ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ଅଧିବେଶନ ଚାଲିଥିବା ସମୟରେ ବୁଧବାର ଦିନ ଘଟିଯାଇଛି ଅଭାବନୀୟ ଘଟଣା। ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ସାଂସଦମାନଙ୍କ ଆସନ ଭିତରକୁ ପଶି ଆସିଥିଲେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି। ଏହାକୁ ନେଇ ସଂସଦର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠିଛି।

ବୁଧବାର ଦିନ ଲୋକସଭା ଅଧିବେଶନ ଚାଲିଥିଲାବେଳେ ହଠାତ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଲୋକସଭାର ଦର୍ଶକ ଗ୍ୟାଲେରିରୁ ଡେଇଁ ସିଧା ସାଂସଦମାନଙ୍କ ଆସନ ଆଡ଼କୁ ପଶିଆସିଥିଲେ। ଅଧିବେଶନ ସମୟରେ ହଠାତ ଏଭଳି ଦୃଶ୍ୟ ଦେଖି ସମସ୍ତେ ହତବାକ୍ ହୋଇଯାଇଥିଲେ। ପରେ ଉଭୟଙ୍କୁ କାବୁ କରିବାକୁ ଚେଷ୍ଟା କରାଯାଇଥିଲା।

ଦୁଇ ସନ୍ଦିଗ୍ଧଙ୍କୁ ସୁରକ୍ଷା କର୍ମୀ କାବୁ କରିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ହଇଚଇ ସୃଷ୍ଟି ହୋଇଛି। ଉଭୟଙ୍କୁ ସଂସଦ ମାର୍ଗ ପୋଲିସ ଷ୍ଟେସନରେ ଅଟକ ରଖି ପଚରାଉଚରା ଆରମ୍ଭ ହୋଇଛି। ଅଭିଯୁକ୍ତମାନେ ହେଲେ ସାଗର ଶର୍ମା ଓ ଡି ମନୋରଞ୍ଜନ।

ଦିଲ୍ଲୀ ପୋଲିସର ଆଣ୍ଟି ଟେରର ୟୁନିଟ ସ୍ପେସାଲ ସେଲ ଅଧିକାରୀ ଅଭିଯୁକ୍ତମାନଙ୍କୁ ଜେରା କରିବା ପାଇଁ ପହଞ୍ଚିଛନ୍ତି। ଦୁଇ ଅଭିଯୁକ୍ତ ଲୋକସଭା ଭିଜିଟର ପାସ ପାଇ ଭିତରକୁ ପ୍ରବେଶ କରିଥିଲେ।

ପୂର୍ବରୁ ଆସିଥିଲା ସଂସଦ ଉପରେ ଆକ୍ରମଣ ଚେତାବନୀ

କିଛି ଦିନ ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ଵନ୍ତ ପନ୍ନୁ ଏକ ଭିଡିଓ ଜାରି କରି ଡିସେମ୍ବର ୧୩ କିମ୍ବା ତା’ ପୂର୍ବରୁ ଭାରତର ସଂସଦ ଉପରେ ଆକ୍ରମଣ କରାଯିବା ନେଇ ଚେତାବନୀ ଦେଇଥିଲା। ଆଜି ସଂସଦରେ ଦୁଇ ଜଣ ସନ୍ଦିଗ୍ଧଙ୍କ ପ୍ରବେଶକୁ ନେଇ ନାନା ପ୍ରଶ୍ନ ଉଠିଛି।

୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ସଂସଦରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୯ ଜଣ ଯବାନ ସହିଦ ହୋଇଥିଲେ ଓ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Tags: #Politics #IndianPolitics #LokSabha #SecurityBreach #Delhi #India

Comment