପୂର୍ଣ୍ଣ ଭାବେ ବଦଳିଗଲା। ଏହାର ଚାରି ବର୍ଷ ପରେ ଅର୍ଥାତ୍ ୩୧ ଅକ୍ଟୋବର ୧୯୮୪ରେ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଗଲା ସେତେବେଳେ ରାଜଗାଦି ସମ୍ଭାଳିଥିଲେ ଇନ୍ଦିରାଙ୍କ ବଡ଼ପୁଅ ରାଜୀବ ଗାନ୍ଧୀ।

ଯୁବପିଢ଼ିଙ୍କ ପ୍ରିୟ ଥିଲେ ସଞ୍ଜୟ

ସଞ୍ଜୟଙ୍କ ଗଭୀର ଆତ୍ମବିଶ୍ଵାସ ଏବଂ ଦୃଢ଼ ଚିନ୍ତାଧାରାକୁ ଦେଶର ଯୁବପିଢ଼ି ଖୁବ ପସନ୍ଦ କରୁଥିଲେ। ଏହାଛଡ଼ା ସଞ୍ଜୟ ଗାନ୍ଧୀ ନିଜର ବ୍ୟବହାର ଏବଂ ଭାଷଣ ଦେବା କଳା ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ।

କୁହାଯାଏ ଯେ ସଞ୍ଜୟ ଉଡ଼ାଜାହାଜରେ ବି କୋହ୍ଲାପୁରୀ ଚପଲ ପିନ୍ଧୁଥିଲେ। ବଡ଼ ଭାଇ ରାଜୀବ ଗାନ୍ଧୀ ପ୍ଲେନରେ ଚପଲ ବଦଳରେ ପାଇଲଟ ଜୋତା ପିନ୍ଧିବାକୁ କହୁଥିଲେ ମଧ୍ୟ ସଞ୍ଜୟ ତାଙ୍କ କଥା ମାନୁନଥିଲେ। ଏଥିସହ ବିଭିନ୍ନ ପ୍ରକାର ଗାଡ଼ି ଚଲେଇବାରେ ତାଙ୍କର ସଉକ ରହିଥିଲା।

ଜରୁରୀକାଳୀନ ପରିସ୍ଥିତି ଓ ସଞ୍ଜୟ

୭୦ ଦଶକରେ ଭାରତରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ନେଇ ବହୁ ବିବାଦ ଦେଖାଦେଇଥିଲା। ଏଥିପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ମାତ୍ର ୩୩ ବର୍ଷ ବୟସରେ ରାଜନୀତିରେ ଅଭିଜ୍ଞ ହୋଇସାରିଥିଲେ ସଞ୍ଜୟ। ମା’ ଇନ୍ଦିରାଙ୍କ ସହ ସେ ସବୁ ପରିସ୍ଥିତିରେ ଶକ୍ତ ଭାବେ ଛିଡ଼ା ହୋଇଥିଲେ। ତେବେ ତାଙ୍କର କିଛି କାମ ଇନ୍ଦିରାଙ୍କୁ ବିପଦରେ ମଧ୍ୟ ପକାଇଥିଲା।

ଇନ୍ଦିରାଙ୍କ ନିର୍ଣ୍ଣାୟକ ନିଷ୍ପତ୍ତିଗୁଡ଼ିକରେ ସଞ୍ଜୟଙ୍କର ଦଖଲ ରହୁଥିଲା। ଏହା ସହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାରେ ସଞ୍ଜୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କୁହାଯାଏ।

୧୯୭୫-୧୯୭୭ ମସିହା ଯାଏ ଜାରି ହୋଇଥିବା ଏହି ଜରୁରୀକାଳୀନ ପରିସ୍ଥିତି ସମୟରେ ପରିବାର ନିୟୋଜନକୁ ସବୁଠୁ ବେଶି ଗୁରୁତ୍ଵ ଦିଆଯାଇଥିଲା। କୁହାଯାଏ, ସଞ୍ଜୟଙ୍କ ନିର୍ଦ୍ଦେଶରେ ଲୋକଙ୍କୁ ଜୋର ଜବରଦସ୍ତ ପରିବାର ନିୟୋଜନ କରିବାକୁ ବାଧ୍ୟ କରାଯାଉଥିଲା। ଏହି ସମୟରେ ୮ ଲକ୍ଷ ଲୋକଙ୍କର ବନ୍ଧ୍ୟାକରଣ କରାଯାଇଥିଲା, ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର ହୋଇଥିଲା।

ଏହାକୁ ନେଇ ଲୋକଙ୍କ ମନରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଥିଲା ଏବଂ ଏହାର ଫଳସ୍ଵରୁପ ୧୯୭୭ ମସିହା ନିର୍ବାଚନରେ କଂଗ୍ରେସକୁ ସତ୍ତା ହରେଇବାକୁ ପଡ଼ିଥିଲା।

କଂଗ୍ରେସକୁ ପୁଣିଥରେ ବିଜୟୀ କରିଥିଲେ

ଜରୁରୀକାଳୀନ ପରିସ୍ଥିତି ପରେ ୧୯୭୭ ନିର୍ବାଚନରେ ପରାଜୟ ସଞ୍ଜୟ ଗାନ୍ଧୀଙ୍କୁ ଅନେକ ଶିକ୍ଷା ଦେଇଥିଲା। ଏହି ପରାଜୟ ପରେ ରାଜନୀତିର ସବୁ ଦିଗକୁ ବେଶ ଭଲ ଭାବେ ବୁଝିବାରେ ସକ୍ଷମ ହୋଇଥିଲେ ସଞ୍ଜୟ। କୁହାଯାଏ ଚରଣ ସିଂହଙ୍କ ପରି ଜଣେ ମହତ୍ତ୍ଵାକାଂକ୍ଷୀ ନେତାଙ୍କୁ ପ୍ରଧାନମନ୍ତ୍ରୀ କରିବା ସହ ଜନତା ପାର୍ଟି ଭାଙ୍ଗିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଜରୁରୀକାଳୀନ ପରିସ୍ଥିତି ପରେ ଲୋକମାନେ ଇନ୍ଦିରା ଗାନ୍ଧୀଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏଣୁ ଲୋକଙ୍କ ଭିତରେ ଇନ୍ଦିରାଙ୍କୁ ନେଇ ଏକ ଭଲ ପ୍ରତିଛବି ତିଆରି କରିବାକୁ ସେ ସବୁ ପ୍ରକାର ଚେଷ୍ଟା କରିଥିଲେ।

ଏଥିସହ ସଞ୍ଜୟଙ୍କ ନେତୃତ୍ଵରେ ଯୁବନେତାଙ୍କୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲେଇଲା କଂଗ୍ରେସ। ଫଳସ୍ଵରୂପ ୧୯୮୦ ମସିହା ଜାନୁଆରୀରେ କଂଗ୍ରେସ ନା କେବଳ କେନ୍ଦ୍ରରେ ସରକାର ଗଢ଼ିଲା, ୮ଟି ରାଜ୍ୟରେ ମଧ୍ୟ କଂଗ୍ରେସ ସରକାର କ୍ଷମତାକୁ ଆସିଲା। ସେତେବେଳେ ୧୦୦ଜଣ ଯୁବନେତା କଂଗ୍ରେସ ଟିକେଟରେ ନିର୍ବାଚନ ଜିତିଥିଲେ।

ଭାରତରେ ‘ମାରୁତି’ର ଭିତ୍ତିଭୂମି ସ୍ଥାପନ କରିଥିଲେ ସଞ୍ଜୟ

ବିଭିନ୍ନ ପ୍ରକାର ବିଳାସପୂର୍ଣ୍ଣ ଗାଡ଼ି ଚଲେଇବାକୁ ଭଲ ପାଉଥିବା ସଞ୍ଜୟ ଭାରତରେ ଓ୍ଵାର୍କସପ୍ କରି ମାରୁତି କାର ଡିଜାଇନ କରିବାକୁ ଚେଷ୍ଟା କରିଥିଲେ।

ଭାରତରେ ସଞ୍ଜୟ ଗାନ୍ଧୀ ହିଁ ମାରୁତି କମ୍ପାନୀର ଭିତ୍ତିଭୂମି ସ୍ଥାପନ କରିଥିଲେ। ଏହା ସହିତ ଗଛ ଲଗେଇବା ପାଇଁ ବିଭିନ୍ନ ଆନ୍ଦୋଳନ କରିବା ସହ ସ୍ଵଦେଶୀ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସେ ଜୋର ଦେଉଥିଲେ।

ବହୁତ ଥର ଆକ୍ରମଣର ଶିକାର ହୋଇଥିଲେ

ଏକ ରିପୋର୍ଟ ଅନୁସାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସଞ୍ଜୟଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ୧୯୭୬ ମସିହାରେ ତାଙ୍କୁ ଗୁଳି କରି ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା। ତେବେ ସବୁ ଷଡ଼ଯନ୍ତ୍ରକୁ ସାମ୍ନା କରିଥିବା ସଞ୍ଜୟ ୧୯୮୦ ମସିହା ଜୁନ ୨୩ ତାରିଖରେ ବିମାନ ଚଲାଉଥିବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

LEAVE A REPLY

Please enter your comment!
Please enter your name here